Unknown

 

 

 

 

 

 

 

 

 

ଭୁଲି ହୁଏନା

ଶ୍ରୀ କାହ୍ନୁଚରଣ ମହାନ୍ତି

 

ସେମାନେ ଗରିବ, ସେମାନେ ନିଃସହାୟ । ଛାଟ କୂଳରେ ତାଙ୍କର ଜନ୍ମ । ସେମାନେ ପୁଣି ଅଛୁଆଁ । କିଏ ତାଙ୍କୁ ଗରିବ ନିଃସହାୟ ଛୋଟ, ପୁଣି ଅଛୁଆଁ କଲା ଜାଣନ୍ତି ନାହିଁ । ସେମାନେ ଜାଣିଛନ୍ତି, ଯେଉଁ ଦିନ ମାଆ ପେଟରୁ ତାଙ୍କର ଜନ୍ମ, ସେମାନେ ଏଇଆ । କାହରି ବିରୁଦ୍ଧରେ ତାଙ୍କର ଅଭିଯୋଗ କରି କହିବାର କିଛି ନାହିଁ । ପୂର୍ବଜନ୍ମ କି ପରଜନ୍ମର କଥା ମଧ୍ୟ ସେମାନେ କେବେ ଭାବନ୍ତି ନାହିଁ ।

ତାଙ୍କରି ଦେହରୁ ଯେଉଁ ଝାଳ ନିଗିଡ଼େ ସେଇଥିରେ ଅନ୍ୟର ଅମାରରେ ଧାନ, ମୁଗ ପୂର୍ଣ୍ଣ ହୁଏ, ଅନ୍ୟର ବ୍ୟାଙ୍କ ଏକାଉଣ୍ଟରେ ଅଙ୍କ ପରେ ଅଙ୍କ ଯୋଖି ହୋଇଥାଏ । ତାଙ୍କରି ରକତ ପାଣି ଫାଟିଲେ କଳ କାରଖାନା ଗଢ଼ା ହୁଏ । ଯାହା ସେମାନେ କରନ୍ତି ସବୁ ପର ପାଇଁ, କିନ୍ତୁ ଏକଥା ସେମାନେ ବୁଝନ୍ତି ନାହିଁ । ସେମାନେ ବୁଝନ୍ତି, ଯାହା ସେମାନେ କରନ୍ତି ସବୁ ନିଜ ପାଇଁ, ନିଜର ପିଲା କୁଟୁମ୍ବଙ୍କ ପାଇଁ, ଗଣ୍ଡିଏ ଖାଇ ଖଣ୍ଡିଏ ପିନ୍ଧି ବଞ୍ଚି ରହିବାକୁ ।

ବଞ୍ଚି ରହିବାହିଁ ସେମାନଙ୍କର ଏକମାତ୍ର କାମନା, ଉଚ୍ଚାଶା ଓ ଦୁନିଆ ପାଖରେ ଅତି ବିନୀତ ଆଖି ଛଳଛଳ ମାଗୁଣି ।

ଗାଁର ଶେଷରେ ସେମାନଙ୍କର କୁଡ଼ିଆମାନ ନାଲି ସଡ଼କର ଦୁଇ ପାଖରେ । ଛୋଟ ଛୋଟ ନୁଆଣିଆଁ ଚାଳଘର । କାହାର ଛପର ଉଡ଼ିଯାଇଛି, ମୁକୁଳା ବାଉଁଶ ରୁଅ ଦାନ୍ତ ଦେଖେଇଛି ରାସ୍ତା ଆଡ଼କୁ । କେଉଁଠି ଖଣ୍ଡିଆ କାନ୍ଥ ଉପରେ ଛେଳିଛୁଆ ଚଢ଼ି ମନଖୁସିରେ ଡିଆଁ ମାରୁଛି । ମୁକୁଳା ଦୁଆର ଆଗରେ ଘରକୁ ଲାଗି ଖତକୁଢ଼ ଗଦା । ତାରି ଉପରେ କୁକୁଡ଼ାଟିଏ ତିନିପୁଞ୍ଜା ଛୁଆ ଖେଳାଉଛି । ଖତକୁଢ଼ର ଖତକୁ ଗୋଡ଼ରେ ଆଡ଼େଇ ଚରା ଖୁମ୍ପୁଛି ।

ସେ ପାଖକୁ ଛାଇତଳେ ଶୋଇଛି କୁକୁରଟିଏ, ଚାରିଟା ଦରମଲା ଛୁଆ, ଧଡ଼ିଆ ଧେଡ଼ଙ୍ଗା, ମାଆର କ୍ଷୀର ଚୁଚୁମୁଛନ୍ତି । ତାର ପାଖରେ ଦୁଇଚାରିଟା ହାଣ୍ଡି ମଠିଆ ଆଁ କରି ଚାହିଁ ରହିଛନ୍ତି । ସେ ଘର ପିଣ୍ଡାରେ ଦିଓଟି ପିଲା ଖେଳୁଛନ୍ତି । ସାତ ଆଠ ବର୍ଷ ହେବ ଦୁହିଁଙ୍କୁ । ନଙ୍ଗଳା । ଜଣକର କଣ୍ଟା ଦୋହଲୁଛି । ହାଣ୍ଡି ପରି ବାହାରିଛି ପେଟ । ଆରଟିର ଦିହରେ ବସନ୍ତ ଚିହ୍ନ । ଗୋଟିଏ ଆଖି ତାର ନାହିଁ ।

ସେ ପିଣ୍ଡାକୁ ଅନା, ଟୋକୀକୁ ବାତ । ଆଣ୍ଠୁଗଣ୍ଠି ଜଳଜଳ ଦିଶୁଛି । ଗୋଡ଼ ଲମ୍ବେଇ ବସିଛି । ଉଠିବାର ଶକ୍ତି ନାହିଁ । ଫୁରୁଫୁରୁ ବାଳ । ତା ପାଖ ଘର ପିଣ୍ଡରେ ସେ ଯେଉଁ ବୁଢ଼ାଟି ବସିଛି, ତାକୁ ଖୋଡ଼ । ଆଙ୍ଗୁଠିଗୁଡ଼ିକ ଛିଣ୍ଡିବା ଉପରେ । ଭଣ ଭଣ ମାଛି ହୁରୁଡ଼ାଉଛି ।

ଟିକିଏ ଛାଡ଼ି ସାନ ଘରଟିଏ । କବାଟ ମୁକୁଳା । ପାଟି ଶୁଭୁଛି, କି ଲୋ ଯାଉନୁ ଛତରଖାଈ, ବଙ୍ଗଳା କୂଅରୁ ପାଣି ମାଠିଆଏ ଆଣିବୁ । ଏଡ଼େ ଗେଲବସର କାହିଁକି ହୋଇଛୁ ବା । ଘରେ ପାଣି ଟୋପାଏ ନାହିଁ । ତୋ ଦାଦି ଖଣ୍ଡିଆ କୋଉଠି ବସି ଗୁଲି ଖାଉଥିବ । ଫେରିବ ତ କହିବ ଦେ ଖାଇବାକୁ । ଘରେ ଟୋପାଏ ପାଣି ନାହିଁ–

ଚଉଦ ପନ୍ଦର ଝିଅଟିଏ ରତନୀ । ଉଠି ଠିଆ ହେଲା । ଆଖିରୁ ଲୁହ ଝରିପଡ଼ୁଛି । ଖୁଡ଼ୀର ଗୋଇଠା ମାଡ଼ରେ ପିଠି ନଇଁଯାଇଛି, ତଥାପି ସେ ତୁଣ୍ଡ ଖୋଲିନାହିଁ । ରତନୀ, ଯୁବତୀ ଟୋକୀ, ରୂପ ସୁନ୍ଦର, ସ୍ୱାସ୍ଥ୍ୟ ସୁନ୍ଦର, ଯୌବନ ଉଛୁଳି ପଡ଼ୁଛି, ହେଲେ ମୁଣ୍ଡ ନୁଖୁରା । ଦେହରେ ସାତଚିରା ମଇଳା ଲୁଗା । ନିଜ ଦେହକୁ ଚାହିଁଲେ ନିଜକୁ ମାଡ଼ୁଛି ।

ଗାଁ ଝିଅ ସେ, ହେଲେ ଗାଁ ମଣିଷ, ଚାଲିଗଲା ଲୋକ ତାରି ଆଡ଼କୁ କଣେଇ ଚାହାନ୍ତି, ସେଇମାନେ, ଯାହାକୁ ସେ ଦାଦି, ମଉସା, ଭାଇ ବୋଲି ଡାକେ । ସେଇମାନେ, ଯେଉଁମାନେ ତାକୁ ଗେହ୍ଲେଇ ଡାକନ୍ତି, ଆଲୋ ଝିଅ–

ରତନୀ ରାସ୍ତା କଡ଼ରେ ଆଡ଼େଇ ଆଡ଼େଇ ତଳକୁ ମୁହଁ ପୋତି ଚାଲିଯାଏ । ତାରୁଣ୍ୟର ରୂପଯୌବନ ଛିଣ୍ଡା ମହଳ ଲୁଗା ତଳେ ଲୁଚୁକାଳି ଖେଳୁଥାଏ ।

ଗାଁ ଲୋକଙ୍କୁ ତାର ଲାଜ ସରମ ନାହିଁ । ସମସ୍ତଙ୍କୁ ସେ ଚିହ୍ନେ, ସମସ୍ତେ ତାକୁ ଚିହ୍ନନ୍ତି, କିନ୍ତୁ ଆଜି ତାର ଗୋଡ଼ ଚଳୁନାହିଁ । ସକାଳୁ କିଏ ଜଣେ ବାବୁ ଆସି ଡାକବଙ୍ଗଳାରେ ରହିଛନ୍ତି । ଲୋକବାକ ସଙ୍ଗରେ ବେଶି ନାହାନ୍ତି, ଅଛି କେବଳ ଜଣେ ବୁଢ଼ା ଚାକର ।

ବାବୁଟି ଟୋକା । ବଙ୍ଗଳାର ପଛପାଖ ବାରଣ୍ଡାରେ ଚଉକି ପକେଇ ବସି ସକାଳେ ସେ କଣ ଲେଖୁଥିଲେ । ବଙ୍ଗଳାର ପଛପାଖେ, ରୋଷଘରକୁ ତିରିଶି ହାତ ଛାଡ଼ି ପୁଲି-ଲଗା କୂଅ । ସକାଳେ ପାଣି ଆଣିଲାବେଳେ ସେ କାହିଁକି କଣେଇ କଣେଇ ଅନାଉଁଥିଲେ ।

ଆଖିରେ ଲାଖି ରହିଛି ଲୁହ, ଡରି ରତନୀ କହିଲା, ଲୁଗାଖଣ୍ଡ ବଦଳି ଦେ ଖୁଡ଼ୀ, ସେଇଆକୁ ପିନ୍ଧି ପାଣି ପାଇଁ ଯିବି । ଦେଖିଲୁ, ଯୋଉଖଣ୍ଡ ପିନ୍ଧିଚି ସେଥିରେ କଣ ଅଛି ? ଦାଣ୍ଡକୁ ବାହାରିଛି କିମିତି ?

ହଇଲୋ ଚୁଲିପଶୀ । ତୋ ଲୁଗା କୁଆଡ଼େ ଗଲା ?

ଖଣ୍ଡିଏ ତ ଦଢ଼ ଲୁଗା, କୋଚଟ ହୋଇଥିଲା ବୋଲି ଖାର ଦେଇ କାଚି ଶୁଖେଇଥିଲି । ଦରଶୁଭିଲା ଲୁଗାଟାକୁ ପିନ୍ଧି ଦାନି ମୂଳକୁ ଯାଇଛି । ତା ପିନ୍ଧା ଗାମୁଛାକୁ ମୁଣ୍ଡରେ ବାନ୍ଧି ଗଲା ।

ତୁ ପୋଡ଼ାମୁହୀଁ ଯେମିତି ସେ ଯୋଗିନୀଖିଆ ସେମିତି । କିଲୋ, ମୁଁ କଣ ନଙ୍ଗଳା ହୋଇ ତତେ ଲୁଗା ଦେବି ? ଯାଉନୁ ସେମିତି । ଖରାବେଳଟା ତ, କିଏ ତତେ ଅନେଇ ବସିଛି ବା-। ଅଳସୁଆ ଘୋଡ଼ାକୁ ମେଘ ଆଶ୍ରା । ଧାଇଁ ଯାଇ ପାଣି ମାଠିଆଏ ତ ଆଣିବୁ ।

ରତନୀ ଜବାବ ଦେଲା ନାହିଁ । ଛିଣ୍ଡାନେଙ୍କୁଡ଼ି କନାକୁ ଦେହରେ ଗୁଡ଼େଇ ଦେଇ ଦିଓଟି ମାଠିଆ ଧରି ସେ ବାହାରିଲା । ଡାକବଙ୍ଗଳା ତ ପାଖରେ ନୁହେଁ, ଅନେଇଲେ ସିନା ଦେଖେ ଯାଉଛି, ତିନି ଫର୍ଲଙ୍ଗ ଦୂର ।

ଭଲଲୋକଙ୍କ ସାହୀରେ ସବୁରି ଘରେ କୂଅ । ବାଟ ଦିଖୋଜ ହେବ ତ ଦାସଙ୍କ ଘର କୂଅ । ଦାସେ ଖଦଡ଼ ପିନ୍ଧନ୍ତି, ମୁଣ୍ଡରେ ଗାନ୍ଧିଟୋପି ଦିଅନ୍ତି, ହାତରେ ମୁଣା ଝୁଲାନ୍ତି । ଗାଁ ଲୋକଙ୍କୁ ବୁଝେଇ କହନ୍ତି, ଶୁଣ, ସାକ୍ଷାତ୍ ଭଗବାନଙ୍କର ଅବତାର ଯେ ଗାନ୍ଧି ମାହାତ୍ମା, ସେ କହିଛନ୍ତି, ଅସ୍ପୃଶ୍ୟତା ନିବାରଣ କର । ସମାଜରେ କେହି ଆଉ ଅଛୁଆଁ ରହିବେ ନାହିଁ । ସମସ୍ତେ ଭଗବାନଙ୍କର ସନ୍ତାନ । ସମସ୍ତେ ସମାନ । ଅଛୁଆଁକୁ ହରିଜନ କୁହାଯାଏ । ସେମାନଙ୍କୁ ଛୁଆଁ । ମନ୍ଦିରରେ ପୂରାଅ । ସେମାନଙ୍କ ସଙ୍ଗେ ଏକାଠି ବସି ଖାଅ । ଘୃଣା କର ନାହିଁ । ଗାନ୍ଧି ମହାତ୍ମାଙ୍କ ଆଜ୍ଞା ।

 

ହେଲେ, ଦାସେ ସିନା କହନ୍ତି, ତାଙ୍କର ସ୍ତ୍ରୀ କାହାରିକୁ କୂଅ ପୋଖରୀ ଛୁଆଁଇ ଦିଅନ୍ତି ନାହିଁ । ତାଙ୍କର ବଡ଼ ଭାଇନା, ଯେ କି ଠାକୁର ମନ୍ଦିରର ପୂଜାରୀ, ସେ ହରିଙ୍କୁ ପୂଜା କରନ୍ତି ସିନା, ହରିଜନଙ୍କର ଛାଇ ମାଡ଼ନ୍ତି ନାହିଁ ।

ରତନୀ, ଦାସଙ୍କର କୂଅ ଆଡ଼କୁ ଥରଟିଏ ଆକୁଳ ଆଖିରେ ଅନେଇଁ ମାଠିଆ ଧରି ବାହାରି ପଡ଼ିଲା ରାସ୍ତା ଉପରକୁ । ଜ୍ୟେଷ୍ଠମାସର ଖରା । ନିଆଁ ଝରୁଛି ଆକାଶରୁ । ରାସ୍ତା ନିଆଁ ପରି ତାତିଛି । ଗୋଡ଼ ତଳିପା ପୋଡ଼ି ଉଠୁଛି । ତଥାପି, ରତନୀ ଚାଲିଲା । ଅନ୍ୟ ଉପାୟ ନାହିଁ । ନିରାଟ ଖରାରେ ପୋଖରୀ ସବୁ ଫାଟି ଯାଇଛି ।

ରତନୀ ଚାଲିଲା, ସକାଳୁ ଆଜି ସେ ଉପାସ ।

ରତନୀର ଜୀବନରେ ଇତିହାସ ବଡ଼ ନୁହେଁ । ପିଲାଦିନରୁ ବାପକୁ ଖାଇଥିଲା । ହେତୁ ଅଛି, ଦାସଘରେ ସେ କୋଠିଆ କାମ କରୁଥିଲା । ବିଲରେ ଧାନ କାଟୁ କାଟୁ ହିଡ଼କଡ଼ ଗାତରୁ ବାହାରି ହାତରେ ନାଗ ସାପ ଚୋଟ ହାଣିଲା । ସେଇଠି, ସେଇ ବିଲ ଉପରେ ପାଚିଲା ଧାନର ସୁନେଲି କ୍ଷେତ ଉପରେ ସେ ଢଳିପଡ଼ିଲା । ଗୁଣିଆଁ ଡକେଇବାକୁ ବେଳ ମିଳିଲା ନାହିଁ ।

ମାଆକୁ ଖାଇଲା ବାଘ, ମୁହଁସଞ୍ଜ ବେଳେ, ବଙ୍ଗଳା ପାଖ ବୁଦିବୁଦିକ ଜଙ୍ଗଲ ମଝିରେ । ଜାଳ ପାଇଁ ପତର ଗୋଟେଇବାକୁ ସେ ଯାଇଥିଲା । ଫେରିଲା ନାହିଁ । ରତନୀର ଦାୟିତ୍ୱ ପଡ଼ିଲା ତା ଖୁଡ଼ୀଙ୍କ ଉପରେ ।

 

ଖୁଡ଼ୀର ଗୋଟି ଗୋଟି ହୋଇ କେତେ ପିଲା ଜନମ ହେଲେ, ତିନି ଚାରିବର୍ଷ ନ ପୂରୁଣୁ ସେମାନେ ପୁଣି ବାହୁଡ଼ିଗଲେ । କିଏ ମଲା ବସନ୍ତରେ, କିଏ ବା ହଇଜାରେ । ସବା ସାନ ପୁଅ ଗନ୍ଧିଆକୁ ତେର ବରଷ । କୋଉ ପୁଅର ସେ ଲେଖା ? ହାଉଡ଼ାଟାଏ ତ, ସବୁବେଳେ ବୁଲୁଥାଏ ।

ଛେଉଣ୍ଡପିଲା ହେଲେ ବି ବାଟ ଦି କୋଶ ଆର ଗାଁର ଭେଣ୍ଡିଆ ଟୋକା ଯୋଗିଆ, ପଚିଶ ବର୍ଷର ଯୁଆନ । ଗୋଟାଏ ମାଇପ ସେ ଖାଇଥିଲା, ସେଇ ଯୋଗିଆକୁ ତେର ବରଷର ଝିଅ ରତନୀକୁ ବାହା କରେଇଦେଲା ତାର ଦାଦି । ପିଲାଝିଅ, ଯୋଗିଆ ଘରକୁ ଯାଇ ପୁଣି ଫେରିଆସିଲା ଦାଦି ପାଖକୁ ।

ସେଇବର୍ଷ ଘରପୋଡ଼ିରେ ଯୋଗିଆର ଘର ପାଉଁଶ ହେଲା । ଟଙ୍କା ଅଜବାକୁ ଯୋଗିଆ ଚାଲିଲା ରାଙ୍ଗାମ ।

ଟଙ୍କା ଅଜିଲା । ରାଙ୍ଗାମରେ ଥାଇ ମାସକୁ ଦଶ ଟଙ୍କା କରି ରତନୀ ନାମରେ ପଠାଏ । ରତନୀ ଟଙ୍କା ପାଇ ଖୁଡ଼ୀ ହାତକୁ ବଢ଼େଇଦିଏ ।

ମାସ ଚାରିଟା ନ ପୂରୁଣୁ ଖବର ମିଳିଲା ବ୍ରହ୍ମଦେଶକୁ ଜାପାନ ଦଖଲ କଲା । ବ୍ରହ୍ମଦେଶ କିଏ, ଆଉ ଜାପାନ କିଏ ରତନୀ ବୁଝିଲା ନାହିଁ । କେତେ ଲୋକ ଯେଉଁମାନେ ଫେରିଲେ ସେମାନେ ତାର ଖବର ଦେଇପାରିଲେ ନାହିଁ ।

ଆଶା ଅଛି ଦିନେ ସେ ଫେରିବ ।

ଅନଉଁ ଅନଉଁ ଦି ବର୍ଷ କଟିଗଲା, ଯୋଗିଆ ଫେରିଲା ନାହିଁ । ହେଲେ, ତା ସାଙ୍ଗରେ ଯେଉଁମାନେ ଯାଇଥିଲେ କିଏ କେବେ ଫେରିଲେ । ସେମାନଙ୍କର ତ ପୁଣି ଫେରିବାର ଆଶା ନ ଥିଲା ।

ଖୁଡ଼ୀ କହିଲା, ଆଉ ଗୋଟାଏ ପାତ୍ର କୋଉଁଠୁ ଦେଖି ରତନୀକୁ ଦୁତିଅ କରିଦେ ।

ଦାଦି କହିଲା, ହଁ ସେଇଆ କରିବା ।

ରତନୀ କହିଲା, କାହିଁକି ଖୁଡ଼ୀ, ଭଲମନ୍ଦ ଜଣାଶୁଣା ନାହିଁ, ମୁଁ କାହିଁକି ଆଉ କାହା ଘରକୁ ଯିବି ?

ସେଦିନ ତାଙ୍କ ଘରେ ଝଟାପଟା କଜିଆ । ଖୁଡ଼ୀର ଇଚ୍ଛା ରତନୀ କୁଆଡ଼େ ଯାଉ । ଦାଦିର ଇଚ୍ଛା ରତନୀ କିଛିଦିନ ଘରେ ରହୁ । ଦାଦି ମନକଥା ତା ମନରେ ଥାଏ । ଖୁଡ଼ୀ ଯାହା କହେ ଦାଦି ମୁଣ୍ଡ ଟୁଙ୍ଗାରେ । ଖୁଡ଼ୀଟା ରାହାବଳୀ । ରତନୀକୁ କେତେ କଥା କହି ଝିଙ୍ଗାସିଲା । ଛାଞ୍ଚୁଣୀ ଧରି ମାଡ଼ ମାରିଲା । କହିଲା, ସବାଖାଈ, ବାପ ରଖିଯାଇଛି କି ଗିଳିବୁ ? ଘଇତା ପଠେଇଲା ଟଙ୍କା କେଇଟା ଯେ କେବଠୁଁ ସେତକ ତୋ ପେଟରେ ପଡ଼ି ଭସ୍ମ ହେଲାଣି ।

ରତନୀ ଜବାବ ଦେଲା ନାହିଁ । ଗାଳିମାଡ଼ ସହିଲା । କାନ୍ଦିଲା ନାହିଁ । ହାଉଡ଼ା ଭାଇଟା ପାଖରେ ଠିଆ ହୋଇ ବଲ ବଲ କରି ଚାହିଁ ରହିଥାଏ ।

ରତନୀ ବି ମୂଲ ଲାଗିଲା । ପରଘରେ ପାଇଟି, କ୍ଷେତ କାମ । ଯାହା ଆଣେ ଖୁଡ଼ୀକି ଦିଏ, ତେବେ ବି ଖୁଡ଼ୀ ସନ୍ତୋଷ ହୁଏ ନାହିଁ । କୁକୁରକୁ ଅଇଁଠା ଭାତ ଦେଲା ପରି ରତନୀ ଆଗରେ ଭାତ ମୁଠାଏ କୁଢ଼େଇଦିଏ । କେବେ କେମିତି ଭାତ ନ ଦେଇ ପାରି ତୋରାଣୀ ମନ୍ଦାଏ ଦିଏ । ପେଟକୁ ଦେହକୁ ଦୁଃଖ ଦେଇ ସେ ପଇସା ସଞ୍ଚି ରଖେ ।

ରତନୀ କିଛି କହେ ନାହିଁ । କେବେ ଯୋଗିଆ ଫେରିବ ସେଇ କଥା ଭାବୁଥାଏ । ତା ବର ଯୋଗିଆ ତାକୁ କେଡ଼େ ଭଲ ପାଏ । ପେଟ ପାଇଁ କାହିଁ କେଉଁ ଦୂର ରାଇଜକୁ ଯାଇଛି । ଭେଣ୍ଡିଆ, ଟଙ୍କା ଗଛ, କେଉଁଠି ଅଟକିଥିବ, ଯୁଦ୍ଧବେଳ, ପ୍ରାଣବିକଳେ କେତେ ଲୋକ କେଉଁଠି ଲୁଚି ଛପି ରହିଯାଇଛନ୍ତି । ଜଣ ଜଣ ହୋଇ ଫେରୁଛନ୍ତି । କେତେ କଥା କହୁଛନ୍ତି ।

ରତନୀ ଆଶା କରିଚି, ତାର ଯୋଗିଆ ଅବଶ୍ୟ ଫେରିବ । ସେ ଠାକୁରଙ୍କୁ ଡାକେ । ଦେବାଦେବୀ ପାଖରେ ମାନସିକ କରିଚି । ମନକଥା ମନରା ଥାଏ ।

ଗାଁ ମୁଣ୍ଡରେ ଛୋଟ ଡାକବଙ୍ଗଳା । ଦି ବଖରା ଘର । ବଙ୍ଗଳା ପଛକୁ ରୋଷଘର ବଖରାଟିଏ, ପଦାଘର ବଖରାଏ । ରୋଷଘର କଡ଼କୁ ଟିକିଏ ଦୂରରେ ପକ୍‌କା କୂଅ ।

ବଡ଼ ହତା, ରାସ୍ତାକୁ ବୋଲି ଲାଗିଛି । ହତା ଭିତରେ କେତେ ଜାତି ବଣୁଆ ଗଛ । ବଙ୍ଗଳା ପଛରେ ବୁଦିବୁଦିକା ଜଙ୍ଗଲ । ସେଇ ଜଙ୍ଗଲଟା ଦୂରକୁ ଘୁଞ୍ଚି ହୋଇ ମାଳ ରାଇଜରେ ମିଶିଯାଇଛି ।

ପଛପାଖ ବାରଣ୍ଡାରେ ବସି ଦୂରକୁ ଚାହିଁଲେ ଢେଉଢ଼େଉକା ପାହାଡ଼ମାଳ କେଡ଼େ ସୁନ୍ଦର ଦିଶେ । ଖରାଦିନେ ପାହାଡ଼ମାନଙ୍କରେ ନିଆଁ ଲାଗିଲେ ଅନ୍ଧାର ରାତିରେ ଦୂରକୁ ଦିଶେ ମନୋରମ, ସତେ କି ରୋଷନୀ ଜଳୁଛି ।

ବଙ୍ଗଳା ଆଗ ରାସ୍ତା ଉପରେ ନିତି ଛୁଟେ ବସ୍, ସକାଳ ଆଠଟାରେ ପୁଣି ଦୁଇପ୍ରହର ଦୁଇଟାରେ । ବସ୍ ଦୁଇଟା ଫେରେ ସକାଳ ଏଗାରଟା ପୁଣି ସଞ୍ଜ ପାଞ୍ଚଟାରେ । ବସ୍ ପହଞ୍ଚିଲେ ରାସ୍ତା ଉପରେ ଦଶ ପନ୍ଦର ମିନିଟ୍ ଯାଏ ଗହଳଚହଳ ହୁଏ । ତାପରେ ସବୁ ଶୁନ୍‌ଶାନ୍ ।

କେବେ କେମିତି କେହି କେହି ବଙ୍ଗଳାରେ ରହିବାକୁ ଯାଆନ୍ତି । ବଙ୍ଗଳା ଆଗରେ ପୋତା ହୋଇଥିବା ବାଉଁଶ ଅଗରେ ତ୍ରିରଙ୍ଗା ପତାକା ଫରଫର ଉଡ଼ୁଥାଏ ।

ରେଡ଼ିକା ଘରର ପୁଅ ବୁଧିଆ, ତାର ବାପ ମା କି ଗାଁ ନାଁ କେହି ଜାଣନ୍ତି ନାହିଁ । ପାଞ୍ଚବର୍ଷ ତଳେ ଚଉଦବର୍ଷର ଅନାଥପିଲା ବୁଧିଆ, ଦେହରେ ନେକୁଡ଼ି ଗୁଡ଼େଇ ହୋଇ ମାଗି ଖାଇବାକୁ ଏ ଗାଁକୁ ଆସିଥିଲା । କେଉଁଠି କଣ ଖାଏ, ରାତିରେ ବଙ୍ଗଳା ବସ୍‌ରୁ ଯେଉଁମାନେ ବଙ୍ଗଳା ଆଗରେ ଓହ୍ଲାନ୍ତି ତାଙ୍କର ବୋଝ ମୁଣ୍ଡେଇ ଠିକଣା ଜାଗାକୁ ନେଇଯାଏ । ଯିଏ ଯାହା ଦିଏ ଖୁସି ହୋଇ ଅଣ୍ଟାରେ ଖୋସେ । ଓଜର ଆପତ୍ତି କରେ ନାହିଁ ।

ଯେଉଁ ବାବୁମାନେ ବଙ୍ଗଳାରେ ରହନ୍ତି, ତାଙ୍କର ବାସନ ମାଜେ, ଘର ଓଳାଏ, ବୋଲହାକ କରେ । ଉପରେ ପଡ଼ି ଗୋଡ଼ ଘଷିଦିଏ । ବଙ୍ଗଳାରେ ବାବୁ ଥିବାଯାଏ ମାହାଳିଆ ଗଣ୍ଡେ ଖାଇବାକୁ ମିଳେ । ବାବୁ ବଙ୍ଗଳା ଛାଡ଼ିଗଲାବେଳେ ମନ ଖୁସିରେ ଦିଅଣା ଚାରଣା ଦେଇଯାଆନ୍ତି । ବୁଧିଆ ଖୁସିରେ ନିଏ, ସଞ୍ଚୟ କରି ରଖେ ।

କଳା ମିଚି ମିଚି ଟୋକା ସେ ବୁଧିଆ, ବେଳ ପାଇଲେ ଗାଁ ଲୋକଙ୍କର ପାଇଟି କରେ । ଯିଏ ଯାହା ଦିଏ ସେ ଆପତ୍ତି କରେ ନାହିଁ । ଅଣ୍ଟା ଗାଞ୍ଜିଆ ଭିତରେ ଗଳେଇଦିଏ । ବୁଧିଆକୁ ଗାଁ ଲୋକେ ପିଲା ମାଇପେ ସମସ୍ତେ ଜାଣନ୍ତି, ସମସ୍ତଙ୍କର ଧାରଣା, ସେ ନିହତ ଜଗି ଚଳେ ।

ଡାକବଙ୍ଗଳା ଚାଳରେ ଯେମିତି ଘରଚଟିଆ ବସା ବାନ୍ଧି ରହେ, ମଟର ଘର ଭିତରେ ଯେମିତି ରହେ ବଙ୍ଗଳାର କୁତୀ, ସେମିତି ବୁଧିଆ ବି ରହେ ପିଣ୍ଡାରେ । ସର୍ବସାଧାରଣ ଘର ଏ ଡାକବଙ୍ଗଳା, ସଭିଙ୍କର ଅଧିକାର, କେହି ବାରଣ କରେ ନାହିଁ ।

ବେଳେବେଳେ ହାକିମହୁକୁମା ଆସି ଦିନେ ଅଧେ ଡାକବଙ୍ଗଳାରେ ରହି ଯାଆନ୍ତି । କେବେ କେମିତି କେତେ ରାଇଜରୁ ଆସନ୍ତି ଯାତ୍ରୀ, ପିଲାଛୁଆ ସଙ୍ଗରେ ଧରି ।

ବଙ୍ଗଳା ପାଖରୁ ଦୁଇମାଇଲ ଦୂରରେ ଛୋଟ ଝରଣା, ବାରମାସ ପାଣି ରହେ । ଖରାଦିନେ ମଧ୍ୟ ଝିରିଝିରି ଝରୁଥାଏ । ପାଖ ପାହାଡ଼ ମଝିଖୋଲରୁ ବାହାରି ତଳକୁ ଗଡ଼ି ଆସିଛି । ଗୋଟିଏ ଥାନାରେ ପାଞ୍ଚହାତ ଉଚ୍ଚର ଜଳପ୍ରପାତ । ସେଇ ପାଖରୁ ପଚାଶହାତ ଦୂରରେ କେବକାଳର ପୁରୁଣା ଛୋଟ ମନ୍ଦିରଟିଏ । ମନ୍ଦିର ଭିତରେ ଶିବଲିଙ୍ଗ ।

ପ୍ରତ୍ୟକ୍ଷ ଦେବତା । ଡାକିଲେ ଜବାବ ଦେବେ । ମାଗିଲେ ଧନରତ୍ନ କି ପିଲାଝିଲା ସେ ଦିଅନ୍ତି ନାହିଁ । ଯାହାକୁ ଧବଳ କୁଷ୍ଠ ସେ ଯଦି ଝରଣାରେ ଗାଧୋଇ ଝରଣାରୁ ପାଣି ଆଣି ଲିଙ୍ଗ ଉପରେ ଢାଳି ଗୁହାରି କରେ, ମହାଦେବଙ୍କର ଦୟା ହେଲେ ତାର ରୋଗ ବରଷକ ଭିତରେ ଭଲ ହୋଇଯାଏ । ଯେଉଁ ପିଲାର ତୁଣ୍ଡ ନ ଫିଟେ, ଯେ ଚାଲି ନ ପାରେ, ତାର ମା ପିଲାକୁ ଝରଣା ପାଣିରେ ଗାଧୋଇ ଦେଇ ଲିଙ୍ଗ ଉପରେ ପାଣି ଢାଳିଲେ ବର୍ଷକ ଭିତରେ ପିଲା କଥା କହେ, ଚାଲେ ।

ଶିବଙ୍କ ପାଖରେ ଜାତିଭେଦ କି ଧର୍ମଭେଦ ନଥାଏ । ପଣ୍ଡା ପୂଜାରୀ ଦରକାର ପଡ଼ନ୍ତି ନାହିଁ । ସେ ସମସ୍ତଙ୍କର ପୂଜା ଗ୍ରହଣ କରନ୍ତି । ଖୁସିହୋଇ ବର ଦିଅନ୍ତି ।

ମନ୍ଦିର ପାଖରୁ ଚାରିଶ ହାତ ଦୂରରେ ପାହାଡ଼ ଦେହରେ ଖୋଳା ହୋଇଛି ଗୁମ୍ପା, ଅବିକଳ ଖଣ୍ଡଗିରି ଗୁମ୍ପା ପରି । ସେଇ ଗୁମ୍ପାର ଗୋଟିଏ କାନ୍ଥରେ ପାଲି ଭାଷାରେ କେତେ ଧାଡ଼ି କଅଣ ଲେଖା ହୋଇଛି ।

ହାକିମହୁକୁମା କି ଜିଲାବୋର୍ଡ଼ ମେମ୍ବରଙ୍କୁ ଛାଡ଼ି ଯେଉଁମାନେ ବଙ୍ଗଳାରେ ଦିନେ ଦୁଇଦିନ ରହନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ଆସିଥାନ୍ତି ମହାଦେବ ଦର୍ଶନ ପାଇଁ । କେବେ କେମିତି ଜଣେ ଜଣେ ସେ ଗୁମ୍ପା ଲିପି ଦେଖିବାକୁ ଆସନ୍ତି ।

ବୁଧିଆକୁ ଯିଏ ଡାକେ ସେ ତାଙ୍କ ସଙ୍ଗରେ ଯାଏ ।

ଦୁଇବର୍ଷ ତଳେ ଜଣେ ହାକିମ ବୁଧିଆ ଉପରେ ଖୁସି ହୋଇ ଥିଲେ, ଆଉ ତାଙ୍କରି ସୁପାରିସରେ ବୁଢ଼ା ଚଉକିଆ ଜାଗାରେ ବୁଧିଆ ହେଲା ବଙ୍ଗଳାର ଚଉକି । ଯେଉଁ ବଙ୍ଗଳାର ପିଣ୍ଡାରେ ତିନିବର୍ଷ କାଳ ସେ କଟାଇଥିଲା, ଶେଷରେ ପୁଣି ସେଇ ବଙ୍ଗଳାର ସେ ହେଲା ସର୍ବେସର୍ବା ।

ବୁଧିଆ ମାସକୁ ମାସ ଆଠଟଙ୍କା ଦରମା ପାଇଲା । ହେଲେ ବି ମୁଣ୍ଡରେ ବୋଝ ବୋହିବା ପାଇଟି କି ବାବୁଭାୟାଙ୍କର ଗୋଡ଼ ଘଷିବା, ବାସନକୁସନ ମାଜିବା କାମ ସେ ଛାଡ଼ିଲା ନାହିଁ ।

ଆହୁରି ଦୁଇବର୍ଷ ବି କଟିଗଲା ।

ଜୀବନବାବୁ କଟକ କଲେଜରେ ଇତିହାସର ଲେକ୍‌ଚରର । ଧନୀ ଘରର ପୁଅ । ଇତିହାସ ଗବେଷଣା ଜୀବନର ବ୍ରତ କରିଛନ୍ତି । ଭଲ ଛାତ୍ର ସେ ଥିଲେ । ଦୁଇବର୍ଷ ତଳେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ପ୍ରଥମସ୍ଥାନ ଅଧିକାର କରି ସେ ଉତ୍ତୀର୍ଣ୍ଣ ହୋଇଥିଲେ । ସେଥିପାଇଁ ସଙ୍ଗେ ସଙ୍ଗେ ସେ କଟକ କଲେଜରେ ଶିକ୍ଷକ ନିଯୁକ୍ତ ହୋଇଥିଲେ । ଭଲ ଶିକ୍ଷକ ବୋଲି ଛାତ୍ରସମାଜରେ ତାଙ୍କର ନାମ ଥିଲା ।

ଜୀବନବାବୁ ସୁନ୍ଦର, ବଳିଷ୍ଠ, ଶାନ୍ତଶିଷ୍ଟ, ଅଳ୍ପଭାଷୀ । ବୃଥାରେ ସମୟ ନଷ୍ଟ କରିବାକୁ ଘୃଣା କରନ୍ତି । ସେଥିପାଇଁ ସବୁବେଳେ ପଢ଼ାରେ ମନ ଢାଳି ଦେଇଥାନ୍ତି । କଲେଜ ପତ୍ରିକାରେ କେତେ ଗବେଷଣାପୂର୍ଣ୍ଣ ପ୍ରବନ୍ଧ ପ୍ରକାଶ କଲେଣି, ତଥାପି ରିସର୍ଚ୍ଚ ଚାଲିଛି । ଅକ୍ଳାନ୍ତ ପରିଶ୍ରମୀ ।

ଏ ଭିତରେ ତାଙ୍କର ମନ ଟିକିଏ ଚଞ୍ଚଳ ହୋଇଉଠିଛି । ହାତକ ଦିହାତ କରି ଦେବାକୁ ତାଙ୍କର ବୃଦ୍ଧ ପିତା ଜିଗର୍ ଧରିଲେଣି । ବିବାହ କଥା ସେ ଆଜିଯାଏ ଭାବି ନ ଥିଲେ । ଲେଖାପଢ଼ାର ଭାବନା ଭିତରେ ତରୁଣ ମନରେ ଉଦ୍ଦାମ ସୋହାଗ ଆତ୍ମଗୋପନ କରିଥିଲା । ଛାତ୍ରଜୀବନରେ, ଆଉ ଏ ଶିକ୍ଷକ ଜୀବନରେ, କେତେ ଝିଅଙ୍କର ସେ ସମ୍ପର୍କରେ ଆସିଛନ୍ତି, କିନ୍ତୁ କାହାରି କଥା ସେ କେବେ ମନରେ ସ୍ଥାନଦେଇ ନାହାନ୍ତି ।

ବାପାଙ୍କର ଅନୁରୋଧ, ତା ପରେ କେତେ ବନ୍ଧୁଙ୍କର ଚିଠି, ଚିଠି ସଙ୍ଗରେ ଫଟୋ, ହସ୍ତାକ୍ଷରର ନମୁନା; ଏ ସବୁ ତାଙ୍କର ଅଟଳ ମନକୁ ଟଳମଳ କରିଥିଲା । ବିବାହ ତ କରିବାକୁ ହେବ, ନିଜର ଇଚ୍ଛା ନ ଥିଲେ ମଧ୍ୟ ବାପାଙ୍କୁ ସନ୍ତୁଷ୍ଟ କରିବାକୁ, କିନ୍ତୁ କାହାକୁ ? ମନ ଓ ଆଖି ଦିହେଁ ଖୋଜନ୍ତି । ପାଟଣା କି ବନାରସରେ ଯେଉଁମାନେ ସଙ୍ଗରେ ପଢ଼ୁଥିଲେ, କଲେଜରେ ଯେଉଁମାନେ ପଢ଼ୁଛନ୍ତି, ସମସ୍ତେ ଆଖି ଆଗକୁ ଆସନ୍ତି ।

ସମସ୍ତେ ଦିଶନ୍ତି ସୁନ୍ଦର, ସମସ୍ତେ ଭଲ । ଯେଉଁ ଝିଅଟି ବାସନ ମାଜି ଯାଏ, ଯିଏ ମୁଣ୍ଡରେ ମାଟି ବୋଝ ଧରି ଚାଲିଯାଏ, ସମସ୍ତେ ସୁନ୍ଦର । ସମସ୍ତେ ଭଲ । ବାପାଙ୍କୁ ମତାମତ କଅଣ ଲେଖିବେ ଜୀବନ ବାବୁ ? ଚାରିମାସକାଳ ଭାବି ଶେଷକୁ ଉତ୍ତର ଦେଲେ, ମତେ କଣ ପଚାରିଛନ୍ତି, ଲୋକ ଚିହ୍ନିବାର ଶକ୍ତି ମୋର ନାହିଁ; ଆପଣଙ୍କର ଯେଉଁଠି ଇଚ୍ଛା ଜବାବ ଦିଅନ୍ତୁ । ମୁଁ ଅବାଧ୍ୟ ନୁହେଁ ।

କୁମାର ପୁନେଇଁ ଚାରିଦିନ ଥାଏ–

ଅଶୋକଙ୍କର ଶିଳାଲିପି ପଢ଼ିବାକୁ ବୁଢ଼ା ଚାକର ମଦନାକୁ ସଙ୍ଗରେ ଧରି ଜୀବନ ବାବୁ ବୁଧିଆକୁ ବଙ୍ଗଳାରେ ପହଞ୍ଚିଲେ । କେଡ଼େ ଆଗ୍ରହରେ ବୁଧିଆ ତାଙ୍କର ଜିନିଷପତ୍ର ମୁଣ୍ଡରେ ନେଇ ବଙ୍ଗଳାର ଗୋଟିଏ କୋଠରୀରେ ସଜାଡ଼ି ରଖିଲା । ତିନି ସପ୍ତାହ ପରେ ବଙ୍ଗଳାରେ ରହିବାକୁ ଜଣେ ଭଲ ବାବୁ ଆସିଛନ୍ତି; ଆନନ୍ଦର କଥା । ବୁଧିଆର ଗୋଡ଼ ତଳେ ଲାଗୁନାହିଁ । ତୁଣ୍ଡରୁ କଥା ନ ବାହାରୁଣୁ ସେ ପାଇଟି କରୁଛି ।

ସଙ୍ଗରେ ବୁଧିଆକୁ ଧରି ଜୀବନବାବୁ ସକାଳୁ ବାହାରି ପଡ଼ିଥିଲେ, ଶିବ ମନ୍ଦିର, ଶିଳାଲିପି ଓ ପୁରୁଣା ଗୁମ୍ପା ଦେଖିବେ । ହାତରେ କ୍ୟାମେରା ଥିଲା । ବଙ୍ଗଳାକୁ ଫେରିଲାବେଳକୁ ସମୟ ପ୍ରାୟ ଦଶଟା । ବାରଣ୍ଡାରେ ଚଉକି ପକାଇ ଟେବୁଲ ଉପରେ କାଗଜପତ୍ର ଘାଣ୍ଟି କଣ ସବୁ ଲେଖିବାକୁ ଆରମ୍ଭ କରିଥିଲେ ।

ଅଛୁଁଆ ଘରର ଝିଅବୋହୂ କେଇଜଣ ତାଙ୍କର କଡ଼ରେ କୂଅ ପାଖକୁ ଗଲେ । ଜୀବନ ମୁହଁ ଟେକି ଥରଟିଏ ଚାହିଁଥିଲେ । ପୁଣି ମନଦେଲେ ଲେଖାପଢ଼ିରେ । କୂଅ ଆଡ଼ୁ ହସ ଶୁଭିଲା । କଡ଼େଇ ଚାହିଁଲେ । ସାନ ସାନ ଝିଅ ଦିଓଟି ମୁଣ୍ଡରେ ଛୋଟ ଛୋଟ ମାଠିଆ ଧରି ଆଗରେ ଚାଲିଛନ୍ତି । ତାଙ୍କ ପଛରେ ଯୁବତୀ ଝିଅ, ମୁଣ୍ଡରେ ମାଠିଆ କାଖରେ ମାଠିଆ । ସେ ତଳକୁ ମୁହଁ ପୋତିଲେ ।

ଛବିଟି ମନ ଭିତରେ ଛଟପଟ ହେଲା । ସୁନ୍ଦର । କେଡ଼େ ଭଲ ସ୍ୱାସ୍ଥ୍ୟ । ଗୋରା ତକ୍‌ତକ୍ । ପୂରିଲା ପୂରିଲା ମୁହଁ । ଆଖି ଦିଓଟି ଆଉ ଭ୍ରୂଲତା ଦିଓଟି ତୁଳିରେ ଆଙ୍କିଲା ପରି । କଳା ମାଠିଆର ପେଟରେ ଗୁଡ଼େଇ ହୋଇଛି ବାହୁଲତାଟି, ଧୋବ ଫରଫର । ଦୋହଲ ଚାଳି । ସରୁ ସରୁ ରଙ୍ଗିଲା ଓଠରୁ ସତେ କି ହସ ଝରିପଡ଼ୁଛି ।

ଜୀବନ ବାବୁଙ୍କର ଡାଆଣା ମନ ପର ଝିଅର ରୂପସମ୍ଭାର ଦେଖି ଡହଳ ବିକଳ ହେଲା-। ଆଖି ଛଟପଟ ହେଲା ଆହୁରି ଥରେ ଚାହିଁବାକୁ । ପାପପୁଣ୍ୟର ଜଗୁଆଳି ପୁରୁଣା ସଂସ୍କୃତି ଦେଖାଇଲା ନାଲିଆଖି । ପାଖରେ କେହି ନାହିଁ ଧାରଣା ତରୁଣର ସରାଗକୁ ଉତ୍ତେଜିତ କଲା । ଜୀବନ ମୁଣ୍ଡ ଟେକି କିଛି ନ ଜାଣିଲା ପରି କଣେଇ ଚାହିଁଲେ ।

ପିଲା ଝିଅ ଦିଓଟି ଚାଲିଛନ୍ତି ଆଗେ ଆଗେ । ପଛରେ ଯୁବତୀ ଝିଅ । ପାଖରେ ଚାଲି ଯାଉଛି; ମଇଳା ସାତଚିରା ଲୁଗା ଜଳିଲା ଯୌବନଶ୍ରୀମଣ୍ଡିତ ଦେହକୁ ଘୋଡ଼ାଇ ପାରୁନାହିଁ । ଚମର ଚହଟ ତାରୁଣ୍ୟକୁ ଛଟପଟ କରୁଛି । ସୁନ୍ଦର ସତେ ! ଝଅଟି କଣେଇ ଚାହିଁଲା । ଲାଜ ଓ ଭୟରେ ପୁଣି ଆଖି ଫେରାଇଲା । ଦୃଷ୍ଟି ଆବୋରି ରହିଲା ସେଇ ଚଳନ୍ତି ପ୍ରତିମାର ରୂପ-ପସରାକୁ । ଦୃଷ୍ଟିରେ ଲାଳସା, ଆତ୍ମାରେ ହତାଶା ।

ବଙ୍ଗଳାର କାନ୍ଥ କଡ଼ରେ ରୂପର ଢେଉ ଛପିଗଲା ।

ରୂପରେ ଢେଉ ଲହଡ଼ି ଭାଙ୍ଗିଲା ଜୀବନ ବାବୁଙ୍କର ଛାତି ତଳେ । କିଛି ନ ଜାଣିଲା ପରି ସଭ୍ୟ ଶିକ୍ଷିତ ଧନୀର ପୁଅ କଲେଜରେ ଅଧ୍ୟାପକ ଜୀବନକିଶୋର; କେହିନାହିଁ ପାଖରେ ଛଳନା କରି ବାଆଁରେଇ ହୋଇ ଉଠିଲେ, କୋଠା କଡ଼ରେ ଠିଆ ହୋଇ ଚାହିଁଲେ । ଆଗ ଝିଅ ଦୁଇଟା ରାସ୍ତା ଉପରକୁ ଉଠିଲେଣି । ଯୁବତୀଟି ଠିଆ ହୋଇ ବଙ୍ଗଳାର ଚଉକିଦାର ଟୋକା ସଙ୍ଗେ କଣ କଥାଭାଷା ହେଉଛି । ଚଉକିଦାରର ନିଘା ପଡ଼ିଲା କି କଣ, ଝିଅଟିକୁ କଣ କହିଲା ପରା, ମୁଣ୍ଡ ବୁଲାଇ ସେ ପଛକୁ ଚାହିଁଲା । ମୁହୂର୍ତ୍ତେ ଚାହିଁ ଦୃଷ୍ଟି ଫେରାଇ ସେ ଆଗକୁ ଚାଲିଲା, ରାସ୍ତା ଉପରକୁ-

ଟେବୁଲ ପାଖକୁ ଜୀବନ ଫେରିଆସିଲେ ।

ଜୀବନ ଆଶ୍ଚର୍ଯ୍ୟ ହେଲେ । ଛାତ୍ର ଜୀବନରେ ଅନେକ ସହପାଠୀ ବନ୍ଧୁଙ୍କ ସଂପର୍କରେ ସେ ଆସିଛନ୍ତି । ସମସ୍ତେ ଶିକ୍ଷିତା, ଆଧୁନିକା । ସମସ୍ତଙ୍କ ସଙ୍ଗେ ଭାବର ଆଦାନପ୍ରଦାନ, ହସଖୁସି, ପାଖାପାଖି । ଆଉ, ଅଧ୍ୟାପକ ଜୀବନରେ କେତେ ଛାତ୍ରୀଙ୍କୁ ସେ ଦେଖିଛନ୍ତି, ଦେଖୁଛନ୍ତି । ଆହୁରି ମଧ୍ୟ କେତେ ବନ୍ଧୁବାନ୍ଧବଙ୍କ ସଙ୍ଗେ ମିଶିଛନ୍ତି । ଯେତେ ଝିଅଙ୍କୁ ସେ ଚିହ୍ନନ୍ତି, ସେମାନଙ୍କ ଭିତରୁ ହୁଏତ ଅନେକେ ଏହି ଅପରିଚିତ ଝିଅଟି ଅପେକ୍ଷା ବେଶି ସୁନ୍ଦର; ତଥାପି ସେ ତ କେବେ ଉତ୍ତେଜିତ ହୋଇ ନ ଥିଲେ, ତାଙ୍କର ମନର ସରାଗ ଏପରି ଚହଲି ଉଠି ନ ଥିଲା !

କାହିଁକି ଏପରି ହେଲା ? ନିର୍ଜନତା, ନିଃସହାୟତା, ଦାରିଦ୍ର୍ୟ, ନଗ୍ନତା ? କାହିଁକି ? ଅନୁତାପ କରିବାକୁ ଇଚ୍ଛା ହେଲା । ସଭ୍ୟତା ଓ ସଂସ୍କୃତି ଦୁଇ କାନରେ ରଡ଼ି ଛାଡ଼ିଲେ, ଅନ୍ୟାୟ, ଅନୀତି ! ଯାଉ, ଭସାମେଘରେ ଚହଲା ମନରେ ଗୋଟାଏ ଅଦିନିଆଁ ଧାରଣା ଭାସିଯାଉ ।

କଲମ ଟେକି ଲେଖିବାକୁ ଆରମ୍ଭ କଲେ ।

ଚଉକିଆ ଆସି କାନ୍ଥକୁ ଆଉଜି ଠିଆ ହେଲା ।

ଜୀବନ ପଚାରିଲେ, କଅଣରେ ବୁଧିଆ ।

ସକାଳେ ବୁଧିଆ ସାଙ୍ଗରେ ମନ୍ଦିରକୁ ଗଲାବେଳେ ଉପରେ ପଡ଼ି ସେ ତା ଜୀବନକୁ ସବୁ ଘଟଣା ତାଙ୍କୁ କହିଥିଲା । ଜୀବନ ତାକୁ ମିଠା କଥା ଦୁଇଚାରି ପଦରେ ସହାନୁଭୂତି ଦେଖାଇଥିଲେ ।

ବୁଧିଆ କହିଲା, ଆପଣ କହୁଥିଲେ, ଆଜି ଫେରିଯିବେ ପରା ? ଦୁଇଟାବେଳେ ଗାଡ଼ି ଆସିବ । ସେଇଆ କହିବାକୁ ଆସିଛି ।

ଦୁଇଟାବେଳେ, ଓଃ, ଅନେକ ଡେରି ଅଛି ତ ।

ଆଜ୍ଞା ହଁ ।

କେତେ କଅଣ ପଚାରିବାକୁ ଇଚ୍ଛା ହେଉଥିଲା, କଥାଗୁଡ଼ାକ ସତେ କି ତଣ୍ଟିରେ ଅଟକିଗଲା । ବୁଧିଆ ପିଣ୍ଡା ଉପରୁ ତଳକୁ ଓହ୍ଲେଇଲା ।

ଜୀବନ ଡାକିଲେ, ବୁଧିଆ–

ଆଜ୍ଞା–

ବୁଧିଆ ତଳେ ଠିଆହୋଇ ରହିଲା ।

ତୁ ବଡ଼ ଗରିବ, ନାଇଁ ରେ ?

ହଁ ଆଜ୍ଞା । ମୋର ଘର ନାହିଁ, ଜମିବାଡ଼ି ନାହିଁ, ମୋର କେହି ନାହାନ୍ତି । ଆପଣମାନଙ୍କ ସେବା କରି ଅଇଁଠା ଖାଇ ବେଳ କଟିଯାଉଛି । ଏଇଆ ମୋର ଭଲ ।

ନାଇଁରେ, କେଉଁଠୁ ଗୋଟିଏ ଭଲ ଝିଅଦେଖି ବାହା ହୋଇପଡ଼ । ତୋର ବୟସ ତ ହେଲାଣି, ଚାକିରୀ କରୁଛୁ, ପଇସା କମଉଛୁ । ସୁଖରେ ରହିବୁ ।

ବୁଧିଆର କଳା ମିଚି ମିଚି ମୁହଁରେ ଧୋବ ଫରଫର ଦାନ୍ତ ଝୁଟକି ଉଠିଲା । ତା ଭଲମନ୍ଦ କଥା ଆଉ କେଉଁ ଗଲାଆଇଲା ବାବୁ ପଚାରି ନ ଥିଲେ । ଆଉ ବାବୁମାନେ ମିଛରେ ରଗ ରଗ ହୁଅନ୍ତି, ହାକିମାତି ଦେଖାନ୍ତି । ଏ ବାବୁଟି ଭଲ ।

ତୁନି ରହିଲୁ ଯେ–

ଦାନ୍ତ ନିକୁଟି ବୁଧିଆ କହିଲା, ମୁଁ ଗରିବ ପିଲାଟା ଆଜ୍ଞା– ।

ସେଇଥିପାଇଁ କହୁଛି, ଗରିବ ଘରର ଝିଅଟିକୁ ବାହା ହୋଇପଡ଼ । ଭଲ ହେବ । ସେ ଯେଉଁ ଝିଅଟି ସଙ୍ଗରେ କଥା କହୁଥିଲୁ, ଭଲ ଝିଅଟିଏ ତ ସେ, ଗରିବ ପିଲା ପରି ଦିଶୁଛି ।

ବୁଧିଆ କହିଲା, ଖଦାଳଘର ଝିଅ ସେ ଆଜ୍ଞା, କେଉଁ ଗାଁରେ ବାହା ହୋଇଛି ଯେ ତା ବର କେତେ ବରଷ ହେଲାଣି ରଙ୍ଗାମ ଯାଇଛି । କିଏ କହୁଛି ମଲାଣି, କିଏ କହୁଛି ବଞ୍ଚିଛି । ରତନୀ ତାକୁ ଅନେଇଁ ବସିଛି । ଉପାସଭୋକ୍ ପୁଣି ଖୁଡ଼ୀର ଗାଳିମାଡ଼ ସହି ଖାଲି ଠାକୁରଙ୍କୁ ଡାକୁଛି, କେବେ ତା ବର ଯୋଗିଆ ଫେରିବ । ବଞ୍ଚଛି ଯେ ଫେରିବ !

ଜୀବନ ପଚାରିଲେ, ବାପ ମା ନାହାନ୍ତି କି ?

ନାଇଁ, ରତନୀ ମତେ କହୁଥିଲା, କାଲି ରାତିରୁ ସେ ଖାଇ ନାହିଁ । ସକାଳୁ ତା ଖୁଡ଼ୀ ତାକୁ ପିଟିଛି, ଖଦିପଟା ଦେଇ ନାହିଁ । ଦିନ ଦିପହର ଖରାରେ ପଠେଇ ଦଉଛି କାମକୁ । କହିଲା, ଦବୁକିରେ ବୁଧିଆ ଭାଇ ଗଣ୍ଡେ ଭାତ ? ମୁଁ କହିଲି, ଯାଉନୁ ବାବୁକୁ ମାଗିବୁ ହାତେ ଜିଭ କାମୁଡ଼ି ପକେଇଲା ଆଜ୍ଞା, କହିଲା, କୋଉ ଗାଁର କୋଉ ବାବୁ, ମୁଁ କାଇଁକି ତାଙ୍କୁ ମାଗିବି ବା ? ପଛକୁ ଚାହିଁଦେଇ ଛୁ କଲା ।

ଜୀବନ ବୁଧିଆ ମୁହଁକୁ ନିରେଖିଲେ । କଣ ଭାବି ପଚାରିଲେ, ରତନୀକୁ ତୁ ଭାରି ଭଲପାଉ ନାଇଁରେ ବୁଧିଆ ?

ଜୀବନ ହସିଲେ ।

ଗମ୍ଭୀର ମୁହଁରେ ବୁଧିଆ କହିଲା, ଭଲ କଣ ମନ୍ଦ କଣ ସାଆନ୍ତେ, ତାକୁ ଯିଏ ଦେଖିଲେ ଦୟା ପାଏ । ଯେତେବେଳେ ତା ଖୁଡ଼ୀ ତା ପିଠିରେ ବିଧା ଗୋଇଠା ଅଜାଡ଼ିଦିଏ, ଗୋରୁ ଚରିଯିବ ସାଆନ୍ତେ, ଦେଖିଲା ଲୋକର ଆଖି ବୁଜିହୋଇ ପଡ଼ିବ । ପଦେ କିଏ ମୁହଁ ଖୋଲିବ ନା ? ରାହାବାଳୀ ଖୁଡ଼ୀ ତାର ସପ୍ତପୁରୁଷ ଉଝାଳି ଦେବ ନାହିଁ ? ଯିଏ ଦେଖେ, ଆହା ଆହା କହି ବାଟେ ବାଟେ ଯାଏ । ଯେଉଁଦିନ ଆପଣଙ୍କ ପରି ବାବୁ କେହି ଆସି ଏ ବଙ୍ଗଳାରେ ରହନ୍ତି, ରତନୀ ଡାହାଣୀଙ୍କ ପରି ମତେ ଗଣ୍ଡେ ଭାତ ମାଗେ । କେବେ କେମିତି ମୁଠାଏ ଖାଏ । କାମ କରେ ଆଜ୍ଞା, ବାସନକୁସନ ମାଜେ, ବଳିଲା ଭାତପୁଞ୍ଜିଏ ଖାଏ ।

ଜୀବନ ସହାନୁଭୂତି ଦେଖାଇ କହିଲେ, ମଦନ ବୁଢ଼ାକୁ କହ, ଭାତ ଗଣ୍ଡେ ଯଦି ବଳିଥିବ ବିଚାରୀ ରତନୀକୁ ଦେବ ।

ବୁଧିଆ କହିଲା, ବୁଢ଼ା ଚାକର ଢୁଳଉଛି । ଭାତ ଗଣ୍ଡିଏ ହାଣ୍ଡିରେ ଥୋଇଦେଇଥିଲା । ଅଧେ ମୁଁ ଖାଇଲି, ଆଉ ଅଧେ ରତନୀ ଲାଗି ରଖିଦେଇଛି ଘୋଡ଼େଇ କରି । ସେ ଖାଇବ, ହାଣ୍ଡି ମାଜି ରଖିଦେଇ ଯିବ ।

ଜୀବନ କହିଲେ, ତୋ ନାମଟି ବୁଧିଆ, ତୁ ସତରେ ଏକା ବୁଦ୍ଧିଆ ।

ଗରିବ ପିଲାଟେ ଆଜ୍ଞା ।

ଗରିବ ହ ପଛେ, ଭଲ ପିଲାଟେ ତୁ ।

ବୁଧିଆର ମନ କୁଣ୍ଢେ ମୋଟ ହେଲା । କେତେ ବାବୁ ଆସନ୍ତି ଯାଆନ୍ତି, ଏମିତି ପରର ସୁଖଦୁଃଖ କଥା କେହି ପଚାରନ୍ତି ନାହିଁ । ସାହସ ପାଇ ବୁଧିଆ କହିଲା, ଆପଣଙ୍କ ଚାକର ବୁଢ଼ା କହୁଛି, ଚାଲ ବୁଧିଆ ମହାଦେବ ଦେଖିଆସିବା । ମୁଁ କହିଲି, ତୁମେ ତ ବୁଢ଼ା ଲୋକ, ଚାଲି ପାରିବ ନାହିଁ । ଫେରୁ ଫେରୁ ଡେରି ହେଲେ ମଟର ଫିଟିଯିବ । ସତେ କଣ ତମେ ଆଜି ପଳେଇବ ବାବୁ-? ଚାଲି ଚାଲି ଏତେ ବାଟ ଗଲ ଆଇଲ, ଥକି ଯାଇଥିବ, ତମେ ଆଜି ଥାଅ, କାଲି ଯିବ । ବୁଢ଼ା ଠାକୁର ଦେଖିବାକୁ ମନ କରିଛି । ଦେଖି ଆସୁ । ପ୍ରତ୍ୟକ୍ଷ ଦେବତା, ଭକ୍ତିରେ ପାଣି ମନ୍ଦିଏ ମୁଣ୍ଡରେ ଢାଳିଲେ ରୋଗଣା ମଣିଷ ଭଲ ହୁଏ, ନ ଚଳିଲା ପିଲା ଚାଲବୁଲ କରେ, ବୋକା କଥା କହେ ।

ଜୀବନ କହି ଆସୁଥିଲେ, ନାଇଁ, ରହିବେ ନାହିଁ, ମନର କଥା ଜିଭ ଆଗରେ ଅଟକିଲା । ବଙ୍ଗଳାର କାନ୍ଥ କଡ଼ରୁ ବାହାରିପଡ଼ିଲା ରତନୀ, କାଖରେ ମାଠିଆ । ଜୀବନଙ୍କର ଦୃଷ୍ଟିରେ ମିଶିଲା ରତନୀର କଣୁଆଁ ଦୃଷ୍ଟି । ଦୃଷ୍ଟି ଫେରିଲା । ପୁଣି ଥରେ ଯେତେବେଳେ ଜୀବନ ଚାହିଁଲେ, ଦେଖିଲେ, କିଛି ନ ଦେଖିଲା ପରି କିଛି ନ ଜାଣିଲା ପରି ରତନୀ ଆଡ଼େଇ ହୋଇ କୂଅ ମୂଳକୁ ଚାଲି ଯାଉଛି । ଅଷ୍ଟଚିରା ଦରମଇଳା ଲୁଗାକୁ ଟାଣି ଓଟାରି ସାରାଦେହକୁ ଘୋଡ଼ାଇବାକୁ ଚେଷ୍ଟା କରୁଣୁ ଠାଏ ଠାଏ ଫୁଙ୍ଗୁଳା ହେଉଛି । ଧୋବ ଫର୍ ଫର୍ ହାତ, ଗୋଡ଼ ଓ ପିଠିରୁ ଫାଳେ ଖରା ତେଜରେ ଉକୁଟି ଉଠୁଛି ।

ବୁଧିଆ କହିଲା, ଏଇ ତ ରତନୀ, କେତେଦିନ ବଞ୍ଚିବୁ ଲୋ ଟୋକୀ !

ରତନୀ କଣେଇ ଚାହିଁଲା ବୁଧିଆକୁ । ଓଠରେ ଖେଳିଲା ହସ । ପଛୁଆଣି ଖରାରେ ମୁଣ୍ଡ ଉପରର ଫୁର୍ ଫୁର୍ ବାଳ ଚିକ୍ ଚିକ୍ ଦିଶୁଛି ।

ଜୀବନ କହିଲେ, ଡାକ୍ ତାକୁ ବୁଧିଆ ।

ବୁଧିଆ ଡାକିଲା, ହେ ରତନୀ, ଶୁଣେ ।

ରତନୀ କୂଅ ମୂଳରେ ମାଠିଆ ରଖିଲା । ଚିରାଲୁଗାରେ ଦେହ ଘୋଡ଼ାଇ ଚାରିଆଡ଼କୁ ଅନେଇଲା । କହିଲା, କଣରେ ବୁଧିଆ ?

ଆଲୋ, ଶୁଣି ଯା ।

କାହିଁକି ବା ?

ବାବୁ ତତେ ଡାକୁଛନ୍ତି ।

ଜୀବନଙ୍କର ଦେହକୁ ଗୋଟାଏ ନିଆଁ ଖସିପଡ଼ିଲା । ବୁଧିଆ ପାଖରେ ମଧ୍ୟ ନିଜେ ଲଜରା ହୋଇ ଟେବୁଲ ଉପରେ କାଗଜ ଓଲଟେଇବାର ଛଳନା କଲେ ।

କଣ କହୁନୁ ରେ ।

ମଲା, ତତେ କିଏ ମାରୁଛି କି ? ଆସୁନୁ ଏଠିକି ।

ରତନୀ ଯେପରି କଣ ଭାବିଲା । କୂଅ ଚାନ୍ଦିନୀ ଉପରୁ ତଳକୁ ଓହ୍ଲାଇ ବୁଧିଆ ଆଡ଼କୁ ଆସୁ ଆସୁ କହିଲା, କଣ କହ, ମୋର ଉଛୁର ହେବ ।

ଜୀବନ ଏକ ଆଖିରେ ଚାହିଁ ରହିଲେ ।

ବୁଧିଆ କହିଲା, ସେ ଘରେ ପିତଳ ହାଣ୍ଡିରେ ଭାତ ତିଅଣ ଅଛି , ଖାଇବୁ । ବାସନକୁସନ ସଫାକରି ମାଜି ଦେଇ ଯିବୁ । ମୁଁ ଯାଉଛି ମହେଦେବ ପାଖକୁ ।

ଜୀବନଙ୍କର ଜଳିଲା ଜଳିଲା ଲୋଭିଲା ଆଖିକୁ ଚାହିଁ ରତନୀ ଦୃଷ୍ଟି ଫେରାଇ କହିଲା, ହଉ ।

ଅଟକ ରହିଲା ।

କଣ ପଚାରିବେ ସେହି କତା ଜୀବନ ବିଚାର କରୁଛନ୍ତି, ଅନଭ୍ୟସ୍ତ ତୁଣ୍ଡକୁ କଥା ଆସୁନାହିଁ । ଛାତି ଭିତରେ ଚମକ ଲାଗୁଛି, କିନ୍ତୁ ମନରେ ଆଗ୍ରହ, ପ୍ରାଣରେ ଉଦ୍ମାଦନା, ରକ୍ତରେ ନିଆଁ , ଆଖିରେ ଶୋଷ ।

ରତନୀ କୂଅ ମୂଳକୁ ଫେରିଗଲା ଜୀବନ କିଛି ପଚାର ପାରିଲେ ନାହିଁ । ବୁଢ଼ା ମଦନ ସେ ଘରୁ ବାହାରି ଆସିଲା । ପଚାରିଲା, ବିଛଣାପତ୍ର ବନ୍ଧାବନ୍ଧି କରିବି ବାବୁ ? କେତେବେଳେ ଗାଡ଼ି ଆସିବ ?

ଜୀବନ ତୁଣ୍ଡ ଖୋଲିଲେ, ଚାଲି ଚାଲି କ୍ଳାନ୍ତ ଲାଗୁଛିରେ ମଦନ, ଆଜି ଦିନଟା ଏଠାରେ ରହିଯିବା । କାଲି ସକାଳୁ ବାହାରି ପଡ଼ିବା । ବୁଧିଆ କହୁଛି, ଶିବ ମନ୍ଦିରକୁ ଯିବାକୁ ତୁ ତାକୁ କହୁଥିଲୁ । ଯା ଘେରାଟାଏ ବୁଲିଆ । ବୁଧିଆକୁ ସଙ୍ଗରେ ନେଇଯା । ସଞ୍ଜ ଆଗରୁ ଫେରି ଆସିବ, ଜଙ୍ଗଲ ଜାଗା ବିପଦ ଆପଦ ।

ବୁଢ଼ା ମଦନ ଖୁସି ହେଲା । କହିଲା, ତମେ ଟିକିଏ ଶୋଇପଡ଼, ସବୁବେଳେ କାଗଜ ଓଲଟେଇଲେ ଦେହ ଭଲ ରହିବ ନାହିଁ । ମୁଁ ବିଛଣା ପାରିଦେଇଛି ।

ବାଧ୍ୟ ଶିଶୁଟି ପରି ଜୀବନ ଉଠିଲେ ।

ଦେହରେ କ୍ଳାନ୍ତି ବୁଡ଼ିଗଲା ମନର ଉତ୍ତେଜନାର । ଏକୁଟିଆ ଜାଗାରେ ଏକୁଟିଆ ବଙ୍ଗଳା, ବଙ୍ଗଳା ଭିତରେ ଏକା ସେ, ଜୀବନ । ଉଚ୍ଚ ଶିକ୍ଷିତ, ଅତି ଆଧୁନିକ, ସଭ୍ୟ ଦୁନିଆଁରେ ସେ ବଡ଼ ମଣିଷ ହେବେ, ନାମ କରିବେ, କେତେ ନୂଆ ତଥ୍ୟ ବାହାର କରି ଲୋକସମାଜରେ ଆଦୃତ ହେବେ । ଗଣମାନ୍ୟ ଲୋକ ବୋଲି ସମ୍ମାନ ପାଇବେ । ଏଡ଼େ ଉଚ୍ଚ ଆଦର୍ଶ ଧରି ଯେ କାର୍ଯ୍ୟରେ ବ୍ରତୀ ହୋଇଥିଲେ, ସେ ଆଜି ପଲଙ୍କ ଉପରେ ଛଟପଟ ହେଉଛନ୍ତି କାହିଁକି, ସେ ଜୀବନ ! ଖଟରୁ ଉଠି ପଦାକୁ ଆସୁଛନ୍ତି, କୂଅ ପାଖ କଅଁଳ ସବୁଜ ଘାସ ଉପରେ ବାସନ ମାଜୁଛି ଯେଉଁ ଅଛୁଆଁ ଅସନା ଖଦାଳ ଝିଅଟି, ତାରି ଆଡ଼କୁ ଚାହିଁ ଦୀର୍ଘଶ୍ୱାସ ଛାଡ଼ୁଛନ୍ତି ।

ମନର ସବୁ ବିତର୍କକୁ ପଛକୁ ପକାଇ ଇଚ୍ଛା କରୁଛନ୍ତି, ଯିବେ ପାଖକୁ, ପଚାରିବେ କେତେ କଥା ? ଚମକି ଉଠୁଛି ଛାତି, ଥରିଉଠୁଛି ପାଦ । ମନେ ହେଉଛି, କିଏ ଯେପରି ପଛରୁ ଚାହିଁଛି, ହସୁଛି, ପଚାରୁଛି କଣ କରୁଛ ?

ଜୀବନ ଫେର ଆସୁଛନ୍ତି ଘର ଭିତରକୁ । ଖଟ ଉପରେ ଶୋଇ ଭାବୁଛନ୍ତି, ଛି ଛି, ନା, ସେ ରତନୀ କଥା ଭାବିବେ ନାହିଁ । ଅନୀତି । ଅପକୀର୍ତ୍ତି । ସେ ସଭ୍ୟ, ସେ ଶିକ୍ଷିତ, ଭଦ୍ର । ସେ ବିବେକୀ ।

ଖବରକାଗଜ ଆଣି ପଢ଼ି ବସୁଛନ୍ତି । ପଅତି ଧାଡ଼ିରେ ରତନୀର ଫୁଙ୍ଗୁଳା ଦେହ, ଉଜ୍ଜ୍ୱଳ ଆଖି, ତୁଳିରେ ଅଙ୍କା ଭୂଲତା; ତାର ସ୍ୱାସ୍ଥ୍ୟ, ରୂପ, ଭଙ୍ଗୀ, ପଚାରିଲା ପଚାରିଲା ଭାବ ! ପ୍ରତି ଶବ୍ଦରେ, ତାର କଥା କେଇ ପଦ, ପୁଣି ବାସନମଜା ଝଣଝଣ । ଆହା, ରତନୀ ଯଦି ଭଲ କୁଳରେ ଜନ୍ମିଥାନ୍ତା ! ଯଦି ଅଳ୍ପ ଟିକିଏ ପଢ଼ିଥାନ୍ତା । ହେଉ ପଛେ ସେ ଗରିବ, ନିରାଶ୍ରୟା, ହେଉ ପଛେ ସେ ବାପମା ଛେଉଣ୍ଡ !

ଉପାୟ ନାହିଁ । ଜୀବନଙ୍କର ସହକର୍ମିଣୀ ବା ସହଧର୍ମିଣୀ ହେବାର ଉପଯୁକ୍ତ ସେ ନୁହେଁ-

ବାହାରେ ଖରା । ବେଶି ଗରମ ହେଉନାହିଁ । ଜୀବନ ଝରକା କବାଟ ବନ୍ଦ କଲେ । ଘର ଅନ୍ଧାର କଲେ । ଏଥର ସେ ଶୋଇବେ । କାହିଁକି ମଦନକୁ ଯିବାକୁ କହିଲେ ? ଯେଉଁଥିପାଇଁ ସେ ଆସିଥିଲେ ସେତକ ସେ ଶେଷ କରିଛନ୍ତି । ଗୁମ୍ପା ଓ ପାଲିଭାଷାରେ ଲେଖା ହୋଇଥିବା ଲିପିର ଫଟୋ ଉଠାଇଛନ୍ତି । ଡେରି କରି ଲାଭ କଣ ? ଦିନଟିଏ ରହିବାର କି ଦରକାର ଥିଲା ?

ଘର ବାହାରେ ମଧ୍ୟାହ୍ନର ଆଲୋକ । ଘରଭିତରେ ଅନ୍ଧାର, ନିର୍ଜନତା । ଅନ୍ଧାର ଭିତରେ ସଭ୍ୟତା ଓ ସଂସ୍କୃତି ଲୋପ ହୁଅନ୍ତି । ମଣିଷର ଆଦିମ ପ୍ରକୃତି ମୁଣ୍ଡ ଟେକେ । ନିରୋଳା, ନିର୍ଜନ ପରିସ୍ଥିତିରେ ମନର ପଶୁ ବଳିଷ୍ଠ ହୁଏ, ବୋବାଳି ଛାଡ଼େ । ସଭ୍ୟତାର ଆଭରଣ ସମାଜ ପାଇଁ । ସଂସ୍କୃତିର ବନ୍ଧନ ସମାଜ ପାଇଁ । ପାପ ଓ ପୁଣ୍ୟର ଭେଦ ସମାଜ ପାଇଁ । ଯେଉଁଠି ସମାଜ ନାହିଁ, ସମାଜର ମଣିଷ ଯେଉଁଠି ଦୂରରେ, ଦୃଷ୍ଟିର ବାହାରେ, ସେଇଠି ମଣିଷ ଆଦିମ, ଜଙ୍ଗଲର ଜୀବ ।

କବାଟର ଫାଙ୍କାବାଟେ ଆଲୁଅ କାନ୍ଥରେ ପଡ଼ୁଛି । ରୋଷଘରର ଓଲଟ ଛାଇ କାନ୍ଥ ଉପରେ ଦିଶୁଛି । ତାଆରି ଛାଇ ଆଗରେ ମଣିଷର ଚଳନ୍ତି ଛାଇ, ଗୋଡ଼ ଉପରକୁ ମୁଣ୍ଡ ତଳକୁ କରି ଚାଲି ଯାଉଁ ଯାଉଁ ଅଟକିଗଲା । ଜୀବନ ଉଠି ବସିଲେ, ମୁହୂର୍ତ୍ତକ ଭିତରେ କେତେ ଭାବନା ମୁଣ୍ଡ ଭିତରୁ କୁଆଡ଼େ ଉଭେଇଗଲା । ସେ କବାଟ ଖୋଲିଲେ ।

ପିଣ୍ଡାତଳ ଛାଇରେ ରତନୀ ଠିଆ ହୋଇଛି ।

ଜୀବନ ପଦାକୁ ଗଲେ । ପଚାରିଲେ, କଣ ଲୋ ?

ରତନୀ ଦୃଷ୍ଟି ନୁଆଇଁ କହିଲା, ବାସନ କେଉଁଠି ରଖିବି ? କେହି ତ ନାହିଁ, ସେ ଘରେ ରଖିଯିବ କେମିତି ? କିଏ ଚୋରେଇ ନେବ–

ଜୀବନ କହିଲେ, ଏଇ ଘରେ ରଖି ଦେଇ ଯା ।

ରତନୀ ବାସନ ଆଣିବାକୁ କୂଅମୂଳକୁ ଗଲା । ଜୀବନ ଘର ଭିତରକୁ ଆସି ଅପେକ୍ଷା କରି ରହିଲେ ।

ରତନୀ ବାସନ ଥୋଇଲା କାନ୍ଥ କଡ଼ରେ ।

ଜୀବନ ପଚାରିଲେ, ଖଦାଳଘର ଝିଅ ତୁ ରତନୀ ?

ରତନୀ କହିଲା, ହଁ ।

ବୁଧିଆ ତୋ କଥା ମତେ କହୁଥିଲା । ଆହା, ଏତେ ଦୁଃଖରେ ତୁ ଅଛୁ ? ତୋର ଖୁଡ଼ୀ ତତେ ଏତେ ଦୁଃଖକଷ୍ଟ ଦେଉଛି ? ସବୁ ଟଙ୍କା ତୋର ନେଲା, ତତେ ମୁଠାଏ ଖାଇବାକୁ ଦେଉନାହିଁ କି ପିନ୍ଧିବାକୁ ଦେଉନାହିଁ ?

ରତନୀ ତୁନିହୋଇ ଶୁଣିଲା, ଉତ୍ତର ଦେଲା ନାହିଁ ।

ଜୀବନ କହିଲେ, ସେ ଆଜି ତତେ ମାରିଛି ?

ରତନୀ କହିଲା, ସେ ସବୁଦିନେ ମତେ ମାରେ ।

ଜୀବନ ଆଉ କିଛି କହିବା ଆଗରୁ ରତନୀ ଘରଭିତରୁ ପଦାକୁ ବାହାରିଗଲା । ସନ୍ଦେହଭରା ଚାହାଣୀରେ ଜୀବନଙ୍କୁ ଅନେଇ ସେ ପିଣ୍ଡାରୁ ଓହ୍ଲେଇଲା ତଳକୁ । ଜୀବନ ଟଙ୍କାବ୍ୟାଗରୁ ଗୋଟିଏ ଟଙ୍କା କାଢ଼ି କହିଲେ, ନେଇ ଯା– ।

ନେବ କି ନ ନେବ ରତନୀ ମୋଟେ ଭାବିଲା ନାହିଁ । ପୁଣି ଘର ଭିତରକୁ ଆସି ଜୀବନଙ୍କ ପାଖରେ ହାତ ପାତିଲା । ଜୀବନ ରତନୀର ଗୋଟିଏ ହାତ ଧରି ଆର ହାତରେ ଗୋଟିଏ ଟଙ୍କା ଦେଲେ ।

ପଚାରିଲେ, ଆଉ ନେବୁ ?

ରତନୀର ହାତ ଥରିବାକୁ ଲାଗିଲା । କହିଲା, ଦିଅ ବାବୁ ମୁଁ ଖଣ୍ଡେ ଜାମା କିଣିବି ।

ଜୀବନ ଆହୁରି ଗୋଟିଏ ଟଙ୍କା ତା ହାତରେ ଦେଲେ । ତାଙ୍କର ସାରା ଶରୀର ଥରିବାକୁ ଲାଗିଲା । ମୁଣ୍ଡ ଭ୍ରମିବାକୁ ଲାଗିଲା । ଲାଳସାଜର୍ଜର ମନରେ ଜଣେ ତରୁଣୀକୁ ଅତି ପାଖରେ ଧରି ଅଟକାଇ ରଖିବାର ଆଜି ତାଙ୍କର ପ୍ରଥମ ଅଭିଜ୍ଞତା । ଥରିଲା ସ୍ୱରରେ ପଚାରିଲେ, ଆଉ ?

ରତନୀ ଉତ୍ତର ଦେଲା, ଦିଅ ବାବୁ, ମୁଁ ଗରିବଟା, ଖଣ୍ଡେ ଲୁଗା କିଣିବି ।

ଜୀବନ ବ୍ୟାଗଟି ତା ହାତରେ ଅଜାଡ଼ି ଦେଲେ । ଦଶଟଙ୍କା !

ରତନୀ କାବା ହୋଇ ଚାହିଁ ରହିଲା ଟଙ୍କାକୁ ।

ଜୀବନ ତାର ହାତ ଛାଡ଼ିଦେଇ କହିଲ, ଏଥର ତୁ ଯା ।

ରତନୀ ଡରି ଡରି ପଚାରିଲା, ଏତେ ଟଙ୍କା କାହିଁକି ଦେଉଛ ?

ଜୀବନଙ୍କର ବିବେକ ଓ ଭୟ ତାଙ୍କର ଅରଣା ଉତ୍ତେଜନାକୁ ଅଟକାଇ ରଖିଲା । ମୁଣ୍ଡ ସ୍ଥିର ହେଲା । ସେ ଧୀରେ ଧୀରେ କହିଲେ, ତୁ ଗରିବ ବୋଲି ଦେଉଛି । ନେ– ।

ଏତେ ଟଙ୍କା କଣ କରିବି ବାବୁ ?

ଜୀବନ ଦୀର୍ଘଶ୍ୱାସ ଛାଡ଼ି ହସି ହସି ରତନୀର ପିଠି ଆଉଁସି, ତାର ବାହୁ ଧରି ଖଟ ପାଖକୁ ଘୁଞ୍ଚାଇ ଆଣିଲେ । ତାଙ୍କର ଡହଳ ବିକଳ ଓଲେଇ ପ୍ରକୃତିକୁ ନାଲି ଆଖି ଦେଖାଇ ଶିକ୍ଷକପଣର ବିବେକ ଓ ଧନଦଉଲତର ବଡ଼ପଣିଆ ଶାସନ କଲା, କେତେ ଛାତ୍ରୀ ସେ ଦେଖିଛନ୍ତି, ରତନୀ ପିଲାଟାଏ ତ ସେଇଥିରୁ ଜଣେ । ପୁଣି ସେ ଅତି ଗରିବ, ଅନାଥା, ସ୍ନେହ ସହାନୁଭୂତି ପାଇବାକୁ ସେ ହକ୍‌ଦାର । କହିଲେ, ଲୁଗା କିଣିବୁ, ଯାହା ବଳିବ ପାଖରେ ରଖିବୁ ।

ରତନୀର ଆଖିରେ କୃତଜ୍ଞତାର ଲୋତକ ଭରିଲା । ପଣନ୍ତରେ ଟଙ୍କାତକ ବାନ୍ଧି ଗଣ୍ଠି ପକେଇ ସେ ନାହି ମୁଣ୍ଡାରେ ଖୋସିଲା । କୃତଜ୍ଞାତାପୂର୍ଣ୍ଣ ଆଖିରେ ଜୀବନକୁ ଚାହିଁଲା, ବିଦାୟ ନେବାକୁ ମାଗୁଣି କଲା ।

ଜୀବନ ତାର ଲୁହଭରା ଆଖିକୁ ଚାହିଁଲେ । ଅରଣା ମନରୁ ତାଙ୍କର ଭୟ ବିବେକର ଫାଶ ହୁଗୁଳି ଆସିଲା । ରକତରେ ନିଆଁର ପ୍ରବାହ ଛୁଟିଲା । ପଶୁ ଦେହରେ ଭୋକ ଗରଜି ଉଠିଲା-। ସେ ପୁଣି ରତନୀର ଥରିଲା ହାତ ଧରିଲେ । ଧୀରେ, ଅତି ଧୀରେ, ସେ ତାକୁ ପାଖକୁ ପାଖକୁ ଘୁଞ୍ଚାଇନେଲେ ।

ରତନୀ କାବା ହୋଇ ଚାହିଁ ରହିଲା ଜୀବନଙ୍କର ମୁହଁକୁ । ସେ ବୁଝିପାରିଲା ନାହିଁ, ଅଜଣା ଅଶୁଣା ଦିନିକିଆ ବାବୁଟିର ହାତର ପରଶରେ ତାର ଦେହ ଥରିଉଠିଲା କାହିଁକି ? ଲୋମମୁଳ ଟାଙ୍କୋରି ଉଠିଲା କାହିଁକି । ରକ୍ତ କାହିଁକି ଗରମ ହୋଇ ଉଠିଲା ? ସେ ତାକୁ ଅତି ପାଖକୁ ଘୁଞ୍ଚାଇ ନେଉଣୁ, କାହିଁକି ତାର ଥରିଲା ଥରିଲା ଝାଳୁଆ ମୁଣ୍ଡଟି ତାଙ୍କର ଛାତି ଉପରକୁ ଆଉଜିପଡ଼ିଲା ? ଦଶ ଦିଗ ଅନ୍ଧାର ଦିଶିଲା ? ଆପେ ଆପେ ଆଖି ଦିଓଟି ନିମୀଳିତ ହେଲା ।

ମଦନ ଓ ବୁଧିଆ ଫେରିଲେ ସହଳ ସହଳ, ସାଙ୍ଗେ ସାଙ୍ଗେ ବସ୍ ଆସି ପହଞ୍ଚିଲା। ଜୀବନ କହିଲେ ମଦନକୁ, ଏଇ ଗାଡ଼ିରେ ଚାଲିଯିବା । ବିଛଣାପତ୍ର ମୁଁ ବାନ୍ଧି ରଖିଛି । ଗାଡ଼ି ପାଖକୁ ବୋହିନିଅ ।

ନିଜକୁ ସେ ଅପରାଧୀ ମଣିଛନ୍ତି । ମୁହୂର୍ତ୍ତେ ଏହି ବଙ୍ଗଳାରେ ରହିବାକୁ ଆଉ ତାଙ୍କର ମନ ହେଉନାହିଁ । ମନେ ହେଉଛି, ଦୁନିଆର ସମସ୍ତେ ଯେପରି ଆଖି ରଙ୍ଗ କରି, ଗାଳି ଦେଲା ପରି, ତାଙ୍କ ମୁହଁକୁ କଟମଟ କରି ଅନେଇଁଛନ୍ତି । ଏଇ ଯେଉଁ ଗଛ ବୃକ୍ଷ, ସେଇ ଯେଉଁ ଦୂରର ପାହାଡ଼, ଶିବମନ୍ଦିର, ଶିଳାଲିପି ସମସ୍ତେ । ବଙ୍ଗଳା ଚାଳରେ ଯେଉଁ ଘରଚଟିଆ ବସାକରି ରହିଛନ୍ତି, ସେମାନେ ବି ମୁହଁକୁ ଚାହିଁ ବୋବାଳି ଛାଡ଼ିଛନ୍ତି । ରୋଷଇଘର ଛାଇତଳେ ଯେଉଁ ବୁଲା କୁକୁର କେଇଟି ଶୋଇ ଧକଉଛନ୍ତି, ସେମାନେ ବି ଚାହିଁଛନ୍ତି କଟମଟ କରି ।

ଦଶଟି ଟଙ୍କା, କେଡ଼େ ଆନନ୍ଦରେ ସେଇ ଖଦାଳ ଝିଅଟି କାନିରେ ବାନ୍ଧିଲା !

ବସ୍ ଚାଲିଲା ।

ଜୀବନ ଦୀର୍ଘଶ୍ୱାସ ଛାଡ଼ି ମୁଣ୍ଡ ବଙ୍କେଇ ପଛକୁ ଅନେଇଲେ । ବଙ୍ଗଳା ହତା ଭିତରକୁ ଝିଅଟିଏ କାଖରେ ମାଠିଆ ଧରି ପଶି ଯାଉଁଣୁ ବୁଧିଆକୁ କଣ କହିଲା । ବୁଧିଆ ହାତ ବଢ଼େଇ ଚଳନ୍ତି ମଟର ଗାଡ଼ିକୁ ଦେଖାଇଦେଲା । ଝିଅଟି ମୁହଁ ବୁଲେଇ ଚାହିଁଲା । ରତନୀ ! ଜୀବନଙ୍କ ଛାତିରେ ଛନକା ପଶିଲା । ମଟର ଭିତରକୁ ମୁହଁ ଟାଣିନେଲେ । ଆଉ ପଦାକୁ ଚାହିଁବାକୁ ସାହସ ହେଲା ନାହିଁ ।

ବସ୍‌ ଛୁଟିଲା ।

ସବୁ ଅଦୃଶ୍ୟ ହେଲା ।

କାହିଁ କେତେ ଦୂରରେ, ନିରୋଳା ଗୋଟିଏ ଡ଼ାକବଙ୍ଗଳାର ପ୍ରକୋଷ୍ଠରେ, ତରୁଣର ତାରୁଣ୍ୟ କେବେ ଉଛୁଳି ପଡ଼ିଥିଲା, ମଣିଷ ଭିତରର ରାକ୍ଷସ କେବେ ଦେବତା ବେଶରେ ନିର୍ମଳ ଚନ୍ଦ୍ରକୁ ଗ୍ରାସ କରିଥିଲା, ସଭ୍ୟତା ସଂସ୍କୃତି କେବେ ଅତି ହୀନ, ନଗଣ୍ୟ ହରିଜନ ବାଳିକାର ରୂପର ଅନଳରେ ଝାସ ଦେଇଥିଲା, ସେ କଥା ସ୍ୱପ୍ନପରି ଜୀବନଙ୍କର ମନେ ଅଛି । ତାଙ୍କର ମନରେ କେବେ ଅନୁତାପ ଆସିନାହିଁ । ନିଜ ପାଖରେ ନିଜେ ସେ ଜବାବ ଦେଇଛନ୍ତି, ସେ କାହାରି ଧାରୁଆ ହୋଇ ରହିନାହାନ୍ତି !

ଜୀବନଙ୍କର ବିଭାଘର ସ୍ଥିର ହୋଇଛି । ଶିକ୍ଷିତା, ସୁନ୍ଦରୀ, ବଡ଼ ଘରର ଝିଅ । ଆଧୁନିକା-। ତାର ନାମ ସୁକୃତୀ । କେତେ ଫଟୋ ଦେଖି ସେ ନିଜେ ବାଛିଛନ୍ତି । ସୁକୃତୀ ତାଙ୍କର ଛାତ୍ରୀ ଥିଲା-। ଆଇ.ଏ. କ୍ଲାସରେ ପଢ଼ୁଥିଲା । ବୁଦ୍ଧିମତୀ, ଶାନ୍ତ ଶିଷ୍ଟ !

ବିଭାଘର ସରିଲା, ବନ୍ଧୁ ବାନ୍ଧବ ସମସ୍ତେ ସନ୍ତୁଷ୍ଟ ।

ବାସର ଘରେ–

ଯେତେବେଳେ ସୁକୃତୀର ଗୋଲାପୀ ଓଠରେ ଜୀବନ ଅଧର ଲଗାଇଲେ, ମୁଠୁଣିଏ ବହଳରେ ଶେଯ ଉପରେ, ବିଜୁଳି ପଙ୍ଖାରେ ପବନ ତଳେ, କେତେ ଜାତି ଫୁଲ, କେତେ ଜାତି ଅତରର ମହକରେ ସୁକୃତୀ ସରଗ-ସରାଗ ଚୁମ୍ବନରେ ନିଶାରେ ଆଖି ବୁଜିଲା, ଜୀବନଙ୍କର ଆଖି ଆଗରେ ଉଭା ହୋଇଥିଲା । ଛଅମାସ ତଳର ଗୋଟିଏ ଗରିବ ଖଦାଳ ଝିଅର ଛବି !

ଦଶଟଙ୍କା ଦେଇଥିଲେ, ସେ ଧାରୁଆ ନୁହନ୍ତି !

ଦଶଟଙ୍କା ସେ ନେଇଥିଲା । ମୂହୂର୍ତ୍ତେ ହେଉ ପଛେ କେଡ଼େ ବଡ଼ ଲୋକ ସେ, କେଉଁ ରାଇଜର କେଜାଣି, ରତନୀକୁ ଆଦର କରିଥିଲେ । ତାଙ୍କର ଛାତି ଉପରେ ମୁଣ୍ଡ ରଖି ସବୁ ଦୁଃଖ ଜଞ୍ଜାଳ ଭୁଲି ସରଗ–ସୁଖ ପାଇଲା ପରି ସେ ଆଖି ବୁଜିଥିଲା । ଜାଣି ନଥିଲା ତ, ଅପରିଚିତର ଆଦର ସ୍ନେହ ମନଭୁଲାଣିଆଁ ସୁଆଗରେ ଏତେ ଜଞ୍ଜାଳ ଥିଲା ବୋଲି ।

ସେଇ ନିରୋଳା ବଙ୍ଗଳାରୁ କେତେ ବାବୁ ଆସିଲେ ଗଲେ । ରତନୀ ପାଣି ପାଇଁ ଯିଏ ବାସନ ମାଜେ । ଅଇଁଠା ଭାତ ମୁଠିଏ ଖାଏ । ହସି ହସିକା ଏଣେ ତେଣେ ଚାହେଁ । କେହି କେବେ ତା ଉପରେ ତା ଉପରେ କଟାକ୍ଷ ପକାନ୍ତି ନାହିଁ, ପଦଟିଏ ମିଠା ବି କହନ୍ତି ନାହିଁ । ରତନୀ ମନମାରି ଫେରେ । ଝୁରିହୁଏ ସେଇ ଅଜଣା ବାବୁଟିକୁ !

ଦିନେ ପଚାରିଲା, ବୁଧିଆ ଭାଇ, ସେ ଯେଉଁ ବାବୁଟି ଆସିଥିଲେ, ସେ ଆଉ କେବେ ଆସିବେ ରେ ?

କୋଉ ବାବୁ ଲୋ, କେତେ ବାବୁ ତ ଆଉଛନ୍ତି ଯାଉଛନ୍ତି ?

ଯାହା ସଙ୍ଗରେ ତୁ ମନ୍ଦୀରକୁ ଯାଇଥିଲୁ ମ ।

ସମସ୍ତଙ୍କ ସଙ୍ଗେ ତ ମୁଁ ମନ୍ଦିରକୁ ଯାଏ ।

ରତନୀ ତୁନି ହେଲା ।

ବେଶୀ ଦିନ ତୁନି ରହିପାରିଲା ନାହିଁ । ଦିନେ ତାର ରାହାବାଳୀ ଖୁଡ଼ୀ କେତେ ଶରଧାରେ ତାକୁ ପାଖକୁ ଡ଼ାକି ପଚାରିଲା, ହଇଲୋ ପୋଡ଼ାମୁହିଁ ଟୋକି, କିଏ ତତେ ଏ ଦଶା ଦେଲା ବା ?

ରତନୀ କାବା କାବା ହୋଇ ଚାହିଁଲା ।

ତା ଗାଲରେ ମୁଥା ମାରି ଖୁଡ଼ୀ କହିଲା, ମରଣ ନାହିଁ ଲୋ ତତେ । ଆହା, ମଉନମୁହୀଁ କିଛି ଜାଣେ ନାହିଁ । ଘଇତାସୁଆଗୀ ହୋଇ ଚାହିଁ ବସିଥିଲୁ, ଘଇତା ତ ମଲା କି ହଜିଲା ଜଣା ନାହିଁ, କାହାର ପିଲା ପେଟରେ ପୂରେଇ ବସିଛୁ ବା ? ଏତେ ହଟହଟା ! ଗାଁରେ ସମସ୍ତେ ଜାଣିଲେଣି । କିଲୋ କହୁନୁ ?

ରତନୀ ଆଖିରୁ ଲୁହ ଝରିପଡ଼ିଲା । କଣ ସେ କହିବ ? ସେ ତ ଚିହ୍ନେ ନାହିଁ, ଜାଣେ ନାହିଁ, ତୁନି ରହିଲା ।

କଥା ଛପିଲା ନାହିଁ । ସମସ୍ତ ଜାଣିଲେ, ରତନୀର ପିଲା ହେବ । ଜାତିଭାଇ ତା ଦାଦିକୁ ଜାତିରୁ ଅଟକ କଲେ । ଦିନରାତି ଖୁଡ଼ୀର ପୁଣି ଗୋଗଚ୍ଛ ବାଡ଼ିଆ । ଘରେ ପୂରେଇ ଦିଏ ନାହିଁ । ଖାଇବାକୁ ଦିଏ ନାହିଁ । ଶେଷକୁ ଘରୁ ତଡ଼ିଦେଲା । ରତନୀ ଆସି ବାଟରେ ଠିଆହେଲା । ବିଚାରିଲା ଏତେ ହୀନିମାନ କାହିଁକି ? ଜୀବନ ହାରିଦେବ ।

ପେଟ ଭିତରେ କଣ ଗୋଟିଏ ବୁଲେ । କୂଅ ପୋଖରୀ କୂଳକୁ ଯାଇ ମଧ୍ୟ ଜୀବନ ହରାଇ ନାହିଁ । ମରିବାକୁ ମନ ହୁଏ ନାହିଁ । ବିଚାରେ, କାହିଁକି ସେ ମରିବ ? ତାର କି ଦୋଷ ? ସେ କଣ ଜାଣିଥିଲା ଯେ ଏତେ ସରି ହେବ ?

ଗାଁ ମାଇପେ ଟାହିଟାପରା କରନ୍ତି ।

ବଞ୍ଚି ରହିବାକୁ ବାର ଦୁଆରେ ହାତ ପାତେ । ଭିକ ମାଗେ କେହି କିଛି ନ ଦେଲେ ବଙ୍ଗଳାରୁ ଯାଏ । ଅଇଁଠା ଭାତ ଗଣ୍ଡିଏ କେବେ କେମିତି ମାଗି ଖାଏ । କେହି ନଥିଲେ ବୁଧିଆକୁ ମାଗେ ।

କହେ, ତୁଇ, ତୁଇ, ଛରତଖିଆ ମତେ ଏତେ ସରି କଲୁ ।

ବୁଧିଆ ତାକୁ ପଇସା ଦିଏ । ତୁନି ତୁନି କହେ, ପଳା ଯା ଏଠୁ, ପଳା କହୁଛି ।

ରତନରୀର ଆଖୀରୁ ଲୁହ ଝରେ । ସେ ପେରିଯାଏ ।

ରତନୀର ବର ଯୋଗିଆ ଫେରିଲା । ଚାରିଆଡ଼େ ଚହଳ ପଡ଼ିଗଲା । ସବୁକଥା ସେ ଶୁଣିଲା । ମୁହଁ ଚାହିଁଲା ନାହିଁ, ଫେରିଗଲା ।

ରତନୀର ପେଟରେ ଜୀବନଙ୍କର ଆତ୍ମାରୁ କଣିକାଏ ଧୀରେ ଧୀରେ ଅବତାର ଲଭିଲା-

ଜୀବନ ଜାଣିଲେ ନାହିଁ ।

ରତନୀ ଜାଣିଲା ।

ଜୀବନ ଓ ସୁକୃତୀ, ସଭ୍ୟ ସମାଜ ଭିତରେ ଚାରୋଟି ବର୍ଷ ସଂସାର କଲେଣି । ଅଭାବର ତାଡ଼ନା କେବେ ସହିନାହାନ୍ତି । ସୁଖରେ ରହନ୍ତି । ଦିହେଁ ଦିହିଙ୍କର କାୟା ପୁଣି ଛାୟା । ଦୁହିଁଙ୍କର ମନ ନିର୍ମଳ । କେହି କେବେ କାହାରିକୁ ସ୍ୱପ୍ନରେ ହେଲେ ସନ୍ଦେହ କରିନାହାନ୍ତି । ସନ୍ଦେହ କରିବାର ବା ଅଛି କଣ ? ଜଣକର ଶୁଖିଲା ମୁହଁ ଦେଖିଲେ ଅନ୍ୟର ପ୍ରାଣର ଆଘାତ ଲାଗେ । ଲୋକେ କହନ୍ତି, ଆଦର୍ଶ ତାଙ୍କର ଦାମ୍ପତ୍ୟ ଜୀବନ !

ଆନନ୍ଦ ଭିତରେ ଅଳକାର ଜନ୍ମ । ସ୍ୱର୍ଗର କୁସୁମ ପରି ସୁକୃତୀର କୋଳରେ ସେ ଶୋଭା ପାଇଲା । ସମସ୍ତଙ୍କର ଆନନ୍ଦ । ବାପ ମାଙ୍କର ଗର୍ବର ଧନ । କୁଲୁକୁଲିଆ ମୁହଁଟି, ହସିଲାବେଳେ କେଡ଼େ ଶୋଭା ଦିଶେ । ସେଇ ଶିଶୁର ହସ ଭିତରେ ହଜିଯାଏ ସୁକୃତୀର ଆତ୍ମା । ଶିଶୁକୁ ଗେଲ କରେ, ଛାତିରେ ଯାକେ, ସ୍ୱର୍ଗସୁଖ ଅନୁଭବ କରେ । ମାତୃତ୍ୱର ଗର୍ବର ଫୁଲିଉଠେ ଛାତି ।

ଜୀବନ, ଥରଟିଏ ଅଳକାର ମୁହଁକୁ ଚାହିଁଲେ ସବୁ କାମ ଭୁଲନ୍ତି । ଅଳକା ତାଙ୍କରି ଖେଳନା । ସେ ତାକୁ ସଂସାରକୁ ଆଣିଛନ୍ତି । ତାକୁ ମଣିଷ କରିବେ । ଅଳକା ବଡ଼ ହେବ, ପାଠ ପଢ଼ିବ । ଦେଶନେତ୍ରୀ ହେବ ଠିକ୍‌ ସରୋଜିନି ନାଇଡ଼ୁଙ୍କ ପରି, କିମ୍ବା ବିଜୟଲକ୍ଷ୍ମୀ ପଣ୍ଡିତଙ୍କ ପରି ଦେଶ ବିଦେଶରେ ନାମ କରିବ ।

ଅଳକାର ସୁନ୍ଦର ମୁହଁ ଟିକି ଟିକି ଉଜ୍ଜ୍ୱଳ ଆଖିକୁ ଚାହାନ୍ତି ଜୀବନ । ଶ୍ରୀମତୀ ରମାଦେବୀ, କୁନ୍ତଳାକୁମାରୀ, ମେରୀ କରୋଲି, ମାଡ଼ାମ କ୍ୟୁରି, ପାର୍ଲବକ୍‌ ସମସ୍ତେ ଏମିତି ଟିକି ପିଲା ହୋଇଥିଲେ । ଏମିତି ଜୁଳୁଜୁଳୁ ଚାହିଥିଲେ । କିଏ ଜାଣିଥିଲା, କାହା ଭିତରେ କେଉଁ ପ୍ରତିଭା ଗୋପନକରି ଭଗବାନ ରଖିଥିଲେ ! ଏଇ ଛୋଟ ପିଲାଟି ଅଳକା, କେଡ଼େ ବଡ଼ ସେ ସାହେବ କିଏ କହିବ ? ଜୀବନ ତାକୁ କୋଳକୁ ନିଅନ୍ତି, ଗେଲ କରନ୍ତି । ସୁକୃତୀ ଦେଖେ, ତାର ପ୍ରାଣ ପୁଲକି ଉଠେ, ସେ ହସେ ।

ଦୁଇବର୍ଷ କଟିଲା, ଅଳକା କଥା କହିଲା ନାହିଁ, ଚାଲିଲା ନାହିଁ । ଅଣ୍ଟା ତାର ଦମ୍ଭ ନୁହେଁ-। ବସେଇଦେଲେ ଢ଼ଳିପଡ଼େ । ଅଜା, ଆଈ, ବାପମା, ସମସ୍ତେ ଆତଙ୍କରେ ପଡ଼ିଲେ । ଆରମ୍ଭ ହେଲା ଚିକିତ୍ସା । କେତେ ଡ଼ାକ୍ତର କବିରାଜ ଆସିଲେ, ଔଷଧର ବ୍ୟବସ୍ଥା କଲେ । ଅନେକ ଟଙ୍କା ଖରଚ ହେଲା, ଅଳକା ଭଲ ହେଲା ନାହିଁ । ସ୍ୱାସ୍ଥ୍ୟ ସୁନ୍ଦର । ଜୁଳୁଜୁଳୁ କରି ଚାହେଁ । କଥା କହିଲେ ଶୁଣିପାରେ ନାହିଁ । ଚାଲିପାରେ ନାହିଁ । ଅଣ୍ଟା ପାଖରୁ ଟଳମଳ । ମନକୁ ହସେ । ଭୋକ କଲେ କାନ୍ଦେ ।

ଯିଏ ଥିଲା ଜୀବନଙ୍କର ଆନନ୍ଦ, ସେଇ ପୁଣି ଦେଲା ଏତେ ଦୁଃଖ ! ସୁକୃତୀର ମୁହଁରୁ ହସ ଲିଭାଇଲା, ଆଖିରେ ଲୁହ ଭରିଲା । ସୁକୃତୀ ଭଗବାନଙ୍କୁ ଡ଼ାକି ଜଣାଣ କଲା, ପିଲାଟି ଦେଲ ଯଦି ଏତେ ଦହଗଞ୍ଜ କଲ କାହିଁକି ? ଜୀବନ କାହାରି ଦୋଷ ଦିଅନ୍ତି ନାହିଁ । ଡ଼ାକ୍ତରମାନେ ଆଶା ଦେଉଛନ୍ତି, ଏମିତି କାହାରି କାହାରି ହୁଏ, ଭଲ ହୋଇଯିବ, ଧୈର୍ଯ୍ୟ ଧର ।

ଆହୁରି ଗୋଟିଏ ବର୍ଷ କଟିଲା । କୌଣସି ଉନ୍ନତି ଦେଖାଗଲା ନାହିଁ, ବରଂ ପିଲାଟା ଦିନୁଦିନ ଦୁର୍ବଳ ହେବାକୁ ଲାଗିଲା । ଛାତି ହାଡ଼ ଗଣିହେଲା, ଆଖି କୋରଡ଼ ହେଲା, ପେଟ ବାହାରିପଡ଼ିଲା ।

ଜୀବନ ଦୁଃଖିତ ହେଲେ । ସୁକୃତୀ ଘାଣ୍ଟି ହୋଇ କାନ୍ଦିଲା । ଡାକ୍ତରମାନେ ତଥାପି ଆଶା ଦେଉଥାନ୍ତି । ଜ୍ୟୋତିଷ କହନ୍ତି କହନ୍ତି, ଗ୍ରହ ଦୋଷ, ଆହୁରି ବର୍ଷେ ।

ଦିନେ ସୁକୃତୀ ପଚାରିଲା, ପିଲାଟା କଣ ମରିଯିବ ?

ଆଖିରୁ ତାର ଠକ୍‌ଠକ୍‌ ଝରିପଡ଼ିଲା ଲୁହ ।

ଜୀବନ କଲମକୁ କାଗଜ ଉପରେ ରଖି ସୁକୃତୀର ମୁହଁକୁ ଚାହିଁଲେ । ମୁହଁ ଗମ୍ଭୀର କରି କହିଲେ, ଚେଷ୍ଟାର ଅଭାବ ନାହିଁ । ଯାହା ତାର ଭାଗ୍ୟରେ ଥିବ, କାନ୍ଦୁଛ କାହିଁକି ?

ଆଖିରୁ ଲୁହ ପୋଛି ସୁକୃତୀର ମୁହଁକୁ ଚାହିଁଲେ । ମୁହଁ ଗମ୍ଭୀର କରି କହିଲେ, ଚେଷ୍ଟାର ଅଭାବ ନାହିଁ । ଯାହା ତାର ଭାଗ୍ୟରେ ଥିବ, କାନ୍ଦୁଛ କାହିଁକି ?

ଆଖିରୁ ଲୁହ ପୋଛି ସୁକୃତୀ କହିଲା, କାହିଁକି ଭଗବାନ ଏ ଦଣ୍ଡ ଦେଲେ ? ମୁଁ ତ କେବେ କାହାରି ଅନିଷ୍ଟ କରିନାହିଁ !

ଜୀବନ କହିଲେ, କେତେବେଳେ କଣ କାହିଁକି ହୁଏ କିଏ କହିପାରିବ ? ଯାହା ଘଟୁଛି ଧୈର୍ଯ୍ୟ ଧରି ସହିଯିବା ଭଲ ।

ସୁକୃତୀ ଉତ୍ତର ନ ଦେଇ ଚାଲିଗଲା ।

ଜୀବନ ଲେଖିବାକୁ କଲମ ଟେକିଲେ । ଲେଖି ହେଲା ନାହିଁ । ସୁକୃତୀର କଥା କେଇପଦ ମନରେ ଓଲଟ ପାଲଟ ହେଉଥାଏ । ସେ କଲମ ରଖି ଆର ଘରକୁ ଗଲେ । ଦେଖିଲେ, ପଲଙ୍କ ଉପରେ ପିଲାଟି ଶୋଇ ଜୁଳୁଜୁଳୁ କରି ବିଜୁଳି ଆଲୁଅକୁ ଚାହିଁ ରହିଛି । ସୁକୃତୀ ମୁଣ୍ଡରେ ହାତ ଦେଇ ତୁନି ହୋଇ ବସି ଅଳକାର ମୁହଁକୁ ଅନାଇଁ ରହିଚି ।

ଜୀବନ ପିଲାଟିକୁ ମୁହୁର୍ତ୍ତେ ଦେଖିଲେ । ବିଜୁଳି ପରି ଖେଳିଗଲା । ମନରେ ଭାବନା–ଗାଁ ମୁଣ୍ଡ ଡ଼ାକବଙ୍ଗଳା, ଡ଼ାକବଙ୍ଗଳା ପାଖରୁ ମାଇଲିଏ ବାଟ ଜଙ୍ଗଲ ମଝିରେ ଶିବ ମନ୍ଦିର ଝରଣା କୂଳରେ, ଝରଣାରେ ପିଲାଟିକୁ ଗାଧୋଇ ଦେଇ ଶିବଙ୍କ ଉପରେ ପାଣି ଢ଼ାଳିବେ, ପିଲା କଥା କହିବ, ଚାଲିବ, ପ୍ରତ୍ୟକ୍ଷ ଦେବତା !

ଛଟପଟ ହେଲା ବିବେକ । ସପନ ପରି ଲାଗୁଛି, ମନେ ନାହିଁ ସେ ଝିଅଟିର ନାମ । ଗରିବ, ନିଃସହାୟ । ଆଭରଣହୀନ ଜଳନ୍ତା ଅଗ୍ନିଶିଖା, ପତଙ୍ଗ ପରି ଯହିଁରେ ତାଙ୍କର ତାରୁଣ୍ୟ କ୍ଷଣକ ପାଇଁ ଝାସ ଦେଇଥିଲା । ଭାବିଲେ ମନେ ପଡ଼ୁନାହିଁ ତାର ରୂପ କେବଳ ମନେ ଅଛି ଘଟଣା, ମନେଅଛି କିପରି ସେ ନିଜକୁ ହରାଇ ଚୋର ପରି ଛୁଟି ପଳେଇ ଆସିଥିଲେ–

ଅତୀତର ଅତି ଗୋପନ ଘଟଣା ! ମନେ ପଡ଼ିଲେ ଛାତି ଥରିଉଠେ । କେମିତି ପୁଣି ସେ ଯିବେ ସେଠିକି ?

ଅଳକାର ଆଖି ଦିଓଟିକୁ ଚାହାନ୍ତି । ମନ କହେ, ଯିବେ ଥରେ । ସୁକୃତୀ ଯିବ, ଅଳକା ଯିବ । ମଦନ ବୁଢ଼ାକୁ ସଙ୍ଗରେ ନେବେ ନାହିଁ । ଛୋଟ ଚାକର ପିଲା ଗୋବିନ୍ଦାକୁ ସଙ୍ଗରେ ନେବେ-। ଚାରିବର୍ଷ ପରେ କିଏ କାହାକୁ ଚିହ୍ନୁଛି ? ସେ ହୁଏତ ନ ଥିବ ।

ଯିବେ ଥରେ ।

ସୁକୃତୀକୁ ହଲାଇ ଜୀବନ କହିଲେ, ଶେଷ ଚେଷ୍ଟା କରିବା ?

ସୁକୃତୀ ଆଖି ଛଳ ଛଳ କରି ପଚାରିଲା, କଣ ?

ଜୀବନ କହିଲେ, ଆମେ ପିଲାଟାକୁ ନେଇ ଥରେ ବୁଗୁଡ଼ା ଯିବା । ସେଠି ଶିବଙ୍କ ପାଖରେ ଝରଣା ଅଛି । ଲୋକେ କହନ୍ତି, ସେଇ ଝରଣାରେ ଗାଧୋଇଦେଲେ ଏପରି ପିଲା ଭଲ ହୁଅନ୍ତି ।

ଚାରିବର୍ଷ ପରେ–

ବଙ୍ଗଳା ଆଗରେ ମଟର ବସ୍‌ ରହିଲା, ସବୁଦିନେ ଯେପରି ରହେ । ବୁଧିଆ ଧାଇଁଆସିଲା ପାଖକୁ । ବସ୍‌ରୁ ଜଣେ ବାବୁ ଓହ୍ଲେଇଲେ। ତାଙ୍କ ପଛରେ ଜଣେ ସ୍ତ୍ରୀ, କୋଳରେ ତିନିବର୍ଷର ଝିଅ । ସଙ୍ଗରେ ଚାକର ଟୋକା, ଅନେକ ଜିନିଷପତ୍ର । ସେ ଜଣେ ବଡ଼ ବାବୁ !

ତୋ ନାମଟି କଣ ରେ ?

ମୋ ନାଁ ତ ବୁଧିଆ । ମୁଁ ବଙ୍ଗଳାର ଚଉକିଦାର ।

ଶିବ ମନ୍ଦିର କେତେ ବାଟ ହେବ ?

ପାଖଟା ଆଜ୍ଞା ।

କାଲି ସକାଳେ ଯିବା ?

ମା ଯିବେ କି ?

ଯିବେ ।

ହଉ ଆଜ୍ଞା ।

ଶିବ ମନ୍ଦିରରୁ ଫେରୁ ଫେରୁ ଡ଼େରି ହେଲା । ଅଳକାକୁ କାଖରେ ଜାକି ସୁକୃତୀ କେଡ଼େ ଆଶାରେ ଶିବଙ୍କ ପାଖକୁ ଯାଇଥିଲା, ପୁଣି କେତେ ଆଶା ମନରେ ଧରି ଫେରିଥିଲା । ଠାକୁରଙ୍କ ନାମରେ ମାନସିକ କରିଥିଲା । ପିଲାଟି ଯଦି ଭଲ ହୋଇଯାଏ, ପୁଣି ବର୍ଷକ ପରେ ନେଇ ଦର୍ଶନ କରିବାବୁ ଆସିବ ବୋଲି ମନେ ମନେ ଠାକୁରଙ୍କ ଆଗରେ ଜଣାଣ କରିଥିଲା ।

ଦି ପହର, ଶୀତଦିନ–

ପିଲାକୁ କୋଳରେ ପୁରାଇ ସୁକୃତୀ ଡ଼ାକବଙ୍ଗଳାର ଗୋଟିଏ କୋଠରୀରେ ଶୋଇପଡ଼ିଲା । କ୍ଲାନ୍ତ ହୋଇଥିଲେ ମଧ୍ୟ ଜୀବନଙ୍କର ଆଖିକୁ ନିଦ ନାହିଁ । ଯାହାକୁ ସେ ମନେ ମନେ ଖୋଜୁଥିଲେ, ହୁଏତ ମନେ ମନେ ଭୟ କରୁଥିଲେ, ସେ କୁଆଡ଼େ ଚାଲିଗଲାଣି କି କଣ । ବୁଧିଆକୁ ପଚାରିବାକୁ ମନ ହେଉଥିଲେ ମଧ୍ୟ ସାହସ ହେଉ ନାହିଁ ।

ଆର କୋଠରୀରେ ବସି ଜୀବନ ଖବର କାଗଜରେ ମନଦେଲେ ।

କେତେବେଳୁ ବୁଧିଆ ଆସି କବାଟ ପାଖରେ ଠିଆ ହେଲାଣି । ଦୃଷ୍ଟି ଆକର୍ଷଣ କରିବାକୁ ଦୀର୍ଘଶ୍ୱାସ ଛାଡ଼ିଲା । ଜୀବନ ଆଖି ଫେରାଇଲେ ତା ଆଡ଼କୁ । ପଚାରିଲେ, କଣ ରେ ।

ଆପଣ କଣ ଆଜି ଚାଲିଯିବେ ?

ନା, କାଲି ସକାଳେ ।

ସକାଳେ ଫେରିଯିବାକୁ ଗାଡ଼ି ନାହିଁ, ପୁଣି ଯାଇ ଦଶଟାକୁ ।

ତେବେ, ସେତିକିବେଳେ । କାହିଁକି ?

ଦୁଇବେଳା ରୋଷେଇ ପାଇଁ ଗାଁରୁ କାଠ ଆଣିବାକୁ ହେବ ।

ଓ, ପଇସା ଦରକାର ? ଆଚ୍ଛା–

ଜୀବନ ବ୍ୟାଗ୍‌ଖୋଲି ବୁଧିଆକୁ ଗୋଟିଏ ଟଙ୍କା ଦେଲେ । ବୁଧିଆ ଚାଲିଗଲା ।

ଗୋଟିଏ କଥା ପଚାରିବେ ପଚାରିବେ ହୋଇ ଜୀବନ ପଚାରି ପାରିଲେ ନାହିଁ । ପଦାକୁ ଚାହିଁ ଦେଖିଲେ, ରୋଷେଇଘର କଡ଼ରେ ଖଣ୍ଡେ ପତର ପକେଇ ଭିକାରୁଣୀ ସ୍ତ୍ରୀଟିଏ ଖାଇ ବସିଛି । ସଙ୍ଗରେ ଖାଉଛି ତିନିବର୍ଷର ଗୋଟିଏ ପିଲା । ଗୋବିନ୍ଦ କଡ଼େଇରେ ଆଣି ସେଇ ପତରରେ କଣ ଅଜାଡ଼ି ଦେଉଛି ।

ଭିକାରୁଣୀଟିଏ ତ ! ଦୁର୍ବଳ ଦରମଲା ଦେହ, ଫୁର୍ ଫୁର୍ ମୁଣ୍ଡରେ ବାଳ । ମଇଳା ଛିଣ୍ଡାଲୁଗାଟା ଦେହକୁ ଘୋଡ଼ାଇ ପାରିନାହିଁ । ମୁହଁରେ ଅଳପ ବସନ୍ତ ଚିହ୍ନ । ପଶିଲା ପଶିଲା ଆଖି-। ବିଶେଷତ୍ୱ କିଛି ନାହିଁ । କିନ୍ତୁ ପିଲାଟି ! ନଙ୍ଗଳା ହେଲେ ବି କେଡ଼େ ସୁନ୍ଦରଟିଏ । ଗୋଲଗାଲ ଚେହେରା । ଫୁର୍ତ୍ତି । ମା ସଙ୍ଗରେ ଖାଇ ବସିଛି । ଗୋଟାଏ ହାତରେ ବାଡ଼ି ହାତରେ ଖଣ୍ଡେ ଧରି ପାଖରେ ନାକେଇଥିବା କୁକୁରଗୁଡ଼ାଙ୍କୁ ତଡ଼ୁଛି ।

ଜୀବନ ତନ୍ମୟ ହୋଇ ଚାହିଁ ରହିଲେ ।

ପଛରୁ ଆସି ସୁକୃତୀ କହିଲେ, ଝିଅ ଶୋଇ ପଡ଼ିଲାଣି ।

ଜୀବନ କହିଲେ, ବସ ।

ସୁକୃତୀ ପାଖ ଚଉକିରେ ବସିଲା ।

ଜୀବନ କହିଲେ, ଦେଖୁଛ ସେ ଭିକାରୁଣୀ ଆଉ ତାର ପିଲାକୁ ? କାହା କୋଳରେ ଠାକୁର କେମିତି ପିଲା ଦିଅନ୍ତି ଦେଖ । ଭଲ ଘରେ ଯଦି ଜନ୍ମ ହୋଇ ଥାଆନ୍ତା, କେଡ଼େ ବଡ଼ ମଣିଷ ସେ ହୋଇପାରନ୍ତା !

ସୁକୃତୀ ଉତ୍ତର ଦେବା ଆଗରୁ ଥରେ ନିରିଖି ଚାହିଁଲା । ପିଲାଟି ମା ପାଖରୁ ଉଠିଆସି ବାଡ଼ି ଧରି ଗୋଟାଏ କୁକୁର ଦଉଡ଼ିଗଲା । ଆଉ ଗୋଟାଏ କୁକୁର ସ୍ତ୍ରୀଲୋକଟିର କଡ଼ପଟୁ ବୁଲିଆସି ପତରରୁ ଗାଫୁଆଏ ଭାତ ନେଇ ପଛକୁ ହଟିଗଲା । ଭିକାରୁଣୀଟି ହାତ ଟେକି କୁକୁରକୁ ଘଉଡ଼ି ଦେଇ ପାଟି କରି ଉଠିଲା, ମଲମର, ଏଗୁଡ଼ାଙ୍କୁ ମରଣ ନାହିଁ । ମୋ ସଙ୍ଗେ ବାଦ କରିବାକୁ ଘେରି ଯାଉଛନ୍ତି । ନିଆଁ ନଗା ପିଲାଟା ଯାଇଁ ସେଠି ଉଠିଲାଣି ।

ଅଭିମାନ କରି କୁକୁରକୁ କହିଲା, ଖା ଖା, ମୋରି ଅଇଁଠା ଖା, ମୋରି ସଙ୍ଗରେ ଦାଉ ସାଧବୁ ଖା–

ଉଠି ଆସିଲା ।

ଦୁଇ ତିନିଟା କୁକୁର ଭାଉଁ ଭାଉଁ ହୋଇ ପରେ ଉପରେ ପଡ଼ିଲେ । ଭିକାରୁଣୀ ପିଲା ପାଖକୁ ଯାଇ ଅଇଁଠା ହାତରେ ପିଠିରେ ଦୁଲଦୁଲ କରି ଦୁଇଚାରି ବିଧା ବସେଇ ଦେଲା । ପାଟିକରି କହିଲା, ଅଳ୍ପେଇସା ବାଡ଼ି ଧରି ଜଗିଛୁ କାହାକୁ ।

ଆହୁରି ଦୁଇ ବିଧା ! ପିଲାଟାର ପାଟିରୁ ବଚନ ବାହାରୁ ନାହିଁ । ସୁକୃତୀ ସହି ପାରିଲା ନାହିଁ । ପଦାକୁ ଉଠି ଆସି ପାଟିକଲା, ହଇହୋ ହେ, ପିଲାଟାକୁ ମାରି ପକେଇବୁ କି ?

ତାକୁ ମରଣ କେଉଁଠି ହେଉଛି ? ମତେ ଦହଗଞ୍ଜ କରିବାକୁ ତ ସେ ଜନମ ହୋଇଛି ସାନ୍ତାଣୀ, ମରିଗଲେ ତ ତରି ଯାଆନ୍ତା । ମୁଁ ବି କାହିଁକି ଦହଗଞ୍ଜ ହୁଅନ୍ତି ? କୋଉ କୂଅ ପୋଖରୀକୁ ଡ଼େଇଁ ପଡ଼ିଲେ ମୋ ଦିନ ସରିଯାଆନ୍ତା ।

ସୁକୃତୀର କଅଁଳ ପ୍ରାଣର ଭିକାରୁଣୀର କଥାଗୁଡ଼ା ଲାଗିଲା । ସେ କଅଁଳେଇ କହିଲା, ଛି, ଜନମ କରିଛୁ, ଠାକୁରେ ତାକୁ ମଣିଷ କଲେ ତୋ ଦୁଃଖ ଯିବ । ଲୋକେ ବାରବ୍ରତ କରି ପିଲା ବକଟରେ ମୁହଁ ଦେଖୁ ନାହାନ୍ତି, ତୁ ତାର ମନ୍ଦ ମନାସୁଛୁ ?

ଶୁଣ–

ଭିଖାରୁଣୀ ଶୁଣିଲା ନାହିଁ ।

ପିଲାଟାକୁ କାଖକରି ଚାଲିଗଲା ।

ସଞ୍ଜ ହୋଇଆସୁଥାଏ–

ଜୀବନ ଏକୁଟିଆ ଗାଁ ଆଡ଼େ ବୁଲିବାକୁ ଚାଲିଗଲେ । ସଙ୍ଗରେ ନେଲେ ବୁଧିଆକୁ ।

ବାଟରେ ପଚାରିଲେ କିଏ ରେ ସେ ଭିକାରୁଣୀଟା ?

କି ଘର ପିଲା ସେ ?

ଖଦାଳ ।

ତାର କେହି ନାହାନ୍ତି କି ।

ନାହିଁ । ଦାଦା ଖୁଡ଼ୀ ଦିହେଁ ଥିଲେ ଯେ ସେମାନେ ତାକୁ ଘରୁ ବାହାର କରିଦେଲେ । ତା ବର ରଙ୍ଗାମ ଯାଇଥିଲା । ରଙ୍ଗାମରୁ ଫେରି ରତନୀକି ଆଉ ନେଲା ନାହିଁ । ସେ କାହିଁକି ନିଅନ୍ତା ? ଦାଦି ଖୁଡ଼ୀ ତ ବାହାର କରିଦେଲେ, ସେ ଅଜାତି ହେଲା । ଗାଁ ଲୋକେ ବି ଦୁଆର ମଡ଼େଇ ଦେଲେ ନାହିଁ । ତା ବରର କି ଦୋଷ ? ସେ ତା ଅନ୍ୟ ସଂସାର କଲା ।

ହେଲେ ପିଲାଟାକୁ ତ ନେଇଥାଆନ୍ତା ।

ପିଲା ତ ଜନମ ହେଲା ମଟର ଘରେ । ସେଇ ଦିନ ସେ ମରି ଯାଇଥାନ୍ତା । ପିଲାର ପାଟି ଶୁଣି ରତନୀର କଷ୍ଟ ଦେଖି ମୁଁ ଟିକିଏ ସାହାଯ୍ୟ କରି ଓଷଦ ପାଣି ଆଣି ଦେଲି ବୋଲି ଗାଁ ଲୋକେ ଆଜିଯାଏ ମୋର ନିନ୍ଦା କରୁଛନ୍ତି । କରନ୍ତୁ, ଧର୍ମ ଅଛି । ରତନୀ କଣ କମ୍‌ କି ? କୋଉଠୁ କିଛି ଖାଇବାକୁ ନ ପାଇଲେ ଆସି ମୋରି ଉପରେ ତାରି ରାଗ ସୁଝାଇବ । ମୋରି ଆଗରେ ତାର ସେ ପିଲାକୁ ଦରମରା କରିବ । କଣ କରିବି ? ପାଖରେ ଯାହା ଥାଏ ଦିଏ ।

ଜୀବନ ଆଉ କିଛି ପଚାରିବାକୁ ସାହସ କଲେ ନାହିଁ ।

ବୁଧିଆ କହିବାକୁ ଲାଗିଲା, ଭଲ ମନ୍ଦ ମୁଁ ଜାଣେ ଆଜ୍ଞା ? ଚାରି ବରଷ ତଳେ କୁଆଡ଼ର କେଜାଣି ବାବୁ ଜଣେ ଆସିଥିଲେ । ଭାରି ଭଲ ଲୋକ । ରତନୀକୁ ଦେଖି ତାଙ୍କର ଦୟା ହେଲା । ସେ କହିଲାକୁ ରତନୀକୁ ତାଙ୍କ ପାଖକୁ ଡ଼ାକିଦେଲି । ମୋର କି ଦୋଷ ହେଲା ଆଜ୍ଞା ?

ଜୀବନଙ୍କର ଛାତି ଥରି ଉଠିଲା । ଗାଁ ସେ ପାଖ ମୁଣ୍ଡିଆ ପାହାଡ଼ ତଳେ ରାସ୍ତା ଛିଣ୍ଡିଛି । ଛୋଟ ପାହାଡ଼ । ବଡ଼ ବଡ଼ ପଥର । ପାହାଡ଼ ମଝିରେ ଛୋଟ ମନ୍ଦିର ମନ୍ଦିର ଉପରେ ପତାକା ଉଡ଼ୁଛି ।

ମନ୍ଦିର ଆଡ଼କୁ ହାତ ବଢ଼ାଇ ବୁଧିଆ କହିଲା, ଏଇ ପତିତପାବନ ସାକ୍ଷୀ । ଭଲ ମନ୍ଦ ମୁଁ କି ଜାଣେ ? ପାପ ପୁଣ୍ୟ କଥା ମୁଁ କି ବୁଝେ ? ସେଇ ରତନୀ, ମତେ କାଟୁଛି ସମ୍ପୁଛି । ମୁଁ କୁଆଡ଼େ ସେଇ ବାବୁ ସଙ୍ଗରେ ସଲା ହୋଇ ରତନୀକୁ ତା ପାଖକୁ ପଠେଇଲି । ମୋର କି ଗରଜ ? ଦୟା ପାଇ ବାବୁ ତାକୁ ଦଶଟଙ୍କା ଦେଲା । ବାବୁ ଗଲାରୁ ରତନୀ ମତେ କହିଲା । ଭାଗ ଦେଲା କି ମତେ-? ସବୁ ଟଙ୍କା ତା ଖୁଡ଼ୀ ନେଇଯିବ ବୋଲି ମତେ ଦେଈ କହିଲା, ରଖିଥା । ଦୟା ପାଇ ଦଶ ଟଙ୍କା ରଖିଲି । ଚାରି ବରଷ ହେଲାଣି । କେତେ ଟଙ୍କା ମୋଠୁ ସେ ନେଲାଣି । ତେବେ ବି କହୁଛି, ଆଉ ଦଶ ଟଙ୍କା ଅଛି । କଳିକାଳରେ କାହାରିକୁ ବିଶ୍ୱାସ ନାହିଁ ଆଜ୍ଞା ।

ମୁହଁ ସଞ୍ଜ–

ଦିହେଁ ଫେରିଲେ । ଜୀବନଙ୍କର ଗୋଡ଼ ଅବାଟରେ ପଡ଼ି ଥାଏ । ବୁଧିଆ କଣ ତାଙ୍କୁ ଚିହ୍ନି ପାରିଲା ? କିଛି ନ ପଚାରୁଣୁ ଆଗତୁରା ଏତେ କଥା କହୁଛି କାହିଁକି ?

ଜୀବନ ପଛକୁ ଚାହିଁଲେ । ବୁଧିଆ ତାଙ୍କର ପଛେ ପଛେ ଚାଲିଛି, କହୁଛି, ନଉ, କିଏ ମୋର ଅଛି ? ଗରିବ ଖଦାଳ ଝିଅ ବୋଲି କଣ ତାକୁ ମୁଁ ଦେଉଛି ? ନାଇଁ ଆଜ୍ଞା । ସେଇ ଯେଉଁ ପିଲାଟି ତାର ଅଛି, ତାଆରି ପାଇଁ । କାଳେ ମରିଯିବ । ବଡ଼ ହେଲେ ମୂଲପାତି ଲାଗି ବଞ୍ଚିଯିବ ତ କେଡ଼େ ବଡ଼ ଲୋକର ପିଲା ସେ, କେହି ନ ଜାଣୁ, ଧର୍ମ ଜାଣେ ତ !

ଜୀବନଙ୍କର ବିବେକକୁ ଆଘାତ ଦେଲା ସେଇ କଥା କେଇପଦ । କହିଲେ, ପରର ଦୁଃଖ କଥା ପକାନା ବୁଧିଆ, ଯେ ଯାହା କରେ ସେ ତାର ଫଳ ପାଏ । ତୋ ନିଜ କଥା କହ ।

ନିଜ କଥା କଣ କହିବି ଆଜ୍ଞା ? ଆପଣମାନଙ୍କ ସେବା କରି ମୁଠିଏ ଖାଉଛି, ଖଣ୍ଡେ ପିନ୍ଧୁଛି । ଭଲରେ ଅଛି

ବାହା ହେଉ ନୁ ?

ଚମକି ଉଠିଲା ବୁଧିଆ ।

ଚାରିବର୍ଷତଳେ ସେ ଅଜଣା ଅଶୁଣା ବାବୁଟି ଥରେ ଏଇକଥା ପଚାରିଥିଲେ । ବୁଧିଆ ବାହା ହେବା କଥା କେବେ ମନକୁ ଆଣି ନାହିଁ । ରେଡ଼ିକା ଘରେ ଜନ୍ମ ହେଲେ ବି ସେ ଛତରା ତଳେ ଗଣା । କେହି ତାକୁ ଝିଅ ଦେବେ ନାହିଁ। ବର୍ଷକ ତଳେ ମାଳୁଆ ଜରରେ ଯେତେବେଳେ ସେ ଛଟପଟ ହେଉଥିଲା, କେହି ତା କଥା ପଚାରି ନ ଥିଲା । ରାତି ଦି ଘଡ଼ିକୁ ରତନୀ ତା ପିଲାକୁ କାଖେଇ ବଙ୍ଗଳାକୁ ଆସିଲା । ବୁଧିଆ ବଙ୍ଗଳା ପିଣ୍ଡାରେ ଛଟପଟ ହେଉଥାଏ ।

ଦବୁକିରେ ବୁଧିଆ ଭାଇ ଗଣ୍ଡାଏ ଭାତ ? କାଲିଠୁଁ ଖାଇନାହିଁ । ପିଲାଟା ମତେ ରେକେଟି ରେକେଟି ମୋ ରକତ ଶୋଷୁଛି ।

ବୁଧିଆ ମୁଣ୍ଡ ଟେକି ଚାହିଁଲା । ଜହ୍ନରାତି । ପିଣ୍ଡାତଳେ ରତନୀ । କହିଲା, ଜରରେ ଛଟପଟ ହେଉଛି ଲୋ ରତନୀ ! ରାନ୍ଧିନାହିଁ । ଶୋଷରେ ହଂସା ଉଡ଼ିଯାଉଛି ।

ରତନୀ ସେମିତି ଠିଆ ହୋଇ ଚାହିଁ ରହିଲା

କେତେବେଳକେ ବୁଧିଆ କହିଲା, ନେ ଏ ପଇସା ଦିଅଣା ।

ରତନୀ ନେଲା ନାହିଁ । କହିଲା, ପାଣି ମନ୍ଦାଏ ଦେବି କିରେ ?

ବୁଧିଆ କହିଲା, ନାଇଁ ନାଇଁ । ନେ, ଏ ପଇସା ନେ, ଯା ।

ଦିଅଣା ପଇସା ପକେଇଦେଲା ତା ପାଖକୁ ।

ରତନୀ ପଇସା ନେଲା ନାହିଁ । ତୁନି ହୋଇ ଚାଲିଗଲା ।

ରାତି ଅଧରେ–

ଜର ବଢ଼ିଲା । ବାପଲୋ ମାଆଲୋ ହୋଇ ଛଟପଟ ହେଲା ବୁଧିଆ । ଦୁନିଆଁରେ ସେ ଏକା, ସାହା ଭରସା କାହି ନାହିଁ । ଏଇଥର ସେ ମରିବ । ସେ ମଲେ କେହି ଦୁଃଖ କରିବେ ନାହିଁ, କାନ୍ଦିବେ ନାହିଁ, ପଚାରିବେ ନାହିଁ । ସରକାରୀ ବଙ୍ଗଳାରୁ ମଡ଼ା କେମିତି ଉଠିବ ସେଇଆ ହେବ ଲୋକଙ୍କ ଭାବନା । ସେତିକି ସେମାନଙ୍କର ଦାୟିତ୍ୱ ।

ଦେହରେ ତାତି । ତଣ୍ଟି ଅଠା ଅଠା । ଗୋଡ଼ ହାତ ବିନ୍ଧୁଛି ।

ବୁଧିଆ ଭାଇ !

ଉଁ–

ନେ, ଏ ପାଣିମନ୍ଦାକ ପିଇଦେ ।

ରତନି ତୁଣ୍ଡପାଖେ ପାଣି ତାଟିଆ ଧରିଲା । ପ୍ରାଣ ବିକଳରେ ଢକ ଢକ କରି ପିଇଦେଲା ବୁଧିଆ । ପିଣ୍ଡରେ ପ୍ରାଣ ପଶିଲା । ଥରିଲା ଗଳାରେ ପଚାରିଲା, କିଲୋ, ତୁ ଏଠି ଅଛୁ-? ତତେ ପରା ମନା କରିଥିଲି ବଙ୍ଗଳାକୁ ଆସିବାକୁ ସଞ୍ଜ ପରେ ।

ମୁଁ ତତେ ଦେଖିବାକୁୀ ଆସିଥିଲି । ପିଲାଟିକୁ ଇସ୍କୁଲ ଘର ପିଣ୍ଡାରେ ଶୋଇ ଦେଇ ଆସିଛି ।

ବୁଧିଆ ରାଗିଲା । କହିଲା, ଯାଉଛୁ ନା ଫେର ଦେଖିବୁ !

ରାଗୁଛ କାହିଁକି ? ମୁଁ ନ ଆସିଥିଲା ତୁ ମରିଥାନ୍ତୁ ।

ତୋର କଣ ଗଲା ? ତୁ ଯିବୁଟି ।

ଗୋଡ଼ ଘସିଦେବି କିରେ ?

ବଦମାସ୍‌ !

କାହାକୁ ତୋର ଡର ? ଲୋକଙ୍କୁ ? ଯମ ମୁହଁରୁ ତତେ ସେମାନେ ବଞ୍ଚେଇବେ ? ମତେ ଡରୁଛ କିରେ ? ଛତରୀଟା ହେଲେ ବି ମୁଁ ଖରାପ ନୁହେଁରେ କେତେ ଲୋକ ତ ଅନେଇଁଥିଲେ ମୋ ଆଡ଼କୁ କେହି କେବେ ତୁଣ୍ଡ ଖୋଲିବାକୁ ଭରସିଥିଲେ କି ? ସେଇ ଯେଉଁ ବାବୁଟା, ଯାହା ସଙ୍ଗେ ତୁ ଚିହ୍ନା କରିଦେଲୁ, କେତେ ଆଦର ସ୍ନେହ କଲା । ନ ଜାଣିଲା ଲୋକ ମୁଁ, ଅମୃତ ବୋଲି ସିନା ଜହର ଖାଇଲି । ଆଉ ହୀନମାନ ଲୋଡ଼ୁନାହିଁ । ଗୋଡ ଘସିଦିଏଁ ।

ଜୀବନ ଥଙ୍ଗେଇ ଥଙ୍ଗେଇ କହିଲେ, ତମ ଜାତିର ଦୁର୍ଗୁଣ, ପରକଥା ଚର୍ଚ୍ଚା କରି ଆନନ୍ଦ ପାଅ । ଦିନକ ପାଇଁ ଆମେ ଆସିଥାଇଁ । କାଲି ଏତେବେଳେ ଥିଲେ କେଉଁଠି, ପୁଣି କାଲି ଏତେବେଳେ ଥିବ କେଉଁଠି ? ପରକଥା ପକାଇ ଲାଭ କଣ ?

ସୁକୃତୀ ଉତ୍ତର ଦେଲା, ପର କଥା ଚର୍ଚ୍ଚା କରି ଆମେ ଆନନ୍ଦ ପାଉଁ; କିନ୍ତୁ ସେ କଥା ଚର୍ଚ୍ଚା କରିବାକୁ ତମେ ପୁରୁଷମାନେ ହିଁ ଆମକୁ ମାଲମସଲା ଯୋଗାଅ। ସେ ଯେଉଁ ସ୍ତ୍ରୀ ଲୋକଟି, ତା ନାମ । ରତନୀ । ସେ ନିଜେ ଆସି ସବୁକଥା ତା ମନକୁ କହିଲା । ମୁଁ ତାକୁ ପଚାରି ନାହିଁ । ବିବ୍ରତ ତାର ଜୀବନର ଗୋପନ କଥା । ସତ ମିଛ ଏକା ତାକୁ ହିଁ ଜଣା । ଶୁଣିବ ? କହିବି ? ଧୈର୍ଯ୍ୟ ଧରି ଶୁଣିପାରିବ ?

ଶୁଣେ ।

ସୁକୃତୀ କହିଲା । କହୁ କହୁ ଦୁଃଖରେ ଆଖିରୁ ବାରମ୍ବାର ଲୁହ ପୋଛିଲା । କେବେ କେବେ ଉତ୍ତେଜିତ ହୋଇପଡ଼ୁଥାଏ । ନିଜର କଳଙ୍କିତ ଇତିହାସ ସ୍ତ୍ରୀ ମୁହଁରୁ ଶୁଣୁଥାନ୍ତି ଜୀବନ, ତୁଣ୍ଡରେ ଭାଷା ନାହିଁ । ପଥର ମୂର୍ତ୍ତି ପରି ନିଶ୍ଚଳ ।

ସୁକୃତୀ କହିଲା, ଶୁଣିଲ ? ରତନୀକୁ ଯିଏ ଏତେସରି କଲା, ସେ ହୁଏତ ଜାଣେ ନାହିଁ । କ୍ଷଣକର ମୋହ, କ୍ଷଣକର ଉତ୍ତେଜନା ପାଇଁ ସେ ଦିଅଟି ପ୍ରାଣୀଙ୍କର ଜୀବନ ନଷ୍ଟ କରିଛି । ଗରିବ ଝିଅଟିକୁ ଦଶଟି ଯଙ୍କା ଦେଇ ସେ ହୁଏତ ଭାବିଥିବ ଯେ ସେ ଦୟାର ଅବତାର, ସେ ତାର କର୍ତ୍ତବ୍ୟ ଶେଷ କରିଛି । ମୋଟେ ଦଶଟି ଯଙ୍କା ଦେଇ ନିଃସହାୟ ସରଳ ଝିଅଟିର ସର୍ବସ୍ୱ ସେ ହରଣ କରିନେଲା ।

ଜୀବନ କହିଲେ, ସେଇ ଭଦ୍ରଲୋକଟି ଯେ ସରଳ ନିରୀହ ନୁହେଁ ଏହା କିପରି ଆମେ କହିପାରିବା ? ପୁରୁଷ ପିଲାଟିକିଏ ଉତ୍ସୃଙ୍ଖଳ ଏଥିରେ ସନ୍ଦେହ ନାହିଁ, କାରଣ ଭଲମନ୍ଦ ତାଆର ମୁଣ୍ଡ ଉପରେ ଯାଏ ନାହିଁ । ରତନୀ ଝିଅ । ନିଜର ଦାୟିତ୍ୱ ତାର ବୁଝିବାର କର୍ତ୍ତବ୍ୟ ବେଶି । ପୁରୁଷ ପିଲା ପାଖରୁ ଦୂରେଇ ରହିବାର ଥିଲା । ଦୁଇଟା ସୃଜନ-କାମୀ ଆତ୍ମା ପାଖକୁ ପାଖ ଠିଆହେଲେ ତମେ ଆଉ କଅଣ ଆଶା କରିପାରବ ?

ସୃଜନକାମୀ ଆତ୍ମା ! ଭାରି କହିଲାବାଲା ଏକା ! ସମାଜ ତେବେ ଗଢ଼ାହେଲା କାହିଁକି-? ଶିକ୍ଷା, ସଭ୍ୟତା, ସଂସ୍କୃତି ଏସବୁ କଣ ବୃଥା ? ସୃଷ୍ଟିର ପ୍ରେରଣା ସଭିଙ୍କଠାରେ ଅଛି । ଦୁନିଆଁରେ କଣ ପାଖକୁ ପାଖ ଯୁବକ ଯୁବତୀ ଠିଆ ହେବେ ନାହିଁ ? ଭାଇବନ୍ଧୁ କୁଟୁମ୍ବ ଧରି ଲୋକେ ଘର କରିବେ ନାହିଁ ? ସମସ୍ତେ କେବଳ ସମସ୍ତଙ୍କୁ ଲୋଭିଲା ଆଖିରେ ଚାହୁଁଥିବେ ? ସୃଷ୍ଟି ରହିବ ତ ?

ଜୀବନ ତୁନି ରହିଲେ ।

ସୁକୃତୀ ବଖାଣିଲା, ଅନ୍ୟ ଅଜାଣତରେ କେହି କିଛି କରେ, ଏହା ମୁଁ ବିଶ୍ୱାସ କରିପାରିବି ନାହିଁ । ସଭ୍ୟ ମଣିଷ ଯାହା କରେ ଜାଣି ଜାଣି କରେ । ତମେ କାଲି ମୋତେ ଓ ମୋଓରି ପରି ଅନେକ ଝିଅଙ୍କୁ ପାଠ ପଢ଼ାଉଥିଲ । ଅନେକଙ୍କର ସଂସର୍ଗରେ ଆସିଛ । କାହା ଉପରେ କେବେ ଲାଳସା–ଜଡ଼ିତ ଚାହାଁଣୀ ପକେଇଥିଲ ?

ଜୀବନ ଉତ୍ତର ଦେଲେ, ଏ ପ୍ରଶ୍ନର ଉତ୍ତର ମୁଁ ଦେଇ ପାରିବି ନାହିଁ । ଏପରି ପ୍ରଶ୍ନର ଉତ୍ତର ମୁଁ ତମ ମୁହଁରୁ କେବେ ଆଶା କରିନାହିଁ । ଏ ସବୁ ନିଜର କଥା, ଅତି ଗୋପନ !

ସୁକୃତୀ ନୀରବ ହେଲା । ମନେ ପଡ଼ିଲା କେତେଦିନ ତଳର ଘଟଣା । ସେତେବେଳେ ସେ ଅବିବାହିତା, କଲେଜ ଛାତ୍ରୀ । ପାଖ ଘରେ ଯେଉଁ ବିଦେଶୀ ଭଦ୍ରଲୋକ ଥାଆନ୍ତ, ତାଙ୍କରି ପୁଅ ଅରୁଣ, କଲେଜ ଛାତ୍ର । ସୁକୃତୀର ମାଆଙ୍କୁ ସେ ମାଉସୀ ବୋଲି ଡ଼ାକେ । ସୁକୃତୀକୁ ପାଠ ବତାଏ-। ଘନିଷ୍ଠତା ବଢ଼ିଥିଲା । ମାଆ ଯଦି ଠିକ୍‌ବେଳରେ ସାବଧାନ କରି ନ ଥାନ୍ତେ, କେତେ ଦୂର ସେମାନେ ଆଗେଇଥାନ୍ତେ କିଏ କହିବ ?

ମାଆଙ୍କର ଉପଦେଶ କାନରେ ବାଜିଯାଉଛି, ଆଲୋ ସୁକି ! ତିନୋଟି କଥା ମନେ ରଖିବୁ ମା, ତିନୋଟି କଥା। ପରପୁଅ ଯେତେ ଆପଣାର ହୋଇ ଭାଇ ଦାଦି ମାମୁ ସମ୍ପର୍କ ପାତିଲେ ବି ତରକି ରହିବୁ ମା, ଦୂରେଇ ରହିବୁ । ଅଭଦ୍ର ହେବୁ ନାହିଁ, ଦୂରେଇ ରହିବୁ, କଡ଼େଇ ରହିବୁ । ନରମାୟା ନାରାୟଣଙ୍କ ଅଗୋଚର । ଗଢ଼ା ସମ୍ପର୍କ ଭିତରେ ଛପାଛପି ସଇତାନ ଆସେ । ସମସ୍ତଙ୍କ ମନରେ ସଇତାନବସା ବାନ୍ଧିଥାଏ ଲୋ ମା, ସୁବିଧା ଦେଖିଲ, ସୁଯୋଗ ପାଇଲେ, ପ୍ରଶୟ ମିଳିଲେ ସେ ନିଜ ରୂପ କାଢ଼େ ।

ଅନ୍ଧାର ରାତିରେ ସବୁ ଗଛ ଭୂତ ପାଲଟେ ଲୋ ମା !

ମାଇକିନିଆ ଝିଅର ବିପଦ ବେଶି, ଦାୟିତ୍ୱ ବେଶି । ବୁଝି ହୁସିଆର ! ଏମିତି ଯେଉଁ ଖୋଲା ଲେଖାଯିବା ସମ୍ପର୍କ, ସେ ସମ୍ପର୍କକୁ ସମ୍ମାନ ଦେଖାଇବା ମହତ ପଣିଆ; କିନ୍ତୁ ସେଇ ସମ୍ପର୍କକୁ ସତ ମଣି ଭାସିଯିବା ଭଲ ନୁହେଁ ।

ଶୁଣ୍‌ମା ଆଉ ଗୋଟିଏ କଥା, ଟୋକାଟୋକୀ ବୟସରେ, ସେ ଦାୟିତ୍ୱ ବୁଝିଲେବି ଦାୟିତ୍ୱ ଉପଲବ୍‌ଧି କରିବା ସହଜ ନୁହେଁ । ବିନା କାରଣରେ କାହାରି ପାଖେ ଏକୁଟିଆ ରହିବା ଉଚିତ୍‌ ନୁହେଁ । ପାଖରେ ବିଲେଇ ଛୁଆଟିଏ ରଖିବା ଭଲ । ନିରୋଳାରେ ଅଳସ ବେଳରେ ମନର ଭୂତ ମୁଣ୍ଡ ଟେକେ ଲୋ ମା !

ଶିଶୁଟିକୁ ସଂସାର ଆରିବା ପାଇଁ ରତନୀ ଘରୁ ବାହାରିଲା, ଭିକ ମାଗିଲା, ବିବାହିତ ସ୍ୱାମୀକୁ ଛାଡ଼ିଲା । ସଂସାରକୁ ଆଣି ମଧ୍ୟ ସେ ତାକୁ ବଞ୍ଚାଇ ରଖିବାକୁ ପ୍ରାଣପଣ ଚେଷ୍ଟା କଲା । ଆଜି ସେ ଦରନଙ୍ଗଳୀ ପାଗଳିନୀ । ସନ୍ତାନ ପାଇଁ ସବୁ ଦୁଃଖ ଅପବାଦ ଅପମାନ ମୁଣ୍ଡ ପାତି ନେଇଛି । ଧନ୍ୟ ସେ ! ବାପ ହୋଇ ସେ ତାଙ୍କର କର୍ତ୍ତବ୍ୟ କରିବାକୁ ଆଗଭର ହେବେ ନାହିଁ ?

ଜୀବନ ସ୍ଥିର କରିପାରିଲେ ନାହିଁ ।

ଚାରିବର୍ଷ ତଳର ସୁନ୍ଦରୀ ଷୋଡଶୀ ସରଳା ଝିଅଟି ରତନୀ ଆଗରେ ଠିଆ ହେଲା । ହାତରେ ଦଶଟି ଟଙ୍କା । କୃତଜ୍ଞତାରେ ନଇଁଲା ମୁଣ୍ଡ, ସରମରେ ରଙ୍ଗିଲା ମୁହଁ, ଉତ୍ତେଜନାରେ ଥରିଉଠୁଛି ଦେହ । ଚାରିବର୍ଷ ପରେ–କବିତାମୟ ତାର ଯୌବନର ଛବି ଅସନା ହୋଇଛି । ଝଡ଼ି ପଡ଼ିଥିବା ଆତ୍ମସମ୍ମାନ ଦୁନିଆଁ ଆଖିକୁ ଭଲ ଦିଶୁନାହିଁ । ସେ ରୁଗ୍‌ଣା, ସେ ଦରପାଗଳୀ । ତଥାପି, ସେ ମୋ ସନ୍ତାନ ପାଇଁ ସବୁ ଦୁଃଖ ସେ ସହିଛି, ସବୁ ତ୍ୟାଗ ସେ କରିଛି ।

କର୍ତ୍ତବ୍ୟ କଣ ? ଚହଲା ଚଞ୍ଚଳ ମନ ସ୍ଥିର କରି ପାରିଲା ନାହିଁ । ରାତି ଅଧ ହେଲା ।

ଆର ଖଟରୁ ସୁକୃତୀ ଡାକିଲା, ନିଦ ହେଉନାହିଁକି ?

ଜୀବନକୁ ଆଶ୍ରା ମିଳିଲା, କହିଲେ, ନାଇଁ ।

ମୋର ବି । ଅଳକାଟି ମଜି କେଡ଼େ ସୁନ୍ଦର ଶୋଇଛି । ଧନ୍ୟ ମହାପ୍ରଭୁଙ୍କ ମହିମା ! ତାଙ୍କର ଦୟା ହେଲେ, ଅଳକା ମୋର ମାସ ଦୁଇଟାରେ ଭଲ ହେବ, ଚାଲିବ, କଥା କହିବ ।

ଜୀବନ ନିରୁତ୍ତର ।

ସୁକୃତୀ ପୁଣି କହିଲା, ମତେ ବି ନିଦ ହେଉନାହିଁ । ସେଇ ଭିକାରୁଣୀ ରତନୀ କଥା ମୋର ମନରୁ ଯାଇନାହିଁ । ସବୁ କଥା ଖୋଲିକରି ଟିକିନିଖି କରି ସେ କହିଲା ମୋ ଆଗରେ । ଦରିଦ୍ର ଯେଉଁଠି ଟିକିଏ ସହାନୂଭୁତି ପାଏ ମନ ଖୋଲି ସବୁ ଦୁଃଖ ସେ ଅଜାଡ଼ିଦିଏ । ଆହା ବିଚାରୀ, ତାକୁ ମୁଁ ଘର ଭିତରକୁ ଡ଼ାକିଲି । ସେ ଆଖି ରଙ୍ଗ କରି କହିଲା, ନାଇଁ ନାଇଁ, ସେ ଘରେ, ସେଇ ଖଟରେ ବସି ଅଜଣା ବାବୁଟି ମୋର ହାତ ଧରି ଟଙ୍କା ଦେଇଥିଲା, ମତେ ଆଦର ସୁଆଗ କରି ମୋ ପିଠି ଆଉଁସିଥିଲା, ଦଶଟଙ୍କା ଦେଇ ମୋର ସର୍ବସ୍ୱ ନେଇ ମୁଣ୍ଡରେ ଏଇ ଅରକ୍ଷିତର ବୋଝ ନଦିଦେଇଗଲା ।

ଜୀବନଙ୍କର କଟା ସତେ ଯେପରି କିଏ ଲୁଣଛିଟା ମାରିଲା । ବ୍ୟକ୍ତିବ୍ୟଞ୍ଜକ ସ୍ୱରରେ ସେ କହିଲେ, ଶୋଇପଡ । କାଲି ଦଶଟା ବେଳେ ମଟର ଚଢ଼ି ଘରକୁ ଫେରିବି । ଆଜି ନ ଶୋଇଲେ ମୁଣ୍ଡ ବିନ୍ଧିବ । ଦୁନିଆଁରେ ଏମିତି କେତେ ଦୁଃଖୀରଙ୍କୀ ଅଛନ୍ତି । ସମସ୍ତଙ୍କ କଥା ଶୁଣିଲେ, ଆଉ ସେ ସମ୍ବନ୍ଧରେ ଭାବି ଦୋଷଗୁଣ ଜାଣିବାକୁ ଚେଷ୍ଟା କଲେ, ଜୀବନରଯେ ଶାନ୍ତି ପାଇବ ନାହିଁ । ବିଚିତ୍ର ଆମର ଦୁନିଁଆ । ଦୁନିଆଁର ସବୁ ଲୋକ ବିଚିତ୍ର । କାହା କଥା ବୁଝିବାକୁ ଚେଷ୍ଟା କରିବ ? ଶୋଇପଡ଼–

ସୁକୃତୀ କହିଲା, ମନରୁ ଯାଉନାହିଁ ତାର କଥା । ସେ ନିର୍ବିକାର ହୋଇ ଗପିଗଲା, ଅଙ୍ଗେ ନିଭେଇଛି, ଦେହ ମନ ତାର କାଠ ପାଲଟିଛି, ଆଖିରେ ଲୁହ ନାହିଁ, ମୁହଁରେ ହସ ନାହିଁ, କେବଳ ଘୃଣା ଓ ବିରକ୍ତି, ମୁଁ ତ ସହିପାରିଲି ନାହିଁ । ମୋ ଆଖିରୁ ଲୁହ ଝରିଲା ।

କାହିଁକି ?

ପଚାରୁଛ ଫେର, କାହିଁକି ? ରତନୀ କଣ ସୁନ୍ଦରୀ ନୁହେଁ ? ତାର ସେଇ ପାଗଳୀନି ବେଶ ଦେଖ ତ ଥରେ । ଆମର ସଭ୍ୟ ଶିକ୍ଷିତ ସମାଜରେ ତା ପରି ସୁନ୍ଦରୀ କେତେଜଣ ବାହାରିବେ ? ଯେଉଁ ରୂପ ନାରୀର ଗର୍ବ, ଯାହାରି ବଡ଼େଇରେ ମୁହଁରେ ପାଉଡର ଘସି, ଓଠରେ ନାଲି ରଙ୍ଗ ବୋଳି, ଆଖିରେ ଚଷମା ପିନ୍ଧି କେତେ ଶିକ୍ଷିତ ସଭ୍ୟଙ୍କୁ ଆମ ସମାଜର ଷୋଡଶୀ ଦଶହାତ ଦୁରରେ ରଖି କୁକୁର ପରି ପଛରେ ଗୋଡ଼ାଇବାକୁ ପ୍ରେରଣା ଦେବ, ସେଇ ରୂପର ପସରା ଧରି ରତନୀ ଅବହେଳିତ, ରତନୀ ବାଟର କୁକୁର, ଅଇଁଠା ପତ୍ର ଖୋଜାଳୀ–

ତୁମେ କଣ ପାଗଳ ହୋଇଛ ସୁକୃତୀ ?

ପାଗଳ ହୋଇନାହିଁ ଯେ ପାଗଳ ହେବାକୁ ମନ ହେଉଛି । ମୁଁ ନିଜକୁ ରତନୀ ଥାନରେ ଥୋଇ ଭାବୁଛି, କଣ କରିବି ? କୁଳକିନାରା ପାଉନାହିଁ । କହିଲ, ମୁଁ କଣ କରନ୍ତି ?

ଭାବିପାରିନାହି ତ !

ଏଇଥିରୁ ବୁଝ । ତମେ ପ୍ରଫେସର,କେଡ଼େ ବୁଦ୍ଧିମାନ, ତମେ ଭାବିପାରୁନା ମୁଁ କେମିତି ଭାବି ସ୍ଥିର କରିବି ? ଯଦି ମୋର ସେଇ ପ୍ରେମିକକୁ ଥରେ ଭେଟନ୍ତି, ତାର ରକ୍ତରେ ମୁଁ ହାତ ଧୁଅନ୍ତି-

ଜୀବନ ଥଟ୍ଟାକରି କହିଲେ, ବୀରତ୍ୱ ବେଶ ଜଣାପଡ଼ିଲା । ପ୍ରେମିକକୁ ପାଇବ ନାହିଁ । ରକ୍ତରେ ହାତ ଧୋଇବ ନାହିଁ । କଣ କରିବ ?

ସେଇ କଥା ଭାବୁଛି । ସ୍ଥିର କରି ପାରୁ ନାହିଁ ।

ଏଥିରେ ଭାବିବାର କଣ ଅଛି ? ରତନୀ ଯାହା କରୁଛି ।

ପରର ଦୁଃଖ ଦେଖି ଉପହାସ କରୁଛ ?

ନାଇଁ, ତମରି ଦୁଃଖ ଦେଖ ।

ତମେ ଅତି ନିଷ୍ଠୁର ।

ମୁଁ ନୁହେଁ, ତମେ । ରାତି ଅଧରେ ଶୋଇଦେଉ ନାହିଁ ।

ସୁକୃତୀ ତୁନି ହେଲା । ଶୋଇବାକୁ ଚେଷ୍ଟା କଲା ।

ଜୀବନ ଅନ୍ଧାର ଭିତରେ ଆଖି ଖୋଲିଲେ । ଭାବିଲେ, -ଭାବିଲେ- ପାହାନ୍ତାବେଳକୁ କେତେବେଳେ ଆଖପତା ମୁଦି ହୋଇଗଲା ।

ପରଦିନ ସକାଳେ ଜୀବନ ଡ଼େରିରେ ଉଠିଲେ । ମଶାରି ଟେକି ପଦାକୁ ଚାହିଁଲେ,–କବାଟ ମେଲା । ବାହାରେ ଖରା ପଡ଼ିଲାଣି । ବାରଣ୍ଡାରେ ଗୋଡ ଲମ୍ବେଇ ଚାକର ଟୋକାଟି ଅଳକାକୁ କୋଳରେ ଧରି ବସିଛି । ଟିକିଏ ଦୁରେଇ କରି ବସିଛି ସେଇ ଅରକ୍ଷିତ ପିଲାଟି, ପିନ୍ଧିଛି ଖଣ୍ଡେ ଫୁଲପକା ଫ୍ରକ୍‌, ଅଳକାର । ଦୁଇ ଚାରିଟି ଦିଆସିଲି ଧରି ଖେଳୁଛି ।

ଜୀବନ ଚାହିଁ ରହିଲେ, ଏଇ ତାଙ୍କର ପୁଅ ! ଏତେ ଦୁଃଖରେ ଥାଇ ମଧ୍ୟ ସୁନ୍ଦର ସ୍ୱାସ୍ଥ୍ୟ-। କେଡ଼େ ସୁନ୍ଦର ମୁହଁ । ଇଚ୍ଛା ହେଲା, ଧାଇଁଯାଇଁ କୋଳକରି ଆଣିବେ।

ଜୀବନ ଉଠିଲେ । ମଶାରି ଟେକି ପାଖରେ ମୁହୁର୍ତ୍ତେ ଠିଆ ହେଲେ । ପୁଣି ଚାହିଁଲେ ସେଇ ପିଲାଟିକୁ, କେଡ଼େ ଖୁସିରେ ମନକୁମନ ଖେଳୁଛି । କି ଜାଣେ ସେ ନିରୀହ ଅଜ୍ଞାନ ବାଳୁତ ଭବିଷ୍ୟତ୍‌ କଥା ? ବଞ୍ଚି ରହିଲେ କାଲି ସେ ବଡ ହେବ ଦୁନିଆଁ ର ଲୋକେ ତାକୁ ଉପହାସ କରିବେ, ଘୃଣା କରିବେ । ଦୁନିଆଁ କହିବ, ସେ ଅପବିତ୍ର ପିଲା । ସାରା ଜୀବନ ସେ ମୁଣ୍ଡ ନୋଇଁ ଚାଲିବ ।

ଜୀବନ ବାରଣ୍ଡାକୁ ଆସିଲେ । ପିଲାଟି ଡରି ତାର ଖେଳଣା ଧରି ପିଣ୍ଡା ତଳକୁ ଓହ୍ଲାଇଲା ।

 

ଜୀବନ କୂଅ ମୂଳକୁ ଚାହିଁଲେ । ସୁକୃତୀ ପାଣି ଢାଳେ ହାତରେ ଧରି ଠିଆ ହୋଇଛି । କୂଅ ଚାନ୍ଦିନୀ ତଳେ ଖଣ୍ଡେ ପଥର ଉପରେ ବସି ଆଉ ଜଣେ ସ୍ତ୍ରୀ ଲୋକ ବାସନ ମାଜୁଛି । ସୁକୃତୀ ତାଆରି ସଙ୍ଗରେ କଣ ଗପ କରୁଛି ।

ଦୃଷ୍ଟି ଫେରାଇ ଜୀବନ କଅଁଳେଇ ଡାକିଲେ, ହେ ଟୋକା, ଶୁଣ, ତୋ ନାଁଟି କଣ ରେ ପିଲା ?

ପିଲାଟି ଉତ୍ତର ଦେଲାନାହିଁ । ଡରି ଡରିକା ଛୁଟିଲା କୂଅମୂଳକୁ । ବାସନ ମାଜୁଛି ଯେଉଁ ସ୍ତ୍ରୀଲୋକଟି ତାଆରି ପିଠିରେ ନାଉହୋଇପଡ଼ିଲା ।

ପିଣ୍ଡାକଡ଼ରେ ନୋଟାଏ ପାଣି ଓ ଦାନ୍ତକାଠି ରଖା ହୋଇଥିଲା । ଜୀବନ ଅଳକାର ଜୁଳୁଜୁଳୁ ଆଖିକୁ ଚାହିଁ ତାର କପାଳରେ ହାତ ବୁଲାଇ ପାଣି ନୋଟା ପାଖରେ ବସି ଦାନ୍ତ ଘସିଲେ-। ମନରେ ଗୋଟିଏ ପ୍ରଶ୍ନ ଜାଗିଲା । ଅଳକାକୁ ତାଙ୍କରି କୋଳରେ ଜନ୍ମ ଦେଇ ଭଗବାନ ଯେ ତାଙ୍କୁ ହନ୍ତସନ୍ତ କରୁଛନ୍ତି ସେ କ’ଣ କେବଳ ନିଜକୃତ ପାପର ପ୍ରାୟଶ୍ଚିତ୍ତ ପାଇଁ ? ଯେତେଦିନଯାଏ ସେ ତାଙ୍କର ଭୁଲ ନ ସୁଧାରିଛନ୍ତି, ଯେତେଦିନଯାଏ ରତନୀର ଅଜ୍ଞାନ ବାଳୁତ ଦୁଃଖକଷ୍ଟରେ ସଢ଼ୁଥିବ, ହୁଏତ ସେତେଦିନଯାଏ ଜୀବନରେ ସେ ଶାନ୍ତି ପାଇବେ ନାହିଁ ।

ଛାତି ଥରି ଉଠିଲା । ଅଜାଣତରେ ସେ ଚାହିଁଲେ ଆକାଶକୁ । ଦୂର ପାହାଡ଼ମାଳାର ମଥା ଉପରେ କେତେ ଉପରକୁ ସୂର୍ଯ୍ୟ ଉଠିଲେଣି । ଉଜ୍ୱଳ ସୂର୍ଯ୍ୟ, ପ୍ରଖର ସୂର୍ଯ୍ୟ, ସୌରଜଗତର ସୃଷ୍ଟି କାରକ, ସୌରଜଗତର ଜୀବନ । ସବୁ ସେ ଦେଖିଛନ୍ତି । କାହାକୁ ଜୀବନ ଛପେଇବେ ? ସୂର୍ଯ୍ୟ ଚାରିପାଖେ ଭଙ୍ଗା ବଉଦ ।

ଜୀବନର ମନରେ ଭାବନା !

କୂଅମୂଳେ–

ମୁହଁରେ ହସ ଫୁଟେଇ ଦେବୀପ୍ରତିମା ସୁକୃତୀ କହିଲା, ପିଲାଟିକୁ ମାରିବୁ ନାହିଁ ରତନୀ, ଯିଏ ପଛେ ତାର ବାପ ହେଉ ତୁ ତା ମାଆ । ଅନ୍ତ ଫାଡ଼ି ଜନମ କରିଛୁ, ଏତେ ଦୁଃଖ ତ ସହିଲୁଣି, ଠାକୁରେ ମନକଲେ ସେଇ ପିଲା ତୋର ମଣିଷ ହେବ ।

ତୋର ଦୁଃଖ ଯିବ ।

ବାସନ ମଜା ଛାଡ଼ି ରତନୀ ସୁକୃତୀର ମୁହଁକୁ ଚାହିଁଲା । ଆଗରେ ସତେକି ମୂର୍ତ୍ତିମତୀ ଦୟା । ରତନୀର ଆଖିରେ ଛଳଛଳ ହେଲା ଲୁହ । ତୁଣ୍ଡରୁ ବଚନ ବାହାରିଲା ନାହିଁ ।

ସୁକୃତୀ କହିଲା, କାହାକୁ ମିଳେ ଲୋ ଏପରି ଧନ ? ଏଇ ଅରିକ୍ଷିତ ତୋ ପିଠିରେ ନାଉ ହେଇଛି । କେଡ଼େ ଶୋଭାକର ଦିଶୁଛି । ଭଗବାନ ତାକୁ ଆଇସ ଦେଉନ୍ତୁ, ସେ ମଣିଷ ହେଉ-

ରତନୀର ଆଖିରୁ ଧାରଧାର ଲୁହ ଝରିଲା । ସୁକୃତୀ ତାର ସୁନ୍ଦର ମୁହଁକୁ ଚାହିଁ ରହିଲା-। ଖଦାଳ ଘରର ଝିଅ । ମୁହଁରେ ଲିଭି ଆସୁଥିବା ବସନ୍ତ ଦାଗ । ଏତେ ଦୁଃଖ କଷ୍ଟ ସହି ଜୀବନ ବିତେଇଛି । ଭିକ ମାଗି ପେଟ ପୋଷୁଛି, ତଥାପି ତାର ରୂପର ଝାସ ଲିଭି ନାହିଁ । ଦିନେ ଯେ ତାର ଜଳିଲା ରୂପର ନିଆଁରେ କେଉଁ ଅଦୂରଦର୍ଶୀ ଉତ୍ତେଜିତ ଯୁବକ ଝାସ ଦେଇଥିଲା ସେଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ?

ବିବାହ ପ୍ରଥା ଯଦି ଦୁନିଆରେ ନଥାନ୍ତା, ନାରି ଯଦି ହୋଇଥାନ୍ତା ସ୍ୱାଧୀନ, ପୁରୁଷର ରାଜତ୍ୱ ଯଦି ଲୋପ ହୁଅନ୍ତା, ରତନୀ ଆଜି ପତିତା ହୋଇ ନିର୍ଯାତିତ ହୋଇ ଜୀବନକୁ ତୁଚ୍ଛ ମଣନ୍ତା କାହିଁକି ? ଯେଉଥିପାଇଁ ନାରୀର ଜନ୍ମ ସେଥିପାଇଁ ସେ ଆଜି ଦୁଃଖ କଷ୍ଟ ସହନ୍ତା ବା କାହିଁକି ? ପେଟ ପାଇଁ ନୀତିର ବାଡ଼ ସେ ଡେଇଁଥିଲା । ଯେଉଁ ସମାଜ ନୀତି ଓ ଆଦର୍ଶ ଦୁଇଟା ଗଢ଼ିଛି ଦରିଦ୍ର ନିଃସହାୟର ପେଟ ପାଇଁ ସେ ସମାଜ କି ବ୍ୟବସ୍ଥା କରିଛି ?

ରତନୀ କହିଲା, ହଁ ସାଆନ୍ତାଣୀ, ସୁଖଶାନ୍ତିରେ ଯେଉଁମାନେ ରହନ୍ତି, ସେମାନେ ଏମିତି ଉପଦେଶ ଦେଇ କହନ୍ତି । ଭିକ ମାଗିଲେ ବି ଯାହାର ତିନି ଓଳିରେ ପେଟରେ ଦାନା ପଡ଼େ ନାହିଁ ସେ କଣ କାହାର ଉପଦେଶ ଶୁଣିବ ? ଏଇ ଅରକ୍ଷିତ, ଯିଏ ମୋର ପୁଅ, ସେଇତ ମୋର କଳଙ୍କ ପସରା । ସେ ମରିଗଲେ ଦାଣ୍ଡରେ ମୂଲ ଲାଗି ହେଲେ ପେଟ ପୋଷନ୍ତି । ଦେହର ବୋଝକରି ମୂଲ ବି ଲାଗି ପାରୁନାହିଁ ।

ସୁକୃତୀ ଭାବିଲା । କହିଲା, ପିଲାଟିକୁ ଦେବୁ କି ମତେ ?

ରତନୀ ଚମକି ଉଠିଲା । ତରତର କରି ବାସନାତକ ଧୋଇ ପକେଇ କହିଲା, ସତରେ ତମେ ନବ, ଖଦାଳ ଘର ଛତରା ପିଲାକୁ ?

ନେବି ଲୋ ରତନୀ, ନିଜ ପିଲା ପରି ବଢ଼େଇବି । ହାତୀ ବନସ୍ତରେ ବଢ଼ିଲେ ବି ରଜାର-। ଅରକ୍ଷିତ ମୋ ପାଖରେ ବଢ଼ିଲେ ବି ସେ ତୋଓରି ପୁଅ । ତାକୁ ମଣିଷ କରିବି । ସଂସାର ଲୋକେ ଦେଖିବେ–

ରତନୀର ଶୁଖିଲା ମୁହଁ ଉଜଳି ଉଠିଲା । ସେ ଠିଆହୋଇ କହିଲା, ସତେ ତମେ ନେବ, ଏଇ ଅରକ୍ଷିତକୁ ?

ରତନୀ ବୁଲି ଠିଆ ହେଲା । ଅରକ୍ଷିତର ମୁହଁକୁ ଚାହିଁଲା ।

ସୁକୃତୀ କହିଲା, ଜାତି ଅଜାତି ମୁଁ ମାନେ ନାହିଁ । ମୋ ଆଖିରେ ସବୁ ମଣିଷ ଏକ ଜାତି-। ଅରକ୍ଷିତକୁ ନେଲେ ପୁଅ ପରି ମୁଁ ତାକୁ ପାଳିବି ରତନୀ, ଧର୍ମ ସାକ୍ଷୀ କରି କହୁଛି ।

ତମର ଗେରସ୍ତ–?

ମୋ କଥାରୁ କେହି ବାହାର ହେବେ ନାହିଁ ।

ରତନୀ ମୁହୂର୍ତ୍ତେ ଚାହିଁଲା ସୁକୃତୀକୁ । ଆଖି ଫେରାଇ ଅରକ୍ଷିତକୁ କଟମଟ କରି ଅନେଇଁଲା । ହଠାତ କହି ଉଠିଲା, ନାଇଁ ନାଇଁ, ସେ କଥା ହେବ ନାହିଁ । ତମକୁ ଦେବାକୁ କଣ ଏତେ କଷ୍ଟ ପାଇ ତାକୁ ଜନମ କରିଛି ? ଦେହର ରକ୍ତମାଂସ ଖୋଇ ତାକୁ ମୁଁ ବଞ୍ଚେଇଛି ? କଳଙ୍କର ପସରା ମୁଣ୍ଡରେ ବୋହି ଦ୍ୱାର ଦ୍ୱାର ବୁଲି ଭିକ ମାଗୁଛି ? ନାଇଁ ସାଆନ୍ତାଣୀ, ଅରକ୍ଷିତକୁ ମୁଁ ଦେଇ ପାରିବି ନାହିଁ । ଖାଇବା ବିନା ଯଦି ସେ ମରେ ମୋରି ଆଖି ଆଗରେ, ମଶାଣି ଭୂଇଁରେ ମାଟି ଗଣ୍ଡାଏ ଘୋଡ଼େଇଦେବି ସାଆନ୍ତାଣୀ, ଅରକ୍ଷିତକୁ ମୁଁ ଦେଇ ପାରିବି ନାହିଁ- ।

ରତନୀ ଅସ୍ଥିର ହୋଇ ଦୁଇହାତରେ ପିଲାଟିକୁ ଟେକି ନେଇ ଛାତିରେ ଜାକି ଧରିଲା ।

ସୁକୃତୀ କହିଲା, ବ୍ୟସ୍ତ ହେଉଛୁ କାହିଁକି ? ତୁ ବି ଚାଲ ମୋ ସାଥିରେ ରତନୀ, ତୋ ଛାତିରୁ କଲିଜା ଛିଣ୍ଡେଇ ନେବାକୁ ମୁଁ ଚାହୁନାହିଁ । ରୋଗଣା ହେଉ ପଛେ ଠାକୁରେ ମୋ କୋଳରେ ବି ବକଟେ ପିଲା ଦେଇଛନ୍ତି । ମା ମନ କଣ ମୁଁ ଜାଣେ । ତୁ ଚାଲ ମୋ ସଙ୍ଗରେ । ଭିକ ମାଗିବୁ କାହିଁକି ? କେତେ ଲୋକ ଆମ ଘରେ ଅଛନ୍ତି, ତୁ ବି ରହିବୁ, ତୋ ପିଲାକୁ ପାଳିବୁ । ଆଉ, ତା ସାଥିରେ ମୋର ଏଇ ରୋଗଣା ପିଲାକୁ ବି ତୁ ସମ୍ଭାଳିବୁ ।

କୃତଜ୍ଞତାରେ ରତନୀର ମନ ପୂର୍ଣ୍ଣ ହେଲା । ସେ କଣେଇ ଚାହିଁଲା ଜୀବନ ଆଡ଼କୁ । ସୁକୃତୀ ତାର ମନର କଥା ବୁଝିଲା । କହିଲା, ମୋ କଥାରେ ବିଶ୍ୱାସ ହେଉନାହିଁ ? ମୁଁ ସତରେ ତତେ ଡାକୁଛି । ମୋର ସ୍ୱାମୀ ପରର ଦୁଃଖ ସେ ସହିପାରନ୍ତି ନାହିଁ । ମୋ କଥାରୁ ସେ ବହାର ହେବେ ନାହିଁ । ପଚାଶ ପ୍ରାଣୀ କୁଟୁମ୍ବ ପୋଷିବାକୁ ଠାକୁରେ ମୋର ଶାଶୁ ଶ୍ୱଶରକୁ ଧନସମ୍ପଦ ଦେଇଛନ୍ତି । ବିଶ୍ୱାସ ହେଉନାହିଁ ? ଆ ଦେଖିବୁ–

ସୁକୃତୀ ଭିକାରୁଣୀ ରତନୀର ହାତ ଧରି ଟାଣିଲା ।

ଖୁସି ହେବ କି ଦୁଃଖ କରିବ ରତନୀ ବୁଝିପାରିଲା ନାହିଁ । ବଙ୍ଗଳାର ହତା ଭିତରୁ ରାସ୍ତା ଉପରକୁ ଉଠି ଅରକ୍ଷିତକୁ କାଖରୁ ଓହ୍ଲାଇଲା । ଚାରିଆଡ଼କୁ ଥରେ ଚାହିଁଲା । ମଣିଷ ଦିଶୁନାହାନ୍ତି । ମଣିଷ ଛଡ଼ା ଆଉ ସମସ୍ତେ ଯେପରି ତାରି ଆଡ଼କୁ ଅନେଇଁ ପଚାରୁଛନ୍ତି, ଯିବୁ, ଯିବୁ ରତନୀ ସତରେ ?

ରତନୀର କାନରେ ବାଜିଯାଉଛ–ରତନୀ ଯିବ ମୋ ସଙ୍ଗରେ, ତା ପୁଅ ଅରକ୍ଷିତ ବି ଯିବ, ଏତେ ଲୋକ ତମ ଘରେ ଅଛନ୍ତି, ଦିଟା ପ୍ରାଣୀ ଅକ୍ଳେଶରେ ପୋଷିହୋଇ ପାରିବେ । ରତନୀ ଯିବ– ।

ବାବୁଟି ରତନୀ ଆଡ଼କୁ ଅନେଇଥିଲେ । ଭଲକରି ଚାହିଁଲେ । ହସହସ ହୋଇ ବାବୁଆଣୀଙ୍କର ହାତଧରି ବଙ୍ଗଳା ଘର ଭିତରକୁ ନେଉଣୁ କହିଲେ, ହଉ ଯିବ ତ, ମତେ ଆଗ ଚା ଦିଅ ।

ରତନୀ ଅପେକ୍ଷା କରି ରହିଲା ନାହି । ମନଖୁସିରେ ଧାଇଁଲା ।

ଗଛମୂଳେ ଯେଉଁ ବୁଲା କୁକୁର ଦିଟା ଶୋଇଛନ୍ତି, ରତନୀ ତା ମନକଥା ଆଗ ସେଇଆଙ୍କୁ କହିଲା, ଅଇଁଠା ଭାତ ଏଥର ତମର ରେ, ତମ ସଙ୍ଗେ ବାଦ କରିବାକୁ ଆଉ ରହୁନାହିଁ ଯେ ମୋଠୁ ଛଡ଼େଇ ଖାଇବ । ଶୋଇ ଥା–

ଅରକ୍ଷିତକୁ କାଖକରି ଦାଣ୍ଡେ ଦାଣ୍ଡେ ଚାଲିଲା । ଆଗରେ ସେ ଯେଉଁ ମହୁଲ ଗଛ, ତଶଆରି ତଳେ ଗୁଣୁଗୁଣୁ ହେଲା, ରହ ଦେଖିବୁ ଯେ, କିଏ ଏଥର ତୋରି ମୂଳ ଓଳେଇବ । ଅରମା ହେବ, ସାପ ରହିବେ ଯେ ଏଥର, ତୋ ମୂଳକୁ କେହି ଆସିବେ ନାହିଁ ।

ଗାଁର ମାରଣା ଷଣ୍ଢଟା ଆଗରେ ଠିଆ ହୋଇଛି । ବୁଢ଼ା ହେଲାଣି, ତଥାପି ମୁଣ୍ଡହଲା ଛାଡ଼ିନାହିଁ । ଦିନେ ଅରକ୍ଷିତକୁ ମାରିବାକୁ ଖେଦି ଆସୁଥିଲା । ରତନୀ ସେଇ ଷଣ୍ଢକୁ କହିଲା, ଗରିବ ପିଲା ବୋଲି ସିନା ମାରିବାକୁ ସାହସ କଲୁ ରେ, ନୋହିଲେ ଲୋକେ ତୋ ଶିଙ୍ଗ ଭାଙ୍ଗି ଥାଆନ୍ତେ । ପାଇବୁ ଯେ ଏଥର ।

Unknown

ରତନୀ ଆଗକୁ ଚାଲିଲା, ଗାଁ ଭିତରେ ପଶିଲା । କେହି ତାକୁ କିଛି ପଚାରିଲେ ନାହିଁ । ସେବି ମୁହଁ ଖୋଲି କାହାକୁ କିଛି କହିଲା ନାହିଁ । ମନ ଖାଲି ପରିହାସ କଲା, କାଲି, ନୋହିଲେ ତା ଆରଦିନ, କି ତା ଆରଦିନ ବଳେ ପଚରାପଚରି ହେବ ଯେ, ଛତରଖାଇ ରତନୀ ପଲାଟାକୁ ନେଇ କୁଆଡ଼େ ପଳେଇଲା ବା ? କେହି କହିପାରିବେ ନାହିଁ । ଭଲରେ ନ ହେଲେ ମନ୍ଦରେ ହେଲେ ତ ମନେ ପକେଇବ, ଯିବ କୁଆଡ଼େ ? ରହ– ।

ଗାଁ ମୁଣ୍ଡର ପାହାଡ଼ । ପତିତପାବନଙ୍କ ମନ୍ଦିର । ରତନୀ ଚାହିଁଲା ତାଆରି ଆଡ଼େ । ମନ ତାର କହିଲା, ଉଚ୍ଚ ଥାନରେ ବସିଛି ତମେ ଠାକୁର, ବଡ଼ ମଣିଷଙ୍କ ଗୁହାରି ଶୁଣ, ଗରିବ ନିଆଶ୍ରାଙ୍କୁ ଗଡ଼େଇ ମାର । ବସି ଚାହୁଁଥା ଯଦି ତମର ଆଖି ଅଛି । ମୁଁ ରତନୀ ଚାଲିଲା,–ଚାଲିଲି,–ବସିଥା ତମେ–

ରତନୀର ଆଜି ସମସ୍ତଙ୍କ ଉପରେ ଅଭିମାନ । ଏଇଁ ଗାଁର ଝିଅ ସେ, ଅଛବ ଗରିବ ଖଦାଳ ଘର ଝିଅ ହେଲେ ବି ଏଇ ଗାଁର ପାଣି ପବନ, ଆଲୁଅ, ଆକାଶ ସଭିଙ୍କ ଉପରେ ତାର ସମାନ ଅଧିକାର । ସମସ୍ତଙ୍କୁ ସେ ଚିହ୍ନେ । ସମସ୍ତଙ୍କୁ ସେ ଭଲପାଏ । ଅଜାଣତରେ କଣ ଟିକିଏ ଭୁଲକଲା ବୋଲି ସମସ୍ତେ ତାକୁ ହତାଦର କଲେ, ଟାହିଟାପରା କଲେ । ପେଟ ପାଇ, ପୁଣି ପେଟର ଛୁଆ ପାଇଁ ସେ କେତେ ଦୁଃଖ ସହିଲା, ହୀନମାନ ହେଲା, ଦହଗଞ୍ଜ ହେଲା । ଭିକ ମାଗି ପେଟ ପୋଷିବାକୁ ବସିଲେ ବି ସବୁଦିନେ ଅଇଁଠା ସଙ୍ଖୁଡ଼ି ପାଣି ତୋରାଣି ମନ୍ଦେ ପାଇଲା ନାହିଁ ।

ସେ ଗାଁ ଛାଡ଼ି ଭଲ ମଣିଷ ସଙ୍ଗରେ ନ ଜାଣିଲା ଥାନକ ଯାଉଛି, ଗାଁ ଲୋକଙ୍କର କାହା ସଙ୍ଗେ ତାର ଆଉ କି ସମ୍ପର୍କ ଅଛି ? କାହିଁକି କାହା ଘରକୁ ସେ ଯିବ, ମନ କଥା ଖୋଲି କହିବ ? ନା, ସେ ଫେରିଯିବ ବଙ୍ଗଳାକୁ । ଯିଏ ତାକୁ ଆଶ୍ରା ଦେବ ତାଙ୍କରି ପାଖରେ ରହିବ ।

ରତନୀ ଏକମୁହାଁ ହୋଇ ଫେରିଲା । ପଛକୁ ଚାହିଁଲା ନାହିଁ । ଗାଁ ମୁଣ୍ଡରେ ନଜର ପଡ଼ିଲା, ଦାଦି ଖୁଡ଼ୀଙ୍କ ଖଣ୍ଡିଆ ଅରମା ଢିଅ ଉପରେ । କେତେ ବଡ଼ ବଡ଼ ଜଙ୍ଗଲ ଗଛଲଟା ହୋଇଛି ! ଢିଅ ଖଣ୍ଡିକୁ ଦାସଘର ଦଖଲ ନେଇଛନ୍ତି। ତାର ଦାଦିପୁଅ ଭାଇ, ହାଉଡ଼ାଟା, ଦାସଘର ଗୁହାଳ ପୋଛେ, ଛେଳି ମେଣ୍ଢା ଜଗେ । ନିତି ଖାଏ ନିସ୍ତକ ଛେଚା । ପେଟକୁ ଖାଇ ପଡ଼ିଥାଏ । ହାଉଡ଼ାକୁ ଥରେ ଦେଖିବ ବୋଲି ରତନୀର ଆଗ୍ରହ ହେଲା । ଯେତେହେଲେ ରକ୍ତର ଭାଇଟା ତ ।

ଦାସଘର ଆଡ଼େ ମୋହିଁଲା ।

ଦାସଘର ପୁଆଣି-ଝିଅ କୂଅରୁ ପାଣି କାଢ଼ୁଥିଲା । ତାର ପିଲାପିଲି ହବ । କହିଲା, ଆଜି କଣ ସଜବାଜ ହୋଇଛୁ, କୁଆଡ଼େ ଯିବୁକିଲୋ ?

ରତନୀ କହିଲା, ହଁ ଗୋ ଦାମିନୀ ନାନୀ, ଶାଶୁଘରକୁ ଯାଉଛି ଯେ–

ଏଁ ଶାଶୁଘର ? ଯୋଗିଆ ପୁଣି ନେବାକୁ ଆଇଚି କି ?

ମଲାମର ପୋଡ଼ା ପାଉଁଶ ଯୋଗିଆ । ତା ମୁହଁ ଦିଶେ ମତେ ନବାକୁ ଆସିବ ? ତା ରାଣ୍ଡ ମାଇପ କଣ ମଲାକି? ନାଇଁ ଗୋ ଦାମିନୀ ନାନୀ, ତମ ସେନେହ ଶରଧା ତମକୁ ଫେରେଇଦେଇ ଏ ଗାଁ ଛାଡ଼ି ମୁଁ ଯାଉଛି, ଆଜି ଯାଉଛି–

କୁଆଡ଼େ ଲୋ, କାହା ସଙ୍ଗେ ?

ଯିଏ ମୋତେ ଆଦର କଲା, ତା ବା ମୋ ଶଶୁର, ମୋ ମା ତା ଶାଶୁ–

ବଙ୍ଗଳାରେ ସେ ଅଛି କି ଆସି ?

ଜଣେ ଅଛି, ତା ମାଇପ ବି ଅଛି । ଯାଉଛି ଲୋ–

ରତନୀ ହାଉଡ଼ା ଭାଇଟା କଥା ଭୁଲିଗଲା କଥା ନହସରେ । ତରତର ହୋଇ ବଙ୍ଗଳା ଆଡ଼କୁ ଆସୁ ଆସୁ ରାସ୍ତାକଡ଼ ତେନ୍ତୁଳି ମୂଳରେ ପଡ଼ିଲା ହାବୁଡ଼େ । ଚମକି ପଡ଼ି ପିଲାଟାକୁ ତଳେ ଠିଆ କରିଦେଇ ସେ କଟମଟ କରି ଚାହିଁଲା ଯୋଗିଆ ମୁହଁକୁ ।

ଯୋଗିଆ ଡାକିଲା, ରତନୀ, ଶୁଣ– ।

ରତନୀ କାବା ହୋଇ ଚାହିଁ ରହିଲା । ରାଗ, ଭୟ, ଘୃଣା, ପ୍ରତିହିଂସାରେ ଭିକାରୁଣୀ ରତନୀର ସର୍ବାଙ୍ଗ ଥରିଉଠିଲା ।

ଅରକ୍ଷିତ ରତନୀର ପଣନ୍ତ ଧରି ଅଳି କଲା, ବୋଉ, ଭୋକ କରୁଛି– ।

ପିଲାଟାକୁ କାଖ କରିବ ବୋଲି ଯୋଗିଆ ଆଗେଇ ଆସିଲା । ରତନୀ କଡ଼େଇ ଯାଇ ପାଟିକରି କହିଲା, ବୁଝି ହୁସିଆର, ପିଲାକୁ ଛୁଉଁନା କହୁଛି–

ଯୋଗିଆ ଅଟକି ରହିଲା ।

ଯୋଗିଆ ବଲବଲ କରି ଅନେଇ ରହିଲା ରତନୀ ମୁହଁକୁ, ପୁଣି ତାର ବାଳୁତ ପିଲା ଅରକ୍ଷିତକୁ । କେତେ କଥା ତ ପେଟ ଭିତରେ ଛଟପଟ ହେଉଥାଏ, ତୁଣ୍ଡ ଖୋଲିଲା ନାହିଁ । ଯାହା ସେ କହିବାକୁ ଆସିଛି କେମିତି କହିବ ? ସାହସ ହେଉନାହିଁ । ରତନୀ ତ ଆଉ ତେର ବରଷର କିଛି ନଜାଣିଲା ପିଲା ନୁହେଁ ! ପୁଣି ରତନୀ ତ ଆଉ ଆଜି ତାର ନୁହେଁ, ରତନୀ ସାତପରଠୁଁ ବଳି ପର ।

ଏଇ ରତନୀ ଯେ ତାଆରି ଘର କରିବାକୁ ଯାଇଥିଲା । କେଡ଼େ ଭଲ ପିଲା, କେଡ଼େ ସୁନ୍ଦର । ଖଦାଳସାହିରେ ଲକ୍ଷ୍ମୀଠାକୁରାଣୀ ବିଜେ ହେଲାପରି ଦିଶୁଥାଏ । ଗାଁ ଲୋକେ ବି ସେଇଆ କହିଲେ, ଦେଖ ଯୋଗିଆର କପାଳ, କାହିଁ ତାର ଆଗ ଭାରିଯା ମଙ୍ଗୁଳୀ, ଆଉ କାହିଁ ରତନୀ ! ମଙ୍ଗୁଳୀକୁ ଦିନ ଦିପହରେ ଦେଖିଲେ ଆଖି, ଚେପଟା ନାକ । ଏଡ଼େ ଏଡ଼େ ହଳଦିଆ ଦାନ୍ତ । ଖଡ଼ିକାପରି ସରୁ । ବାପଲୋ, କି ଅବରଜିଆ ! ମଙ୍ଗୁଳୀକୁ ଧରି ତିନିବରଷ ସଂସାର କରିଥିଲା ଫେର ଯୋଗିଆ ! ଭେଟଣା ହେଲା ମଙ୍ଗୁଳୀ । ଦିଇଟା ଝାଡ଼ାବାନ୍ତିରେ ମଙ୍ଗୁଳୀ ମଲା । ଲୋକେ କହିଲେ, ମଙ୍ଗୁଳୀ ନିଜ ରୂପ ଦେଖିଲା ପରା ।

ଦିନ ଦଶଟା ରତନୀ ଯୋଗିଆ ଘରେ ରହିଥିଲା । ଭଲ ଘରର ଝିଅବୋହୁମାନେ ଖଦାଳ ଘର ପିଲାଟାକୁ ଦେଖିବାକୁ ଆସିଥିଲେ । କେତେ ପ୍ରଶଂସା କରିଥିଲେ । ଯୋଗିଆର ମନ କୁଣ୍ଢେ ମୋଟ । ରତନୀକୁ ଭଲକରି ନ ଚିହ୍ନୁଣୁ ଦିନେ ତା ଦାଦି ଯାଇ ତାକୁ ନେଇ ଆଇଲା । କହିଲା, ପିଲା ଝିଅଟା, ତା ଖୁଡ଼ୀ କାନ୍ଦୁଛି, ସାହିଲୋକେ ଜାବତା କରୁଛନ୍ତି ।

ଯୋଗିଆ ବାଧା ଦେଇ ନ ଥିଲା । ତାରି ସ୍ତ୍ରୀ, ଜ୍ଞାନ ପାଇଲେ ବଳେ ନିଜ ଘର ସମ୍ଭାଳିବାକୁ ଆସିବ ଯେ । ଯୋଗିଆ କାମରେ ମନ ଦେଲା । ବେଶି ବେଶି ଖଟିଲା । ପଇସା କଉଡ଼ି ସଞ୍ଚି ରଖିଲା ରତନୀ ପାଇଁକି, ସେ ଆସିବ ତ ଦିନେ ।

କାହୁଁ ଆସିଲା ସେ ପ୍ରଳୟ ନିଆଁ । ସତେ କି ଖାଣ୍ଡବ ବନ ଦହନ, କି ଅବା ଲଙ୍କାପୋଡ଼ି-। ଦିନ ଦିପହରେ ତ, ନିରାଟ ଖରା, ଜାତି ତାତି ସବୁ ସହିଛି । ସେଇ ଖଦାଳ ସାହିରୁ ଆଗ ଉଠିଲା-। କୁଆଡ଼େ ଥିଲା ଧାଇଁ ଆସିଲା ପବନ । ନିଆଁ ପବନ ସାଙ୍ଗ ହୋଇ ଚାରିସାହିର ସବୁ ଘର ଚାଟିଦେଲେ । ଧନୀ, ନିର୍ଦ୍ଧନ କି ଛୁଆଁ, ଅଛୁଆଁ ମାନିଲେ ନାହିଁ । ଏଇଟା ଧାନଘର କି ସେଇଟା ଠାକୁରଘର, ଲକ୍ଷ୍ମୀନୃସିଂହ ବିଜେ ହୋଇଛନ୍ତି, ,କଥା ବି ନିଆଁ ପବନ ଭାବିଲେ ନାହିଁ । ପୋଡ଼ି ଜଳି ସବୁ ପାଉଁଶ ହେଲା ।

ସାତଥର ପଛେ ଚୋରକୁ ଦେବ, ଥରେ ଦେବନାହିଁ ନିଆଁକୁ। ନିଆଁ ଯେତେବେଳେ ଖାଇଲା, ଦୋଷ ହେବ କାହାର ? ଯୋଗିଆର ସର୍ବସ୍ୱ ଗଲା । ସେ ହେଲା କାଙ୍ଗାଳ । ରତନୀ ତାର ମନେ ପଡ଼ିଲା । ଯାହା ହେବାର ତ ହୋଇଛି, ବିଦେଶକୁ ଯାଇ କିଛି ଟଙ୍କା ରୋଜଗାର ନ କଲେ ଘର କରିବ କିପରି ? ଘର ନ କଲେ ରତନୀକୁ ଆଣିବ କେମିତି ?

ଗା ଛାଡ଼ି ମୂଲ ଲାଗିବାକୁ ଗାଁ ଲୋକଙ୍କ ସଙ୍ଗେ ରେଙ୍ଗୁନ ଗଲା । ଗଲାବେଳକୁ ଥରେ ରତନୀକୁ ଦେଖାକରି ଗଲା ନାହିଁ । ହାତରେ କିଛି ଟଙ୍କା ହେଲେ ବଳେ ସେ ଫେରିଆସିବ ଯେ ।

ରେଙ୍ଗୁନ ଗଲା । ଯୁଦ୍ଧ ବେଳ । କେତେ ନୂଆ କାମ ଲାଗିଛି । ଚାକିରି ଖୋଜିବାକୁ ଅଧିକ ଦିନ ଲାଗିଲା ନାହିଁ । ଚାକିରି କଲା । ମାସକୁ ମାସ ଦଶଟଙ୍କା କରି ପଠେଇଲା ରତନୀ ନାଆଁରେ । ଚାରିଟା ମାସ ତ ପୂରିନାହିଁ, ଜାପାନୀମାନେ ମାଡ଼ି ଆସିଲେ । ବୋମା ପକେଇ ରେଙ୍ଗୁନ ସହରରେ ଖଣ୍ଡପ୍ରଳୟ କଲେ । କେତେ ଲୋକେ ମଲେ ତାର କଳନା ନାହିଁ । ପ୍ରାଣବିକଳରେ କେତେ ଲୋକ ଚାଲି ଚାଲି ଚଟ୍ଟଗ୍ରାମ ବାଟେ ଫେରିଲେ ।

ଯୋଗିଆ ବି ଫେରିଲା । ଚୋରକରି ସାମାନ୍ୟ କେଇ ଖଣ୍ଡି ସୁନା ଗହଣା କେଇଟି ଟଙ୍କା ସେ ଅରଜି ଥିଲା । ସାତ ପରସ୍ତ କରି କାନରେ ବାନ୍ଧି ଉପାସ ଭୋକରେ ଶହ ଶହ ଲୋକଙ୍କ ସଙ୍ଗରେ ଜଙ୍ଗଲ ବାଟରେ ସେ ଫେରିଲା । ବାଟରେ ପୁଣି ଚୋର ଡକେଇତ । ଯେତକ ସେ ଆଣିଥିଲା ସେତକ ବି ଡକେଇତମାନେ ଛଡ଼େଇନେଲେ, ପ୍ରାଣଟା ଛାଡ଼ିଦେଇ ଗଲେ, କପାଳ ଭଲ-

କଲିକତାରେ ପହଞ୍ଚି ଯୋଗିଆ ନିଶ୍ୱାସ ମାରିଲା । ରାସ୍ତା କାମ କରିବାକୁ ଆସାମକୁ କୁଲି ଯାଉଥିଲେ । ସେ ବି ଚାଲିଲା । ଘରକୁ ଫେରି କଣ ବା କରନ୍ତା ? ମୂଲ ଲାଗିଲେ ପେଟକୁ ନିଅଣ୍ଟ । ଘର ଖଣ୍ଡ ଉଠେଇବ କେମିତି ? ରତନୀକୁ ଆଣିବ କେମିତି ?

ଯୋଗିଆ ମାଟକାମ କଲା । ଦିନରାତି ପରିଶ୍ରମ । ଯାହା ଭେଇଲା, ପେଟ ପୋଷି ବଳକା ଧନ ସଞ୍ଚି ରଖିଲା ପାଖରେ । ଦେଖୁ ଦେଖୁ ଧନ ବଢ଼ିଲା । ଶହେ ପୂରିଲା, ଦିଶହ ପୂରିଲା, ତିନିଶହକୁ ଧକା ଦେଲା । ସବୁତ କାଗଜ, ରତନୀ ପାଖକୁ ପଠେଇବାକୁ ସାହସ ହେଲା ନାହିଁ । ପାଖରେ ରଖିବାକୁ ଡର ମାଡ଼ିଲା । କେତେବେଳେ କୋଉ କଥା । ଦିନରାତି ସେ କାମ କରୁଛି, ପଇସା ଭେଇଛି, କେତେଦିନ କି କେତେ ମାସ ବର୍ଷ ହେଲା ସେ ଗାଁ ଛାଡ଼ିଛି, ଜାଣେ ନାହିଁ ।

ଯୋଗିଆ ଫେରିଲା । ଭଲ ଲୁଗା ଖଣ୍ଡେ ପିନ୍ଧିଛି । ଦେହରେ ଜାମା । ମୁଣ୍ଡରେ ଟେରି । ଅଣ୍ଟାରେ ଟଙ୍କା । ସିଧା ସିଧା ଯୋଗିଆ ଫେରିଲା ରତନୀ ଗାଁକୁ । ରତନୀକୁ ଦେଖିଲା ନାହିଁ । ରତନୀର ରାହାବାଳୀ ଖୁଡ଼ୀ ପଦ ପଦ କରି ସବୁ ଗପିଲା । ଲାଜ, ଦୁଃଖ, ଅପମାନର ଯୋଗିଆ ମୁଣ୍ଡ ନୁଆଁଇ ଏକମୁହାଁ ହୋଇ ଫେରିଆସିଲା ଗାଁକୁ । ସେଠି ବି ସେଇ ରତନୀର ଦୁର୍ନୀତି କଥା । ଚାରିଆଡ଼େ ତ ରାଷ୍ଟ୍ର ହୋଇଛି । ଯୋଗିଆ ରାଗିଲା ନାହିଁ, ଭାବିଲା କଣ କରିବ ?

ବୁଢ଼ା ବୁଢ଼ା ଲୋକେ ଉପଦେଶ ଦେଲେ, ଆରେ ପୁଅ, ଦୋଚାରୁଣୀର ମୁହଁ ଚାହିଁ କରି ନାହିଁ ରେ, ଦେହ ଝଟକରୁ କଣ ମିଳିବ, ମନ ତ ପୋଡ଼ା ଅଙ୍ଗାର । ଘର କର । ବାହାଚେରା ହୋଇ ସଂସାର କର । ଜମି ଦିମାଣ ବାପ ତୋର ତଇଲା ତାଡ଼ିକରି ଯାଇଥିଲା । ପଡ଼ିଆ ପଡ଼ିଲା । ଜଙ୍ଗଲ ହୋଇଛି । ତା ପିଛା ଲାଗ । କାନ୍ଦିଲେ ବୋବେଇଲେ ଲାଭ କଣ ?

ଯୋଗିଆ ସେମାନଙ୍କର କଥା ମାନିଲା ।

ଘର ଦିବଖରା ତୋଳିଲା ତାର ପୁରୁଣା ଢିଅ ଉପରେ । ହଳ ବଳଦ କିଣିଲା । ଆଉ ଦିମାଣ ଜମି ବଖରା କରି କାମରେ ମନଦେଲା । ହୁଣ୍ଡା ସାଧୁଆ, ଲେଖାରେ ତାର ଭାଇ ହେବ, ଘର ଆଗରେ ତାର ବଖୁରିକିଆ ଛୋଟ ଚାଳ । ସେ ଆଉ ତାର ଭାରିଯା ଚାବୁରୀ, ମୂଲ ଲାଗି ପେଟ ପୋଷନ୍ତି । ପାଞ୍ଚ ବରଷର ପୁଅ ଗଣିଆଁ । ଯୋଗିଆ ସାଧୁଆକୁ ସାଙ୍ଗ କଲା । ପରିଶ୍ରମ କରି ଧାନ ରୋଇଲେ । ଚାବୁରୀ ବି ଲାଗିଲା ଯୋଗିଆର କାମରେ ।

ଗାଁ ଲୋକେ କହିଲେ, ଡେରି କାହିଁକି ? କେଉଁଠୁ ଦେଖି କାମିକା ଝିଅଟିଏ ଘରକୁ ଆଣ-। ଚତରାଙ୍କ ପରି ଚଳିବୁ କାହିଁକି ?

ମନେ ପଡ଼ିଲା ରତନୀ । ଶୁଣୁଛି, ରତନୀର ପୁଅ ହେଇଛି ଗଛମୂଳେ । ରତନୀ ଭିକ ମାଗି ଚଳୁଛି । ଯୋଗିଆ ଭାବେ, ରତନୀକୁ ଥରେ ପଚାରିବି କି ?

କଣ ପଚାରିବ ?

ଦିନେ ପଚାରିଲା ଚାବୁରୀକୁ । ଚାବୁରୀ କହିଲା, ଆରେ, ମାଇପି ଜନମ କେଡ଼ ହୀନମାନ । ମରଦ ପୁଅ ତମେ ଜାଣିବ ନାହିଁରେ, ଜାଣିବ ନାହିଁ । ସୁନା-ଖଡ଼ିକା ପରି ରତନୀ, ବାପ ମା ତ ନାହାନ୍ତି, ଖୁଡ଼ି ତାକୁ ବେର ଅବସ୍ଥା ଦେଲା । ଯେତେ ଟଙ୍କା ତୁ ପଠେଇଲୁ ସବୁ ତାର ରାହାବଳୀ ଖୁଡ଼ୀ ନେଲା । ପେଟକୁ ଦାନା ଦେଲାନାହିଁ । ଦିନରାତି ପିଠିରେ ମାଡ଼ ବସେଇଲା । କହିଲା, ଯୋଗିଆ ମଲାଣି, ଆଉ କାହା ଆଶ୍ରା ଧର । ଏତେ ସହି ରତନୀ କଣ କୁଆଡ଼େ ଗଲା ?

ଯୋଗିଆ କାବାହୋଇ ଚାବୁରୀର କଥା ଶୁଣିଲା ।

ଚାବୁରୀ କହିଲା, କେତେଥର ସେଇ ରତନୀ ସଙ୍ଗରେ ମୋର ଦେଖା ହୋଇଛି । କାନ୍ଦି କାନ୍ଦି ସବୁ ଦୁଃଖ ସେ ମୋ ଆଗେ କହେ । ଖୁଡ଼ୀକି ସେ କିଛି କହେ ନାହିଁ । ଆଉମାନଙ୍କୁ କହେ, ହାତ ଧରି ଯିଏ ମତେ ବାହା ହେଉଛି ତା ପାଇଁ ବାର ବରଷ ଅନେଇବି, ସେଉଠୁ ଯାହା କରିବି ।

ଆରେ ଯୋଗିଆ, ପିଲା ମଣିଷ, ଭଲମନ୍ଦ କି ଜାଣେ ? ଲୋକେ କହିଲାରୁ ଖୁଡ଼ୀ ତଡ଼ିଲାରୁ ତାର ଜ୍ଞାନ ହେଲା, ପେଟରେ ପିଲା ଅଛି ! କାହାର ? ସେ କଣ ଜାଣେ ? ବାବୁ ନା ବାବୁ ! ବଡ଼ ଲୋକ । ସମସ୍ତଙ୍କୁ ସେ ସତକଥା କହିଲା । କେହି ତାର ସାହା ଭରସା ହେଲେ ନାହିଁ ।

ଚାବୁରୀ ଆଖିରେ ଲୁହ ।

ଯୋଗିଆ ପଚାରିଲା, କଣ କରିବି ?

ଅପେକ୍ଷା କର । ଫସଲଟା ଉଠିଯାଉ । ଜାତିଲୋକଙ୍କୁ ଜାତିଆଣ ଭୋଜିଭାତ ଦେଇଦେବୁ । ରତନୀ ତୋର ମାଇପ । ତାକୁ ଆଣି ଘରେ ରଖିବୁ । ସୁଖରେ ସଂସାର କରିବୁ ରେ ଯୋଗିଆ ! ଖଦାଳ ଆମେ, ଛୋଟ ଜାତି । ପିଲାଟା ଯାହାର ହେଉ ବଡ଼ ଜାତିର ହୋଇଥିବ । ଖଦାଳ ଘରେ ଖଦାଳ ହୋଇ ରହିବ । ପୁଅ ପିଲା କାହାକୁ ଗନ୍ଧାଏ ରେ ? ନ ରଖିବୁ ଯଦି, ମତେ ଦେଇ ଦେବୁ ରେ ଯୋଗିଆ, ମୁଁ ପାଳିବି । ଗଣିଆ ସାଙ୍ଗକୁ ସେ ବି ହେବ ମୋର ପୁଅ ।

ଚାବୁରୀର କଥା ଯୋଗିଆର ମନକୁ ପାଇଲା ।

ମନ କଥା ମନରେ ରହିଲା । ମଣିଷ ଯାହା ମନରେ ପାଞ୍ଚେ କାମରେ ହୁଏ କେଉଁଠି ? ବେଶିଦିନ ଯାଇନାହିଁ । ହୁଣ୍ଡା ସାଧୁଆ ଯୋଗିଆର ଧାନକ୍ଷେତ ଜଗିବାକୁ ଯାଇଥିଲା । ଜଙ୍ଗଲ କଡ଼କୁ ଲାଗି ତାର କ୍ଷେତ । ଧାନ ପାଚିଛି । ମିରିଗପଲ କ୍ଷେତରେ ପଶି ଫସଲ ଉଜାଡ଼ୀ ଦେଉଛନ୍ତି-। ଛୋଟ ମଞ୍ଜା ଉପରେ ରାତିରେ ବସି କ୍ଷେତ ଜଗନ୍ତି ଗାଁ ଲୋକେ ଯୋଗିଆ ନିଜ କ୍ଷେତ ଜଗେ । କେବେ କେବେ ସାଧୁଆକୁ ବରଗେ ।

ଦିନକର, ଅନହୁତି କଥା । ରାତି ଅଧରେ ସାଧୁଆର ମନ ହେଲା ଘରକୁ ଆସିବ । ବାଟ ପାଏ ତ ହେବ । କେଡ଼େ ସୁନ୍ଦର ଜହ୍ନ ପଡ଼ିଛି । ସାଧୁଆ ଆସିଲା । ପଥୁରିଆ ନଣ୍ଡା ପାହାଡ଼ କଡ଼ରେ ସାଧୁଆ ଭାଲୁ ହାବୁଡ଼େ ପଡ଼ିଲା । ଦୁର୍ଯୋଗ କଥା ।

ସାଧୁଆର ଖଣ୍ଡିଆ ଖାବୁଡ଼ା ଦେହ ସକାଳୁ ମିଶିଲା ପାହାଡ଼ ତଳ ରାସ୍ତା କଡ଼ରେ ! ନହୁନୁହାଣ ଦେହ । ମୁହଁ ଦେହ । ମୁହଁ ଦେହ ଆଞ୍ଚୁଡ଼ା । ଚିହ୍ନି ହେଉନାହିଁ । ଜ୍ଞାନ ହାରିଛି । ପିଣ୍ଡରେ ପ୍ରାଣ ଅଛି । ଗାଁକୁ ବୋହି ଆଣିଲେ। ଡାକ୍ତରଖାନାକୁ ନେବା ଦରକାର ପଡ଼ିଲା ନାହିଁ, ମଶାଣିକୁ ନେଲେ ।

ଚାବୁରୀର ଦୁଃଖ କହିଲେ ନ ସରେ । ଗଣିଆକୁ ଧରି ଚାବୁରୀ ଦିନରାତି ବାହୁନିଲା । କାନ୍ଦଣା ଶୁଣିଲେ ପଥର ତରଳିବ । ଯୋଗିଆ ପ୍ରାଣପଣ ସାହାଯ୍ୟ କଲା । ହେଲେ, ସାଧୁଆକୁ ଫେରେଇଦେବ କିଏ ? ଯୋଗିଆର କ୍ଷେତ ଜଗିବାକୁ ଯାଇ ସିନା ତାର ପ୍ରାଣ ଗଲା, ଗଣିଆଁ ହେଲା ଅନାଥ ।

ଗାଁ ଲୋକ ବିଚାର କଲେ । ଖଦାଳସାହିଆ ଏକା ମତ ଦେଲେ । ବୁଢ଼ା ବୁଢ଼ାମାନେ ଯୋଗିଆକୁ ସମଝେଇ କହିଲେ । ଯୋଗିଆ ଭାବିଲା, ଭାବିଲା, ଶେଷକୁ ଚାବୁରୀର ଦୁଃଖଦୁର୍ଦ୍ଦଶା ଦେଖି ତାର ନିଃସହାୟ ଅବସ୍ଥା, ଆଖିର ଲୁହ, ପୁଣି ଗଣିଆଁର ଶୁଖିଲା ମୁହଁ ଦେଖି, ଲୋକଙ୍କର ପ୍ରସ୍ତାବରେ ସେ ହିଁ ଭରିଲା ।

ଚାବୁରୀ ହେଲା ଯୋଗିଆର ସ୍ତ୍ରୀ ।

ରତନୀର ସ୍ମୃତି ଏକାଥରେ ସେ ମନରୁ ପୋଛିଦେଲା । ଲୋକେ ଭୋଜିଭାତ ଖାଇଲେ-। ଯୋଗିଆର ବୁଦ୍ଧିକୁ ପ୍ରଶଂସା କଲେ ।

ଯୋଗିଆ ସୁଖରେ ସଂସାର କଲା । ଚାବୁରୀ ପରି କାମିକା ସ୍ତ୍ରୀ ଓ ଗଣିଆଁ ପରି କୁହାର ବୋଲର ସୁଧାର ପୁଅ ସେ ପାଇଛି । ନ ଜାଣିଲା ଲୋକେ କେବେ ହେଲେ ଭାବିବେ ନାହିଁ ଯେ ୟାଙ୍କର ଗୋଟାଏ ଥାଇତା ସଂସାର । କେବେ କେମିତି ନିରୋଳା ବେଳରେ ରତନୀର କଥା ମନରେ ପଡ଼େ । ଚାବୁରୀକୁ ଆଗରେ ଦେଖିଲା ରତନୀ କଥା ପାସୋର ଯାଏ ।
ଦୁଇ ବର୍ଷ କଟିଲା ।

ଚାବୁରୀ କୋଳରେ ଯୋଗିଆର ପୁଅ ! ଗଣିଆଁ ସାଙ୍ଗକୁ ମଣିଆଁ । ଏକୋଇଶା ସିନା ଗଲା, ଚାବୁରୀର ସୂତିକା ଦୋଷ, ଗ୍ରହଣୀ । କେତେ ଔଷଧ ସରିଲା, ଭଲ ହେବ ନାହିଁ । ଦିନୁଦିନ ଦୁର୍ବଳ ହେଲା ।

କହିଲା ଦିନେ ଯୋଗିଆକୁ, ବଞ୍ଚିବ ନାହିଁରେ, ରତନୀ ତେଣେ ଭିକ ମାଗୁଛି । ପିଲାଟିକୁ ଧରି ବାର ହଇରାଣ ହରକତ ହେଉଛି । ଆହା ବିଚାରୀ ! ତାଆରି ନିଶ୍ୱାସ ମୋ ଉପରେ ପଡ଼ିବ । ଗଣିଆଁ ମଣିଆଁ ତମକୁ ଲାଗିଲେ । ମୁଁ ସିନା ଉଡ଼ା ଚଢ଼େଇ, ରତନୀ ଯେ ତମର ସ୍ତ୍ରୀ, ତାକୁ ଯାଇ ଆଣିବ । ନୋହିଲେ ଧର୍ମ ସହିବ ନାହିଁ । ତା ପିଲାର ଭଲମନ୍ଦ ହେଲେ ଏ ପିଲା ଦିଓଟିଙ୍କୁ ଠାକୁରେ ଅନେଇବେ ନାହିଁ । ମୋ ସାନକୁହା ମାନ, ଆହା ବିଚାରୀ, ତାକୁତମେ ଆଣିବ, ତାକୁ ତମେ ନିଶ୍ଚେ ଆଣିବ ।

ପାଖରେ ବସିଛି ଗଣିଆଁ, କୋଳରେ ଶୋଇଛି ମଣିଆଁ । ଯୋଗିଆ ଗୋଡ଼ ଆଉଁସୁଛି । ଚାବୁରୀ କହିଲା, ଗଣିବାପା ସବୁଦିନେ ସପନଉଛ । ଆ ଆ ବୋଲି ଡାକୁଛି । ଯିବି, ଯିବି–, ମଣିଟି ତ ତମର– । ଉତାଣି ପିଲା, କିଏ ପାଳିବ ? ରତନୀ–, ରତନୀ– ।

ଚାବୁରୀ ଆଖି ବୁଜିଲା, ହସିଲା ମୁହଁ, ଆଖିରେ ଲୁହ ।

ଚାବୁରୀ ସିନା ଚାଲିଗଲା, ତାର ସେଇ ଅନୁରୋଧଟି ଯୋଗିଆ ମନରେ ଘୋରତେଇ ହେଲା । ଦୁଇମାସର ପିଲା ଏ ମଣିଆଁଟି, କେମିତି ତାକୁ ବଞ୍ଚେଇବ ? ସାତବର୍ଷର ପିଲା ହେଲେବି ତାକୁ ଜଗି ବସିଛି । ମାଆ ପରି ଯତ୍ନ ନେଉଛି ଥରେ ସଂସାର କରିବାକୁ ମନ ଡାକୁନାହିଁ । ହେଲେ, ମଣିଆଁ ବଞ୍ଚିବ କେମିତି ?

ଖଦାଳସାହିର ବୁଢ଼ା ମୁରବିମାନଙ୍କ ସଙ୍ଗେ ପରାମର୍ଶ କଲା । ସମସ୍ତେ ମଙ୍ଗିଲେ । ରତନୀକୁ ଜାତି କରେଇନେବା, ଗୁରୁଗୋସେଇଙ୍କ ଗୋଡ଼ତଳେ ଜାତିଆଣ ଟଙ୍କା ଦେବା । ତାଙ୍କ ତୁଣ୍ଡରୁ ଆଜ୍ଞା ପାଇଲେ ଜାତିଭାଇ ଅଡ଼ିବେ ନାହିଁ । ଗୁରୁଗୋସେଇଁ ଦୟାବନ୍ତ ପୁରୁଷ । ଆମେ ସମସ୍ତେ କହିଲେ ସେ ନାହିଁ କରିବେ ନାହିଁ । ତୋ ଜମିରେ ତ ସୁନା ଫଳୁଛିରେ ପୁଅ, ଅଭାବ ତ ନାହିଁ, କାହିଁକି ହଇରାଣ ହେଉଛୁ ?

ଯୋଗିଆ ମନକୁ ମୁରବିମାନଙ୍କର କଥା ପାଇଲା । ଘରଦ୍ୱାର, ଜମିବାଡ଼ି, ଗାଈଗୋରୁ ପୁଣି ପିଲା ଦିଟାକୁ ସମ୍ଭାଳିବ କିଏ ? ଚାବୁରୀ କହିଯାଇଛି । ରତନୀ ପ୍ରତି ବି ତାର ଗୋଟାଏ କର୍ତ୍ତବ୍ୟ ଅଛି ।

ରତନୀ ମଙ୍ଗିବ ତ ? ଆଜିଯାଏ ତ ସେ ତାକୁ ପଚାରିନାହିଁ । ତାର ଭଲମନ୍ଦ ବୁଝିନାହିଁ । ଥରେ ଯିଏ ପଦାକୁ ଗୋଡ଼ କାଢ଼ିଛି ବାରଦୁଆରେ ହାତ ପାତି ଭିକ ମାଗି ପେଟ ପୋଷିଛି ସେ କଣ ସହଜରେ ବୋଲ କରିବି ? ଓଲେଈ ଗାଈ–

କାହାକୁ କିଛି ନ କହି ଯୋଗିଆ ବାହାରିପଡ଼ିଲା । ରତନୀ ଯଦି ମଙ୍ଗେ, ରତନୀ ଯଦି ସାଙ୍ଗରେ ଆସେ, ଦାଣ୍ଡଲୋକ ନିନ୍ଦା ନିନ୍ଦା କରି କହିଲେ ସେ ଶୁଣିବ ନାହିଁ । ଜାତିଭାଇ ତ ତାକୁ କୁଳକୁ ନେବାକୁ ପ୍ରସ୍ତୁତ ଅଛନ୍ତି, ଦାଣ୍ଡଲୋକଙ୍କ ଅଲଣା କଥାରୁ ତାକୁ କି ମିଳିବ ?

ଅନହୁତ, ସେଇ ତେନ୍ତୁଳିଗଛ ମୂଳରେ ଦେଖା ।

ଯୋଗିଆ କେତେ କଣ କହିବ ବିଚାରିଥିଲା । ରତନୀର ଜଳିଲା ଜଳିଲା ଆଖି ଦୁଇଟାକୁ ଚାହିଁ ସବୁ ପାସୋରିଗଲା । ମନେ ପଡ଼ିଲା ଛ ବର୍ଷ ତଳର କଥା, ତେରବର୍ଷର ସୁନ୍ଦର ସରଳ ଝିଅ, ଯାହାର ହାତ ଧରି ସେ ବିବାହ କରି ଘରକୁ ନେଇଥିଲା ସେଇ ରତନୀ ୟେ ! ଦୁର୍ବଳ, ରୁକ୍ଷ, ଭିକାରୁଣୀ, ଦୋଚାରୁଣୀ । କେତେ ଦୁଃଖ ସହିଛି, ଅପମାନର ବୋଝ ମୁଣ୍ଡରେ ବୋହି ବଞ୍ଚି ରହିଛି ।

କାହା ପାଇଁ ?

ଯୋଗିଆର ଛାତି ଭିତରେ କୋହ । ଆଖି ଦିଟାରେ ଢଳ ଢଳ ଲୁହ । କାହା ପାଇଁ ରତନୀର ଏ ଦଶା ? କାହା ପାଇଁ ପେଟ ବିକଳରେ, ଲାଜରୁ ରକ୍ଷା ପାଇବାକୁ ଲୁଗାଖଣ୍ଡେ ପାଇଁ, କେଉଁ ଅଜଣା ପରପୁରୁଷର କଅଁଳ କଥାରେ ଥରଟିଏ ଭୁଲି ଚିରଦିନ ପାଇଁ ପେଟବିକଳରେ ଛଟପଟ ହେଲା, ଲାଜ, ଅପମାନର ବୋଝ ବୋହି ଚାଲିଲା ?

ଯୋଗିଆ ଯଦି ବିଦେଶକୁ ଯାଇ ନ ଥାନ୍ତା, ଆମ୍ବ ଡିମିର କର କୁଡ଼ିଆ ଖଣ୍ଡେ ଉଠେଇ ବିଲମାଟି ହିଡ଼ରେ ଲଦି ସୁଖେ ଦୁଃଖେ ସଂସାର କରିଥାନ୍ତା, ତର ବାହାହେଲା ସ୍ତ୍ରୀ କାହା ପରି ଆଜି ଗଛମୂଳେ ଠିଆ ହୋଇଥାନ୍ତା କାହିଁକି ? ଯେଉଁ ଦୁଇଟା ଦେହ, ମନ ଓ ସ୍ୱାର୍ଥ ଭିତରେ ବୁଢ଼ିଆଣୀ–ସୂତା ପାଇଁ ବ୍ୟବଧାନ ନଥାନ୍ତା, ତା ଭିତରେ ଆଜି ଅଚଳ ମହାମେରୁ ଠିଆହୋଇଥାନ୍ତା କାହିଁକି ? ଯେଉଁ ଦୁଇଟା ଜୀବନର ମାୟା ଛନ୍ଦାଛନ୍ଦି ହୋଇ ପରସ୍ପର ବ୍ୟକ୍ତିତ୍ୱ ହରାଇ ବସିଥାନ୍ତି, ସେ କାହିଁକି ଛଅବର୍ଷ କାଳ ବିପରୀତମୁଖୀ ହୋଇ ଅନ୍ୟ ଆଶ୍ରା ଲୋଡ଼ିଥାନ୍ତା ?

ଏତେ ଦିନର ଅବହେଳା ପାଇଁ ସେ ଅନୁତାପ କରିବ । ରତନୀକୁ ଫେରାଇନେବ ଘରକୁ । ଜାତିଭାଇ ଯଦି ତାର କାମ ପସନ୍ଦ ନ କରନ୍ତି, ରତନୀ ଆଉ ଗରିଆଁ, ମଣିଆଁ, ଅରକ୍ଷିତର ହାତଧରି ଖଦାଳ ଜାତିର ପାହାଚରୁ ତଳ ପାହାଚକୁ ଓହ୍ଳେଇଯିବ । ହିନ୍ଦୁ ଜାତିର ଜାତିଆଣ ପାହାଚ ତ ଲମ୍ବିଯାଇଛ ତଳକୁ ତଳକୁ ରସାତଳକୁ, ନରକକୁ–

ଯୋଗିଆ ମନର କଥା ଖୋଲି କହିବାକୁ ତରିଲା ଓଠ ଖୋଲି କହିଲା, ରତନୀ, ସବୁ ଦୋଷ ମୋର । ତତେ ମୁଁ ନେବାକୁ ଆସିଛି, ମୁଁ ଯୋଗିଆ, ତୋଓରି ବର । ଚାଲ ମୋ ସାଙ୍ଗରେ ରତନୀ, ଦେ ଅରକ୍ଷିତକୁ । ମୁଁ ତାକୁ ଛାତିରେ ଯାକିନେବି । ସେ ମୋରି ପୁଅ ରତନୀ, ମୋର ଅବହେଳାରେ ଜିଅନ୍ତା କଣ୍ଢେଇ । ମୋ ଛାତିରୁ ସେ ତଳକୁ ଓହ୍ଳେଇବ ନାହିଁ । ଚାଲ ରତନୀ, ଗତକଥା ଭୁଲି ଯା–

ଯୋଗିଆର ଆଖିରୁ ଲୁହ ଧାର ଗଡ଼ି ଆସିଲା ।

ରତନୀର ଜଳିଲା ଜଳିଲା ଆଖି ଛଳ ଛଳ ହେଲା । ନାକପୁଡ଼ା ଥରି ଉଠିଲା । ସେ କଟମଟ କରି ଚାହିଁଲା ଯୋଗିଆ ମୁହଁକୁ । ଏଇ ତାର ବର ! କେତେ ବର୍ଷ ତଳେ କେଜାଣି ଏଇ ତାର ହାତଧରି ଘରକୁ ନେଇଥିଲା ଘରଣୀ କରି। ଯେତେଦିନ ତାଙ୍କର ଘରେ ସେ ଥିଲା ଲାଜ ସଙ୍କୋଚରେ ଯୋଗିଆର ମୁହଁକୁ ଭଲକରି ଚାହିଁ ନ ଥିଲା । ଘର ଆଗରେ ଚାବୁରୀ ଅପା, କେଡ଼େ ଭଲ ମଣିଷଟି ତ, ତାରି ପାଖେ ପାଖେ ସେ ଥାଏ । ତାକୁ ପାଖରେ ପାଇବାକୁ ଏଇ ବର ଯୋଗିଆ, ଛୁଆଖାଈ ବିଲେଇ ପରି ଏପାଖ ସେପାଖ ହେଉଥାଏ । ନିରୋଳାରେ ଥରେ ଦେଖିବାକୁ ଓର ଉଣ୍ଡୁଥାଏ। ପାଖରେ ପାଇଲେ ତା ହାତଟି ଧରେ । ଏଣେ ତେଣେ ଅନାଏଁ । ଟିକି ଛୁଆକୁ ବାପ ମା କୋଳ କଲା ପରି ସେ ତାକୁ କୋଳରେ । ବାଇଆ କୁକୁର ପରି ମୁହଁରେ ମୁହଁ ଲଗାଇ ଦେହ ସଲସଲିଆ ଗେଲ କରେ ।

ଖିଁ ଖିଁ ହୋଇ ଚାବୁରୀ ଅପା ପଛରୁ ହସିଦିଏ । ଏଇ ଯୋଗିଆ ତାକୁ ଛାଡ଼ି ମୁହଁ ତଳକୁ କରି ଠିଆହୁଏ । ଚାବୁରୀ ଅପା ତାର ହାତଟି ଧରି ଗେହ୍ଳେଇ କହେ, ଆରେ ଯୋଗୀ ରତନୀ । ଛୁଆଟାରେ ତାକୁ ଗେଲ କରିବାର ବଅସ ଆସୁ, ସେତ ତୋଅରି ଦରବ, ତୋଓରି ଘରଣୀ ଚିରଦିନ ତୋଅରି । ତାର ବୟସ ହେଉ, ଭଲମନ୍ଦ ବୁଝିବାର ମନ ହେଉ, କେତେ ସ୍ନେହ, କେତେ ସୁଆଗ କରିବୁ ଦେଖିବି ରହ ।

ଯୋଗିଆର ପିଠି ଆଉଁସେ । ପୁଣି କହେ, ତମେ ଦିହେଁ ମୋ ଆଖି ଆଗରେ ମନଇଚ୍ଛା ଖେଳ, ହେଲେ ତାକୁ ତ ଏମିତି କିଲିବିଲି କର ନା ।

ଚାବୁରୀ ରତନୀକୁ ପାଖକୁ ଆଣି ତା ମୁହଁଟି ଟେକଧରେ । ଗେଲକରି କହେ, ଦେଖ୍ ଯୋଗି, ତୋ ରତନୀ ଯେ ପୁନେଇଁ ଜହ୍ନ, ତୋ ଆଗ ଭାରିଯା କାଳୀ କୋତରୀ ମଙ୍ଗୁଳୀ ପରି ସେ ନୁହେଁ ମ, ମୋ ଆଗରେ ତାକୁ ଗେଲ କରୁନୁ? ଯୋଗିଆ ଚିଲ ପରି ଛୁଟି ପଳାଏ ।

ସାତଦିନ ପରେ ଦାଦି ଘରକୁ ନେଇଆସିଲା ।

ବିଦେଶ ଗଲା ଯୋଗିଆ । ଟଙ୍କା କେଇଟି ପଠେଇଥିଲା ।

ତା ପରେ– ?

ଶୁଣା ଗୁଣା ନାହିଁ । କେତେ ଦହଗଞ୍ଜ, ମାଡ଼ଗାଳି, ଉପାସଭୋକ ସହିଲା । ତୁଣ୍ଡ ଖୋଲି ଜଣକୁ କହିଥିଲା, ପରଗାଁର ପରଘରରର ବୋହୂ ଚାବୁରୀକୁ । ମନ ଖୋଲି ଜଣକ ଆଗରେ ଗୁହାରି କରିଥିଲା, –ଠାକୁରେ ମୋ ବର ଫେରିଆସୁ । ଦୁଃଖ କଷ୍ଟ ପଛେ ମୁଁ ସହେ, ସେ ଭଲରେ ଫେରୁ । ପ୍ରାଣଖୋଲି ଜଣକୁ ସେ ଚାହିଁ ଥିଲା, –ତାର ଯୋଗିଆ । ଯେତେ ହୀନମାନ ହେଲେ ବି ଯୋଗିଆ କଥା ଭାବିଲେ ସବୁ ଦୁଃଖ ଭୁଲିଯାଏ ।

ଏଇ ଯୋଗିଆ– ତାରି ବର ଆଗରେ ଠିଆ ହୋଇଛି, ଦୋଷଦିଆ ଆଖିରେ ଅନେଇଛି, ପୁଣି ସାକୁଲେଇ ହୋଇ କହୁଛି । ସେ ପୁଣି କାନ୍ଦୁଛି କାହିଁକି ?

କଣ ସେଦିନ ହୋଇଥିଲା ସେ ନିଜେ ଜାଣିନାହିଁ ! କୁଆଡ଼ର ସେ ଚାବୁଟି, କେଡ଼େ ସୁନ୍ଦର ରୂପ ଦୟାଳୁ ପୁରୁଷ ! କଅଁଳ କତା । ନୋଳା-ଫଟା ପିଠିରେ ହାତ ଆଉଁସିଥିଲା–ଅତି ଅସନା ଅଭେକା ଖଦାଳ ଝିଅଟାର ! ଟିକିଏ ଘୃଣା କଲା ନାହିଁ । ଫୁରୁଫୁରୁ ନୁଖୁରା ବାଳରେ ଆଙ୍ଗୁଠି ଗଳାଇ ସଜାଡ଼ି ଦେଇଥିଲା । ହାତଧରି ପାଖରେ ବସାଇଥିଲା । ମୁଣା ଝାଡ଼ି ଦଶଟଙ୍କା ଦେଇଥିଲା–

ଦିହରେ ବୋଳିଥିଲା ସେ; କଅଁଳ ହାତ, ଦେହ ଶିର ଶିର କରେଇଲା, ରକ୍ତରେ ନିଆଁ ଲଗେଇଲା, ଆଖିରେ ନିଦୁଆ ଭେଳିକ, ମନରେ ମୂର୍ଚ୍ଛାଳିଆ ମୋହ ।

କୁଆଡ଼େ ପୁଣି ସେ ଗଲା । ସପନ ପରି ଲାଗିଲା ।

ଖୁଡ଼ୀ ସେଦିନ ନିସ୍ତୁକ ଛେଚିଲା, ଘରୁ ତଡ଼ିଦେଲା, କହିଲା, ତୋ ପେଟରେ କାହାରି ପିଲା, ଯା-ଯା । ସବୁ ସେ ଶୁଣିଲା । ତଥାପି କହିଲା, ଯା ଯା, କୂଅ ପୋଖରୀକୁ ଡେଇଁପଡ଼, ଦଉଡ଼ା ଦେଇ ମର । ତୁ ଦୋଚାରୁଣୀ ହେଲୁ । ବୁଡ଼ିବୁଡ଼ି ପାଣି ପିଇଲୁ । ତଣ୍ଟିରେ କଣ୍ଟା ଲଗିଛି । ତୁ ଅଲାଜୁକୀ । ଏ ଘରୁ ତୁ ଯାଆ, ତୋ ପାଇଁ ମୁଁ ନିନ୍ଦା ଅପମାନ ସହିବି ନାହିଁ !

ଯୋଗିଆକୁ ମନେ ପକାଇ ସେ ବାହୁନିଥିଲା, ଭାବିଥିଲା, କେହି ସିନା ତା ଦୁଃଖ ବୁଝିଲେ ନାହିଁ, ଯୋଗିଆ ନିଶ୍ଚେ ବୁଝିବ । ହାତଧରି ବାହା ହୋଇଛି । ତାକୁ ଝୁରିଝୁରି ଅପେକ୍ଷା କରି ରହିଛି । ଅଜାଣତରେ ଭୁଲଟାଏ କରିପକାଇଛି, ଦେହଟା ବଞ୍ଚେଇ ରଖିବାକୁ, ସେଇ ଯୋଗିଆ ପାଇଁ । ସେ କଣ ବୁଝିବ ନାଇଁ ?

ଏଇ ତାର ବର ! କେତେଦିନକେ ଆସିଲା । ପଦେ ପଚାରିଲା ନାହିଁ । ଖୁଡ଼ୀ ସଙ୍ଗେ ଦୁଃଖସୁଖ ହୋଇ ବାହୁଡ଼ିଥିଲା ।

ଆଜି କାହିଁକି ପାକଳଉଛି ? ବାଟ ଓଗାଳିଲା ପରି ଠିଆ ହୋଇ ସକଉଛି ? ଏଡ଼େ ଚଲାଖ ?

ରତନୀ ଜାଣେ ଯେ, ସବୁ ଶୁଣିଛି । ଚାତୁରୀ ଅପା ମରିଛି, ଉତାଣି ପିଲା ଛାଡ଼ିଯାଇଛି । ସେଥିପାଇଁ ଗହ୍ମା ପୁନେଇଁ ଦିନ ମାଇଁ ?

ଥଳକୂଳ ନାହିଁ, ଏତେଦିନଯାଏ ଭାସୁଥିଲା ସେ, ଯୋଗିଆ ତ ଗୋଡ଼ରେ ଠେଲିଦେଲା, ମଲା ହଜିଲା ଖୋଜିଲା କି ? ଥଳକୂଳ ସେ ଆଜି ପାଇଛି । ସେ ଯିବ, ତାଙ୍କରି ସାଙ୍ଗରେ ଯିବ । ଠାକୁରାଣୀ ମା ଦୟା କରିଛନ୍ତି । ତାଙ୍କରି ଘରେ ତାଙ୍କର କାମଦାମ କରି ଅରକ୍ଷିତକୁ ବଞ୍ଚେଇବ । ଅରକ୍ଷିତ ମଣିଷ ହେବ ।

ଯୋଗିଆର ଫାନ୍ଦରେ ସେ ପଡ଼ିବ ନାହିଁ । ତା ଲେଖାରେ ରତନୀ ମରିଛି । ଯେଉଁଦିନ ସେ ମୁହଁମୋଡ଼ି ଚାଲିଗଲା, ସେଇଦିନୁ ସେ ଜାଣି ଛାଡ଼ପତ୍ର ଦେଲା । ରତନୀ ଆଉ କାହାରି ଗରଣୀ ନୁହେଁ, ସେ ଖାଲି ଅରକ୍ଷିତର ମା । ରତନୀ ଆଉ କାହାରି ଭାରିଯା ହେବ ନାହିଁ, କାହାରି ବୋଲଣା ସହିବ ନାହିଁ । ଭିକ ମାଗୁଥିଲା, ଏଥର ସେ ପରଙ୍କର ସେବା କରିବ, ଗାଳିମାଡ଼ ସହି ଯାହାକୁ ସେ ଦୁନିଆକୁ ଆଣିଛି ତାକୁ ବଞ୍ଚେଇବ । ସେ ଯିବ, ଗାଁ ଗଣ୍ଡା ଛାଡ଼ି କେଉଁ ଅଜଣା ଥାନାକୁ ପଳାଇବ ।

ଯୋଗିଆର ମୁହ ଉପରୁ ଦୃଷ୍ଟି ଫେରାଇ ରତନୀ ଅରକ୍ଷିତକୁ ଚାହିଁଲା । ଯୋଗିଆର କଥାର ଉତ୍ତର ନ ଦେଇ ପିଲାଟିକୁ କାଖକରି ଆଗକୁ ଚାଲିଲା ।

ଯୋଗିଆ ତା ପଛେ ପଛେ ସମ୍ଭାଳି ପାରିଲା ନାହିଁ । କହିଲା, ଶୁଣୁଛୁ ରତନୀ–

ରତନୀ ରାଗ ସମ୍ଭାଳି ପାରିଲା ନାହିଁ । ପଛକୁ ମୁହଁ ବୁଲେଇ କହିଲା, କିରେ ତତେ ଆଉ ତରିଲା ମିଳିଲା ନାହିଁ କି ? ତୋ ମାଇପ ରତନୀ କେବେଠୁଁ ମଲାଣିରେ, କେବେଠୁଁ ମଲାଣି । ଭଲ ଦଶା ଅଛି ତ ବାଟେ ବାଟେ ଯେ, ମୋ ପଛରେ; ଗୋଡ଼େଇଛୁ କାହିଁକି ରେ ?

ରାଗୁଛୁ କାହିଁକି ରତନୀ, ମୋ କଥା ଶୁଣ–

ବୁଲିପଡ଼ି ମୁହଁ ଫଣଫଣ କରି ରତନୀ କହିଲା, ରଖିଥା ତୋ ସୋଆଗ । ବିଦେଶରେ ରହିଲୁ, ପଚାରିଲୁ ନାହିଁ । କଅଣ ଖାଇ ବଞ୍ଚିବ, କଅଣ ପିନ୍ଧି ମୋ ଦେହଟା ଘୋଡ଼େଇ ରଖିବି ଖାଲି ତୋଓରି ପାଇଁକି, ସେ କଥା ତୁ ଚିନ୍ତିଲୁ ନାହିଁ, ଟଙ୍କା ପଠେଇଲୁ ନାହିଁ । ପେଟକାଳ ସିନା ସହିହେଲା, ଖୁଡ଼ୀର ବିଧାଗୋଇଠା କାଠଫାଳିଆ ମାଡ଼ ସିନା ସହି ପାରିଲି, ଅଜାବଅସିଆଙ୍କଠୁ ଭାଇବଅସିଆ ଦୁନିଆଁ ଲୋକଙ୍କର ମୁଡ଼ୁକି ହସ, କଣୁଆଁ ଚାହାଣୀକୁ ମୋ ଦୃଷ୍ଟିରେ ଗୋଇଠା ମାରି ସିନା ଅଡ଼େଇ ଦେଇ ପାରିଲି ରେ ଯୋଗିଆ, ମନକୁ ସିନା କାଠପଥର କଲି, ମୋ ନିଜ ଆଖି ଦିଟାକୁ ମୁଁ ତାଡ଼ିକରି ଫୋପାଡ଼ି ଦେଇପାରିଲି ନାହିଁ । ମୋ ଦିହଟା ବଡ଼ ହେଲା, ଡବଡ଼ବ କରି ଦୁନିଆଁକୁ ଚାହିଁଲା, ମତେ ବି ଅନେଇଁଲା । ଲାଜସରମରେ ମୁଁ ସଢ଼ିଲିରେ ଯୋଗିଆ, ଭାବିଲି ତୋଓରି ଦରବ ମୁଁ, ମତେ ମୁଁ ଲୁଚେଇ ଛପେଇ ରଖିବି । ଆହା, ସେ ଅଜଣା ବାବୁଟି, ଦୟା ଦେଖାଇ ପାଖକୁ ନେଲା, ଲୁଗାଖଣ୍ଡେ କିଣିବାକୁ,ଏଇ ଦେହର ଲାଜ ଘୋଡ଼ାଇବା ପାଇଁ ଟଙ୍କା ଦେଲାରେ ଯୋଗିଆ, ମତେ ସ ସ୍ନେହ ଦେଖାଇଲା, ଯେମିତି ଦିନେ ତୁ ଦେଖୁଥିଲୁ । ମୁଁ ତୋର ଖାଏ ନାଇଁ କି ଧାରେ ନାହିଁ । ତୁଇ ମତେ ଦୋଚାରୁଣୀ କରେଇଲୁ ।

ତୋଓରି ପାଇଁ ମୁଁ ଭିକ ମାଗିଲି ରେ ଯୋଗିଆ, ଏତେ ଦୁଃଖ ସହିଲି, ସଂସାର ଲୋକଙ୍କ ଟାହିଟାପରା ଦିହର ମଳି କଲି । ଉପାସଭୋକରେ କୁକୁରଖିଆ ଅଇଁଠାଭାତ ପେଜ ପାଣି ପିଇ ଗଛମୂଳ ଆଶ୍ରା କଲି । ଆଜି କାହିଁକି ଧାଇଁ ଆସିଛୁ ରେ ? ଲାଜ ନାହିଁ କୋ ମୁହଁକୁ ?

ଯୋଗିଆ କହିଲା, ଗତ କଥା ଭୁଲିଯା ରତନୀ ।

କାହିଁକି ଭୁଲିବି ? ଭୁଲିଥିଲେ, ଖୁଡ଼ୀର ଭଲ କଥା ହିତ କଥା ଆଗରୁ ଶୁଣିଥିଲେ ଏତେ ସରି ହୋଇଥାନ୍ତି କାହିଁକି? ଆଉ କାହାର ଘର କରୁଥାନ୍ତି ଯାଇଁ । ଯେତେବେଳେ ଆଶ୍ରା ନ ଥିଲା, ସେତେବେଳେ କେହି ପଚାରିଲେ ନାହିଁ । ଆଜି ମୁଁ ଆଶ୍ରା ପାଇଛି ।

ଆଶ୍ରା ପାଇଛୁ ?

ହଁ । ଅରେ ଯୋଗିଆ, ଯେତେହେଲେ ଦିନେ ମତେ ଘରକୁ ଘରଣୀ କରି ନେଇଥିଲୁ, ତୋର ମନ୍ଦ ମନାସିବ ନାହିଁ । ତୋ ବାଟରେ ତୁ ଯା, ମୋ ବାଟରେ ମୁଁ ଯାଏଁ । ବେଶି ଯଦି କଟାଳ କରିବୁ ଭଲ ହେବ ନାହିଁ ।

ରତନୀ ସିଧା ଚାଲିଲା ବଙ୍ଗଳା ଆଡ଼େ ।

ଯୋଗିଆ ବାଟ କଡ଼ରେ ଠିଆ ହୋଇ ଏକା ଆଖିରେ ଚାହିଁ ରହିଲା । ମୁଣ୍ଡ ଭିତରର ଭାବନା ଗୋଳମାଳ ହୋଇଗଲା । କଣ କରିବ ଭାବକି ସ୍ଥିର କରି ପାରିଲା ନାହିଁ ।

ସୂର୍ଯ୍ୟ କେତେ ଉପରକୁ ଉଠିଲେଣି । ଖରା ଟାଣ ହୋଇଆସୁଛି । ଗାଁ ଆଡ଼ୁ କେତେ ଲୋକ ଆସୁଛନ୍ତି । ଦୂରରୁ ମଟର ହର୍ଣ୍ଣ ଶୁଭୁଛି ।

ରାସ୍ତା ମୋଡ଼ରେ ଲୁଚିଯାଉଛି ରତନୀ ।

ଜିନିଷପତ୍ର ବନ୍ଧା ସରିଛି, କିନ୍ତୁ ବିତର୍କ ଶେଷ ହୋଇନାହିଁ । ବିବାହିତ ଜୀବନର ଚାରିବର୍ଷ ଭିତରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏପରି ବାଦାନୁବାଦ କେବେ ହୋଇ ନ ଥିଲା । କୌଣସି ବିଷୟରେ ମତଭେଦ, ମୁହଁ ଶୁଖାଶୁଖି, ମାନିମାନ ଯେ ନ ହୁଏ ଏହା ନୁହେ; କିନ୍ତୁ ସେ ସବୁ କ୍ଷଣକରେ କୁଆଡ଼େ ଯାଏ । ଆଗ ସୁକୃତୀ ଆସି ଦୋଷ ମାଗିନିଏ । ସ୍ୱାମୀଙ୍କର ଇଚ୍ଛା ବିରୁଦ୍ଧରେ କୌଣସି କଥା କରିବାକୁ ସେ ପାପ ବୋଲି ମଣେ ।

ଆଜି ସ୍ୱାମୀଙ୍କର ଇଚ୍ଛା ବିରୁଦ୍ଧରେ ସେ ଗୋଟାଏ ବଡ଼ କାମ କରିବାକୁ ବସିଛି । ଜୀବନ ଯେତେ ବୁଝାଇଲେ ସେ ବୁଝୁନାହିଁ । ଏକା ଝୁଙ୍କ ଧରିଛି, ରତନୀ ଆଉ ତାର ପୁଅ ଅରକ୍ଷିତକୁ ସେ ଅବଶ୍ୟ ସଙ୍ଗରେ ନେବ । ସେଥିପାଇଁ ଯଦି ଶାଶୂଶଶୁର କି ଆଉ କେହି ବିରକ୍ତ ହୁଅନ୍ତି ସେ ସବୁ ସହିବ । ସେ ଲୋଡ଼ୁଛି ଅନୁମତି ।

ଜୀବନ କହିଲେ, ଉତ୍ତେଜନାରେ ଭାସିଗଲେ ହେବ ନାହିଁ । ଭଲମନ୍ଦ ଭାବି ବିଚାରି ନ କଲେ ଶେଷକୁ ସମସ୍ତ; ହଇରାଣ ହେବା । ଯାହାର ଭଲ କରିବାକୁ ବସିଛ, ଓଲଟି ତାର ଖରାପ ତମେ କରିବ । ଛୁଆଁ ଅଛୁଆଁ କଥା ମୁଁ କହୁନାହିଁ । ବାପା ବୁଢ଼ାକାଳିଆ ଲୋକ ହୋଇ ମଧ୍ୟ ଜମିଦାରର ଅହମିକା ଛାଡ଼ି ଆଗ ଛୁଆଁ ଅଛୁଆଁ ଆମ ଘରୁ ଉଠେଇଲେ । ଲୋକେ ପ୍ରତିବାଦ କଲାରୁ ପାଖରେ ଟହଲିଆ କରି ରଖିଲେ ହୀନା ସାମଲ ପାଣକୁ । ତା ହାତରୁ ବି ସେ ପାଣି ଖାଆନ୍ତି । ବୋଉ ଆଗ ଆଗ ବିରକ୍ତ ହେଉଥିଲା, ଏବେ ତାକୁ ଆରେଇ ଗଲାଣି । ସେ ବି ଆଉ ଛୁଆଁ ଛୁତି ମାନୁନାହିଁ । ତମେ ବି ସେଇଆ–

ବାଧା ଦେଇ ସୁକୃତୀ କହିଲା, ଏକା ମୁଁ କାହିଁକି ହେବି ? ସଭ୍ୟ ସମାଜର ସଭିଏଁ ଆଜିକାଲି ଛୁଆଁଛୁତି ଆକଟକୁ ପାପ ବୋଲି ମଣିଲେଣି । ଉଠେଇ ଦେଲାଣି । ରତନୀକୁ ସଙ୍ଗରେ ନେଲେ କିଛି ଅସୁବିଧା ହେବ ନାହିଁ । ଘର ମଣିଷ ପରି ଘରେ ରହିବ । କାମ କରି ମୁଠାଏ ଖାଇବ, ଖଣ୍ଡେ ପିନ୍ଧିବ । ତାର ସେଇ ପିଲାଟା ବଞ୍ଚିଯିବ । ଆମ ଘରେ ରହି ମଣିଷ ହେବ ।

ତମେ ମତେ କୁହାଇ ଦେଉନ ସୁକୃତୀ, ରତନୀ ତ କେବଳ ଅଛୁଆଁ ଖଦାଳ ନୁହଁ, ସେ ଆଉ କିଛି–

ଦୋଚରୁଣୀ ? ଭିକାରୁଣୀ ? ଯାହା ହେଉ, ମଣିଷ ତ ସେ । ବୋଉଙ୍କୁ ମୁଁ ସବୁ କଥା ଫିଟେଇ କହିବି । ଦେଖିବ, ସେ କେମିତି ଦୁଃଖ କରିବେ, ରତନୀକୁ ଆଦର କରିବେ–

ମୋ ବୋଉକୁ ମୁଁ ତମଠୁ ଭଲକରି ଜାଣେ । ତମର ମନରେ ଦୁଃଖ ନ ଦେବାକୁ ତମେ ଯାହା ଭାବୁଛ ସେ ଠିକ୍ ସେଇଆ କରିବ, କିନ୍ତୁ ତାମନ ଭିତରୁ ରତନୀ ଆଉ ତା ପିଲା ଘୃଣାଭାବ ଘୁଞ୍ଚିବ ନାହିଁ ।

କାହିଁକି ?

ଅନୀତିକୁ ସେ ଘୃଣା କରେ । ହିନ୍ଦୁ ନାରୀର ଆଦର୍ଶକୁ ସେ ଜୀବନ ଅପେକ୍ଷା ମୂଲ୍ୟବାନ ମଣେ । ସତୀତ୍ୱର ମାର୍ଗରୁ ଯେ ଅମଡ଼ାକୁ ଗୋଡ଼ ବଢ଼ାଏ ସେ ତା ଆଖିରେ ଘୃଣ୍ୟ ।

ସୁକୃତୀ ଭାବିଲା । ଯେପରି କୁଣ୍ଠିତ ହୋଇ କହିଲା, ଯଦି ପେଟବିକଳରେ ଜୀବନ ବଞ୍ଚାଇବାକୁ କେହି ଥରଟିଏ ଅବାଟକୁ ଯାଏ ?

ଯଦି ଭଲମନ୍ଦ ନ ଜାଣି କେହି–

ତେବେ ବି, କାରଣ ଆଦର୍ଶ ତ ଭାଙ୍ଗିଲା ! ଭଲମନ୍ଦ ନ ଜାଣିବା ହିଁ ତ ଦୋଷ ।

ତମର ମତ ବି କଣ ଠିକ୍ ଏଇଆ ?

ହିଁ । ସ୍ତ୍ରୀ ଜାତିର ପବିତ୍ରତା ପାଇଁ ତ ଏ ଦୁନିଆଁ ସୁନ୍ଦର ହୋଇଛି, ନୋହିଲେ ମଣିଷଜାତି ଅତୀତର ପଶୁ–ସଭ୍ୟତାକୁ, ଗୁହା ଭିତରକୁ ଫେରିଯିବ । ସ୍ତ୍ରୀ ଜାତିର ସତୀତ୍ତ୍ୱକୁ ଭିତ୍ତି କରି ହିନ୍ଦୁର ସଭ୍ୟତା ଓ ସଂସ୍କୃତି ଗଢ଼ା ।

ପୁରୁଷ ଜାତିର ନୁହେ ?

ହିନ୍ଦୁ ନାରୀର ଦାୟିତ୍ୱ ବେଶି ।

ରତନୀର ଅବସ୍ଥା ତେବେ ହେବ କଣ ?

ଯାହା ଏବେ ହୋଇଛି ।

ସେ ଓ ତାର ଶିଶୁ ଖାଇବା ବିନା ମରିବେ ?

ହୁଏତ ମରିବେ । ହିନ୍ଦୁ ସମାଜର ସଭ୍ୟତା ଓ ସଂସ୍କୃତି ଆଗରେ ଯୁଗଯୁଗ ଧରି କେତେ ରତନୀ ଆଉ କେତେ ଅରକ୍ଷିତ ଆତ୍ମବଳି ଦେଇଛନ୍ତି, ଦେଉଛନ୍ତି, ପୁଣି ସମାଜର କେତେ ତଳ ପାହାଚକୁ ଓହ୍ଲେଇଯିବ । ଠିକ୍ ତାରି ପରି କେଉଁ ହତଭାଗ୍ୟ ହାତ ଧରି–

କିଏ ସେ ହତଭାଗ୍ୟ ? ସେ ପୁଣି କେଉଁଠୁ ଆସିବ ? ଯେଉଁ ଭାଗ୍ୟବାନ ତମରି ପରି ଉଚ୍ଚଶିକ୍ଷିତ ଧନୀ ଭଦ୍ରଲୋକଟିଏ, ଦରିଦ୍ର ନିଃସହାୟ ଦେଖି ରୁପବତୀ ଅଛୁଆଁ ଝିଅର ସର୍ବନାଶ କରିଗଲା ସେ କେବଳ ତମରି ପରି ବକ୍ତୃତା ଦେଉଥିବ, ଆଉ ଯାହାର ସର୍ବନାଶ ହେଲା, ଯାହାର ସୁଖର ସଂସାର ଭାଙ୍ଗିଲା, ସୁନେଲି ଭିବଷ୍ୟତ ପୋଡ଼ିଜଳି ପାଉଁଶ ହେଲା, ସେ କଳଙ୍କର ପସରା ମୁଣ୍ଡରେ ବୋହି ଦାଣ୍ଡେ ଦାଣ୍ଡେ ବୁଲି ହାତ ପାତ ଭିକ ମାଗିବ, ପୁଣି ଭିକ ନ ମିଳିଲେ ପେଟ ଜ୍ୱାଳାରେ ଆତ୍ମହତ୍ୟା କରି ମରିବ ?

ସୁକୃତୀର ଆଖି ଦୁଇଟାରେ ନିଆଁ ଜଳିଲା । ସେ କହିବାକୁ ଲାଗିଲା, ନା, ତା ହୋଇପାରିବ ନାହିଁ । ବୋଉ ଯାହା ମନେ କରନ୍ତୁ ରତନୀ ଆଉ ତାର ପିଲା ମୋ ସଙ୍ଗରେ ଯିବେ । ହୀନ ସାମଲ ଯେମିତି ତମ ବାପାଙ୍କ ପାଖେ ପାଖେ ଅଛି, ରତନୀ ସେମିତି ମୋ ପାଖେ ପାଖେ ରହିବି । ସେ ନିଶ୍ଚିୟ ଯିବ ।

ଜୀବନ ଭାବିବାକୁ ଲାଗିଲେ–ଧନ୍ୟ ଏ ଅବାଧ୍ୟ ସୁକୃତୀ ! ସବୁ ଘଟଣା କଣ ସେ ଜାଣିପାରିଚି ? ତୁଣ୍ଡ ଖୋଲି କହୁନାହିଁ ? ଏତେ ଭିକାରୁଣୀ ଦାଣ୍ଡହାଟରେ ବୁଲୁଛନ୍ତି, ହଠାତ୍ ଏ ରତନୀ ପ୍ରତି ସୁକୃତୀର ଏତେ ଦୟା କାହିଁକି ?

ସନ୍ଦେହରେ ପଡ଼ିଲେ ଜୀବନ ।

ମନର ଭୂତ କାୟା ବିସ୍ତାରି ଆଗରେ ଠିଆ ହେଲା । ଜୀବନ ଭାବିଲେ, ସୁକୃତୀର ସଂକଳ୍ପରେ ସେ ବାଧା ଦେଉଛନ୍ତି କାହିକି ? ଦୁନିଆଁ ବଞ୍ଚି ରହିଛି ତାର ସନ୍ତାନ ପାଇଁ । ମଣିଷଜାତିର ପ୍ରଗତି, ତାର ଉଦ୍ୟମ, ଲୋଭ, ବଞ୍ଚିରହିବାର ବାସନା କେବଳ ସନ୍ତାନ ପାଇଁ । ତେବେ ରତନୀ ଯାଇ ଅରକ୍ଷିତ ଯାଉ, କେହି ନ ଜାଣିଲେ ମଧ୍ୟ ସେ ତ ଜାଣନ୍ତି ଅରକ୍ଷିତ ତାଙ୍କରି ସନ୍ତାନ ! ନିଜର ସନ୍ତାନ ବୋଲି କହିବାର ସାହସ ନ ଥିଲେ ମଧ୍ୟ ଅରକ୍ଷିତକୁ ତ ସେ ବଞ୍ଚେଇପାରିବେ, ମଣିଷ କରିପାରିବେ !

ସୁକୃତୀ ପଚାରିଲା, ତୁନି ରହିଲ ଯେ ?

ଜୀବନ କହିଲେ, ତମେ ସ୍ଥିର କରିଛ ଯେ ସେମାନେ ଯିବେ । ମୋର ସବୁ ବିତର୍କ ବିଫଳ ହୋଇଛି, ମୋର ଆଉ କହିବାର କିଛି ନାହିଁ । ତମର ଇଚ୍ଛା ପୂରଣ ହେଉ । ମୁଁ ବାଧା ଦେବିନାହିଁ ।

ତମେ ବାଧା ଦେବନାହିଁ, ଅଥଚ ତମର ଆଗ୍ରହ ଅନୁମତି ନାହିଁ । ରତନୀ ଆଉ ତାର ପିଲା ଯେମିତି ଅଛନ୍ତି ସେମିତି ଥାଆନ୍ତୁ । ମୁଁ ସେମାନଙ୍କୁ ସଙ୍ଗରେ ନେବାକୁ ଚାହେନାହିଁ । ତମର ଅବାଧ୍ୟ ହେବନାହିଁ । ମତେ କ୍ଷମା କର ।

ସୁକୃତୀର ଆଖି ଛଳ ଛଳ ହେଲା । ସେ ଜୀବନଙ୍କ ଆଗରୁ ଘୁଞ୍ଚିଆସି ଆଉଜା କବାଟ ମୁକୁଳା କଲା । ଚାକର କୋଳରୁ ରୋଗଣା ପିଲାଟିକୁ ନେଇ ଛାତିରେ ଯାକି ଧରିଲା । ଚାକରଟୋକାଟକୁ କହିଲା, ମଟର ବସ୍ ଆସି ରାସ୍ତା ଉପରେ ଠିଆ ହେଲାଣି । ବୁଧିଆକୁ ଡାକ୍ । ଜିନିଷପତ୍ର ମଟର ପାଖକୁ ବୋହି ନେ, ଜଲଦି ।

ସୁକୃତୀର ନଜର ପଡ଼ିଲା, ରତନୀ ପିଲାଟିକୁ ଧରି ରୋଷଘର ପାଖକୁ ଲାଗି ଯେଉଁ ଘର ବଖରାଟି, ଯେଉଁଥିରେ ବୁଧିଆ ରହେ, ସେଇ କୋଠରୀ ଭିତରକୁ ଗଲା । ବୁଧିଆର ପାଟି ଶୁଭୁଛି ସେ ଘରୁ ।

ପଛରୁ ଡାକିଲେ ଜୀବନ, ଶୁଣ ସୁକୃତୀ !

ସୁକୃତୀ ଆଗକୁ ଗଲା ।

ତମେ ରାଗିଲ ?

ରାଗିବି କାହିଁକି ? ତମ ସଙ୍ଗେ ତର୍କ କରିବା ମୋର ଉଚିତ ନ ଥିଲା । ତମର ଆଦେଶ ପାଳନ କରିବାହିଁ ମୋର କର୍ତ୍ତବ୍ୟ ।

ଅଭିମାନ ?

ନା ଟିକିଏ ଦୁଃଖ । ତମକୁ ନ ପଚାରି ଉତ୍ତେଜନାରେ ମୁଁ ରତନୀ ଆଗରେ କହିପକେଇଲି ଯେ ତାକୁ ପିଲାକୁ ସଙ୍ଗରେ ନେବି । ପ୍ରଥମେ ସେ ବିଶ୍ୱାସ କରି ନ ଥିଲା । ପରେ ପୁଣି ବିଶ୍ୱାସ କଲା । ଭାବୁଛି, କେମିତି ତାକୁ ମନା କରିବି । ସତ କଥା ତ, ସମାଜରେ ଶହ ଶହ ରତନୀ ଅଛନ୍ତି, ଶହ ଶହ ଅରକ୍ଷିତ ଅଛନ୍ତି, ଜଣକୁ ସଙ୍ଗରେ ନେଲେ ସମସ୍ତଙ୍କର ଦୁଃଖ ଯିବ ନାହିଁ । ରତନୀ ସଙ୍ଗରେ ଦେଖା, ଅନୁହିତ । ତାର ପ୍ରାଣର ଦୁଃଖ ସେ ମୋ ଆଗରେ ନିଃସଙ୍କୋଚରେ ଖୋଲି କହିଲା ବୋଲି ମୋର ମନ କେମିତି ତା ଆଡ଼କୁ ଢଳି ଯାଇଥିଲା । ସେ ନ ଯାଉ । କିଛି ତକୁ ନ କହିଲେ ବଳେ ସେ ବୁଝିବ । ସଭ୍ୟ ସମାଜର ପୁରୁଷଟିଏ ସେ ଦିନେ ଦେଖିଥିଲା, ସଭ୍ୟ ସମାଜର ସ୍ତ୍ରୀଟିଏ ବି ସେ ଦେଖିବ–

ଜୀବନ ପଚାରିଲେ, ହଠାତ୍ ଏପରି ମତ ବଦଳାଇବା ପାଇଁ ମୁଁ ଭାବୁଛି, ମୁଁ ଦାୟୀ ।

ସୁକୃତୀ କହିଲା, ଦାୟୀ କେହି ନୁହେ । ଆହୁରି ଗୋଟିଏ କଥା ମନକୁ ମୋର ଆସିଲା । ଅତି ଗୁରୁତର । ତମେ ବି ସେ କଥା ବିଚାରୁଛ, କହିବାକୁ ମନ କରୁନାହିଁ

କଣ ?

ରତନୀ ସିନା ଭିକାରୁଣୀ, ସେ ତ ଯୁବତୀ, ସୁନ୍ଦରୀ । ଆଜି ସେ ଘୃଣାର ପାତ୍ର । କେହି ତାକୁ ଆଡ଼ ଆଖିରେ ଅନାଉଁନାହିଁ ତାର ପେଟଚିନ୍ତା । ଆଉ ତାର ପିଲା ଚିନ୍ତା ଛଡ଼ା ଅନ୍ୟ ଚିନ୍ତା ନାହିଁ । କାଲି ଯେତେବେଳେ ଆମ କୁଟୁମ୍ୱର ଜଣେ ହୋଇ ସେ ରହିବ, ପେଟ କି ପିଲା ପାଇଁ ସେ ଭାବିବ ନାହିଁ, ସେ ପୁଣି ସୁନ୍ଦର ହେବ । ମଉଳିଥିବା ଯୌବନଶ୍ରୀ ଉଜଳି ଉଠିବ। ଦାଣ୍ତର ଚଗଲା ମଣିଷର ଆଖି ଅବଶ୍ୟ ତା ଉପରେ ପଡ଼ିବ । ରତନୀ ତ ଆଖି ବୁଜି ରହିବ ନାହିଁ ! ସେ ତ ମଣିଷ । ଆମର ସରଳ ସଂସାରରେ ପୁଣି ଏ ଜଟିଳତାକୁ ପ୍ରଶ୍ରୟ ଦେଇ ନୂଆ ସମସ୍ୟା ଆଗରେ ଠିଆହେବାକୁ ପଡ଼ିବ ।

ମାନେ ?

ରତନୀକୁ ଅନ୍ୟ କାହାକୁ ବାହା କରେଇଦେବା ସମ୍ଭବ ନୁହେ । ରତନୀ ଯିବ, କିନ୍ତୁ ରତନୀ ବେଶି ନ ରହିବ ନାହିଁ । ନିନ୍ଦା, ଅପମାନ ମୁଣ୍ତକୁ ଆସିବ । ନା, ରତନୀ ଯିବ ନାହିଁ । ସେ ନ ଗଲେ ତାର ପୁଅ ଅରକ୍ଷିତ ବି ଯିବ ନାହିଁ । ନ ବୁଝି ନ ସୁଝି ତା ମନରେ ଯେଉଁ ଆଶା ଦେଇଥିଲି, ସେଥିପାଇଁ ମୁଁ ତାଠୁଁ କ୍ଷମା ମାଗିବି ।

ଜୀବନଙ୍କର ଛାତିରେ ଚମକ ଲାଗିଲା–ରତନୀ ଯିବ ନାହିଁ ! ଅରକ୍ଷିତ ଯିବ ନାହିଁ ! ତାଙ୍କର ମନ ଚାହୁଁ ଥିଲା, ସେ ପ୍ରତିବାଦ କରିବେ, ବାଧା ଦେବେ, କିନ୍ତୁ ସୃକୃତୀ ଅଡ଼ି ବସିବ, ରତନୀ ଓ ଅରକ୍ଷିତକୁ ସଙ୍ଗରେ ନେବ ନାହିଁ। ଜୀବନଙ୍କର ମନକାମନା ବିଫଳ ହେବ ?

ଅରକ୍ଷିତ ଦାଣ୍ତରେ ଠିଆହୋଇ ତାଙ୍କର ଆଡ଼କୁ ବଲ କରି ଅନାଇଁ ରହିଛି । ଜୀବନ ଚାହିଁ ରହିଲେ । ଦେଖିଲେ, ସେଇ ଟିକି ମୁହଁଟିରେ ତାଙ୍କର ପିତାଙ୍କର ମୁହିଁର ଆଭାସ ଅଛି, କାନଦିଓଟି ଠିଆ ଠିଆ, ନାକଟିର ଗଢ଼ଣ ବି ସେହିପରି । କେଜାଣି ତାର କପାଳରେ ଅଜାଙ୍କ କପାଳର ସାମଞ୍ଜସ୍ୟ ଥିବ, ଚିବୁକରେ ପଣଅଜାଙ୍କର । ତାଙ୍କ ପୂ୍ର୍ବପୁରୁଷର ପ୍ରତୀକ ସେ ଅରକ୍ଷିତ, ଅଣହେଳାରେ ଜୀବନ ହାରିବ ?

ଜୀବନ ଦୀର୍ଘେଶ୍ୱାସ ଛାଡ଼ିଲେ ।

ଏ ଲୁଗା, ଏ ଟଙ୍କା ଲୋଡ଼ା ନାହିଁରେ ବୁଧିଆଭାଇ, ଯିଏ ଦୟା ପାଇ ମତେ ଆଉ ମୋର ପିଲାଟିକୁ ଆଶ୍ରା ଦେବାକୁ ସଙ୍ଗରେ ନେଉଛନ୍ତି, ସେ ଧନୀ ଘରର ବୋହୂ । କେଉଁ କଥାରେ ତାଙ୍କର ଅଭାବ ନାହିଁ । ଏଇ ଦେଖ, ସେ ମତେ ଏଇ ଲୁଗା ପିନ୍ଧବାକୁ ଦେଇଛନ୍ତି, ମୋ ପିଲାକୁ ଜାମା ଦେଇଛନ୍ତି । ଲୋଡ଼ାହେଲେ ପୁଣି ସେ ଦେବେ । ରଖିଥା ବୁଧିଆଭାଇ, ରଖିଥା; ତୋରି କାମରେ ଲାଗିବ ।

ରତନୀର ସୁଆଗିଆ କଥା ଶୁଣି ବୁଧିଆ ଉତ୍ତର ଦେଲାନାହିଁ । କରୁଣ ଆଖିରେ ଅନେଇଁ ରହିଲା ତା ମୁହଁକୁ । କେତେଦିନର କେତେ ଘଟଣା ତାର ମନେ ପଡ଼ିଲା । ଏଇ ରତନୀ, ପିଲାଟି ଦିନୁ ତାଙ୍କ ସେ ଦେଖିଆସୁଛି । ଅଛୁଆଁ ଖଦଳ ଘରର ଝିଅ । ବାଟେ ବାଟେ ଯାଏ । ଏଣିକି ତେଣିକି ଅନାଏଁ ନାହିଁ । କାହାରି ସଙ୍ଗେ ଖଳବ ଲଗାଏ ନାହିଁ । ଭଲ ପିଲାଟିଏ । ରତନୀ ବାହା ହେଲା, ଶାଶୁଘରକୁ ଗଲା । ଶାଶୁଘର ଫେରିଲା । ବର ଆଉ କେଉଁଠି ରହିଲା, ରତନୀ ରହିଲା ଗାଁରେ । ସବୁ ଦୁଃଖ ତାର ଦେଖିଛି ବୁଧିଆ–ଖୁଡ଼ୀର ଅତ୍ୟାଚାର, ମାଡ଼ଗାଳି, ରତନୀର ଉପାସ ଭୋକ ! ବଳିଲା ଭାତ ଟେକିଦେଇଛି ରତନୀକୁ ।

ତା ପରେ– !

ଓଃ, କେତେ କଥା ତ ମନେ ତ ପଡ଼ୁଛି । ରତନୀ ତାକୁ ହିଁ ଦାୟୀ କରେ–ତୁଇ, ତୁଇ ମତେ ଏତେ ସରି କଲୁରେ ବୁଧିଆଭାଇ, ତୋରି ପାଇଁ ମୁଁ ଆସି ବାଟରେ ଠିଆହେଲି । ତୋରି ପାଇଁ ଏଇ ଅଣବାପୁଆ ଅବେଇଜ ମୋ ପେଟରୁ ଜନମିଛି, ମତେ ହଇରାଣ କରୁଛି ।

ବୁଧିଆ ତୁଣ୍ଡ ଖୋଲି ନ ମାନିଲେ ମଧ୍ୟ ନିଜକୁ ଅପରାଧୀ ମନେକରେ । ଭାବେ, ରତନୀର ପୂରାପୂରି ଦାୟିତ୍ତ୍ୱ ଯେପରି ତାଆରି ମୁଣ୍ଡରେ ପାହାଡ଼ ପରି ଲଦା ହୋଇଛି ।

ସେଇଥିପାଇଁ–

ରତନୀ ଯେବେ ମୁହଁ ଶୁଖେଇ କାଖରେ କାନ୍ଦିଲା ପିଲାକୁ ଯାକି ବୁଧିଆ ଆଗରେ ଆସି ଠିଆହୁଏ, ମାଗେ ନାହିଁ ତ କଟାଳ କରେ, ଦେ ମୋ ଦଶଟଙ୍କା ! ପିଲାକୁ ମୋ ପେଟରେ ରଖିବାକୁ ତାର ବୋପା ଯେଉଁ ଯଙ୍କା ଦେଇଥିଲା ମୁଁ ତତେ ଦେଉଛି । ଦେ ବୁଧିଆଭାଇ, କାହାରି ତୁଣ୍ଡରେ ଆଜି ଦୟାପଦ ନାହିଁ, ସଞ୍ଜ ହେଲା, ମା ପୁଅ ଦିହେଁ ଆମେ ଖାଡ଼ା ଉପାସ । ସେ ସିନା ମୋ ଛାତିରୁ ମାଉଁସ ରେକଟି ରକ୍ତ ଶୋଷୁଛି ରେ, ମୋର ଦେହ ଚଳୁନାହିଁ ।

ବୁଧିଆ କାଢ଼ିଦିଏ ତାର ଦଶଟଙ୍କା ।

ରଖିଥା, ରଖିଥା ବୁଧିଆଭାଇ, କୋଉଠି କାଳେ ହଜିବ । ପଇସା ଦିଅଣା କି ଚରଣା ଦେଇଥା । ହୋଟଲବାଲାକୁ ଦେଲେ ଭାତମୁଠିଏ ଦେବ ଯେ, –ମହଙ୍ଗା ତ କାଳ–

ବୁଧିଆ ଦିଅଣା ପଇସା ଦିଏ ।

କେତେ ଦିଅଣା ସେ ଦେଇଛି । ପାଞ୍ଚବର୍ଷ କଟିଲା । ରତନୀର ଦଶଟଙ୍କା ସେମିତି ଅଛି-। ବରଂ ସେଇ ଦଶଟଙ୍କିଆ କାଗଜ ଉପରେ ଗୋଟି ଗୋଟି କରି ସେମିତିକା କେତେ କାଗଜ ସେ ମାସକୁ ମାସ ଯୋଖି ରଖିଛି । କଣ ହେବ ତାର ଧନ ? କିଏ ଅଛି ଖାଇବ ? ସେ ବି ଛେଉଣ୍ଡ ପିଲା, ଛତରା ପିଲା, ଅଜାତି । ଯାହା ରୋଜଗାର କରେ ସବୁ ସାଇତି ରଖେ ।

ଛିଣ୍ଡା ଲୁଗା ପିନ୍ଧି ରତନୀ ଆସି ଆଗରେ ଠିଆ ହୁଏ ଦୂରେଇ କରି । ପିଲାକୁ ତଳେ ଠିଆ କରେ । ଡାକେ, ଆଜି କାହା ତୁଣ୍ଡରୁ ଆହା ପଦ ବାହାରିଲା ନାହିଁ, ଦେ ମୋ ଟଙ୍କା !

ବୁଧିଆ ନିରିଖି ଚାହେଁ ରତନୀକୁ । ଛାତିରେ ଚମକ ଲାଗେ । ନିରୋଳା ଡାକବଙ୍ଗଳା । କେହି କୁଆଡ଼େ ନାହିଁ । ଆଗରେ ଅଧଲଙ୍ଗୁଳୀ ଯୁବତୀ !

ବୁଧିଆ ନିରିଖି ଚାହେଁ । ମନ ହୁଏ, ଭଲ ଲୁଗା ଖଣ୍ଡେ ଦବ । ଡର ମାଡ଼େ । ଲୋକେ ଦେଖିଲେ ପଚାରିବେ। ରତନୀ କହିବ । ଲୋକେ କଣ ଭାବିବେ ?

ପଇସା ସଙ୍ଗେ ମଇଳା ଦରହ ଲୁଗା ଖଣ୍ଡେ ଦିଏ ।

ଭିକାରୁଣୀ ରତନୀ ଆଉ ତାରି ପୁଅ ଅରକ୍ଷିତ ଦୂରରେ ଥାଇ ମଧ୍ୟ ଯେପରି ବୁଧିଆର କୁଟୁମ୍ୱର ମଣିଷ । ରତନୀ ଗାଁ ଛାଡ଼ି ଚାଲିଯିବ, ଅରକ୍ଷିତ ଯିବ, ବୁଧିଆ ହେବ ଏକୁଟିଆ । ପୁରୁଣା ଲୁଗା ଖଣ୍ଡି ରତନୀକୁ ଦେବ ବୋଲି ନୂଆ ଲୁଗା ଖଣ୍ଡେ ସେ କିଣି ରଖିଥିଲା । ରତନୀ ତ ଯାଉଛି, ନେଇଯାଉ ସେ ନୂଆ ଖଣ୍ଡିକ । ଗାଁ ଲୋକେ ଜାଣିବେ ନାହିଁ ।

ରତନୀ ନେଲା ନାହିଁ । ଓଲଟି କହିଲା, ତୋ ୠଣ ମୁଁ ସୁଝିପାରିବି ନାହିଁରେ ବୁଧିଆଭାଇ, ଅରକ୍ଷିତର ବାପ ନାହିଁ ବୋଲି ସିନା ଦୁନିଆ ଲୋକେ କହିବେ, ଅରକ୍ଷିତ ସିନା ବାପ ବୋଲି ତତେ ଡାକିଲା ନାହିଁ, ତୁ ତାର ବାପଠୁଁ ବଳି । ପେଟ ଭିତରୁ ତୁ ତାକୁ ବଞ୍ଚେଇ ଆଣିଛୁ । ତୋ ୠଣ ମୁଁ ସୁଝିପାରିବି ନାହିଁ ।

ଭିକାରୁଣୀର ଆଖିରେ ଲୁହ ।

ବୁଧିଆ ମନର କୋହ ସମ୍ଭାଳି କହିଲା, ଲୁଗା ଖଣ୍ଡ ନ ନେ ପଛେ ଏଇ ଟଙ୍କାତକ ପାଖରେ ରଖି ଥା । ପିଲାଟାକୁ ନେଇ ପର ଘରେ ରହିବୁଁ, କାହାର ଭଲମନ୍ଦ କଥା କିଏ ଜାଣେ ? ମୋର ଏ ଟଙ୍କା ହେବ କଣ ? ମାସକୁ ମାସ ମୁ ଦରମା ଆଣୁଛି । ପୁଣି ମୋ ପାଖରେ ଟଙ୍କା ହୋଇଯିବ । ରତନୀ–

ବୁଧିଆର ସରଗଭରା ମୁହଁକୁ ରତନୀ ଚାହିଁଲା । ତା ଆଖିରେ ଏମିତି ବିହଳଭାବ କେତେ ଥର ସେ ଦେଖିଛି । ତାର ଥରିଲା ଥରିଲା ଡାକରେ ଆତ୍ମାକୁ ଓଟାରି ନେବାର ଇଙ୍ଗିତ ସେ ପାଇଛି । କେତେ ଥର ତାର ଅନ୍ତରାତ୍ମା ଥରିଉଠିଛି। ସେ ଦୂରେଇ ରହିଛି ।

ରତନୀ କହିଲା, ସେମିତି ମତେ ଚାହିଁରହୁଛୁ କାହିଁକି ? କେତେ ଲୋକଙ୍କଠୁଁ ବିଦାୟ ନେଇ ଆସିଲାଣି । ତୋଠୁଁ ବି ବିଦାୟ ନେବାକୁ ଆସିଛି । ଆଉ ମୋର କିଛି ଲୋଡ଼ା ନାହିଁ । ତୁ ସଂସାର କରି ସୁଖରେ ରହ ।

ବୁଧିଆ ପଚାରିଲା, ସତେରେ ତୁ ଯାଉଛୁ ?

ସତରେ ନୁହ କଣ ମିଛରେ ?

ଗାଁ ଦାଣ୍ଡ ଖାଲି ଖାଲି ଲାଗିବ ।

ସତେ ?

ଆଉ ଏ ବଙ୍ଗଳା ।

ସତେ ? ତୋ ମନ ଭିତରଟା ?

ବୁଧିଆ ଉତ୍ତର ଦେଲା ଢଳ ଢଳ ଆଖିରେ ।

ଅରକ୍ଷିତ କେତେବେଳେ ପଦାକୁ ଚାଲିଗଲାଣି । ରତନୀ ଥରେ ବାହାରକୁ ଚାହିଁ କହିଲା ଯିବନାହିଁ ବୁଧିଆ-ବୁଧିଆ ଚମକି ଉଠିଲା, ଯିବୁନାହିଁ ?

ନା ।

କାହିଁକି ?

କହିପାରିବି ନାହିଁ ।

ଚଳିବୁ କେମିତି ?

ଯେମିତି ଚଳୁଛି ।

ସତେ ?

ଯାହା କହୁଛି ଠିକ୍‌ ଯେଉଁଦିନ ତୁ ଘର କରିବୁ, ଯେଉଁଠୁ ହେଲେ ଘରଣୀ ଆଣିବୁ , ମତେ ଦେଖିଲେ ଦୂରରୁ ତଡ଼ିବୁ, ସେଇ ଦିନ ମୁଁ ଏ ଗାଁରୁ ଗୋଡ଼ କାଢ଼ିବି । ସେଦିନ–

ବୁଧିଆ କହିଲା, ମୁଁ ଯଦି କାହାର ଭଲମନ୍ଦ ନ ଶୁଣି ହାସପରିହାସକୁ ନିଘା ନ ଦେଇ ତୋରି ଆଡ଼କୁ ଅନାଏଁ– ?

ରତନୀ ପଛେଇଯାଇ କହିଲା, ବୁଝି ହୁସିଆର ! ଛତରୀ, ବାରବୁଲୀ, ଦୋଚାରୁଣୀ, ଭିକାରୁଣୀ ରତନୀ ଆଡ଼କୁ ଅନେଇବୁ ନାହିଁ, କହୁଛି । କେତେ ଥର ତ ଅନେଇଛୁ । ରତନୀଠୁଁ ଜବାବ୍‌ ପାଇଛୁ କି ରେ ? ପାଇନୁ କି ପାଇବୁ ନାହିଁ ।

କାହିଁକି ? ମୁଁ ବି ଛତରଖିଆଟା ।

ରତନୀ କାନ୍ଦିଲା । ଆଖିର ଲୁହ ପୋଛି କହିଲା, ଶୁଣିବୁ ? ବିଶ୍ୱାସ କରିବୁ ? ବୁଧିଆଭାଇ, ବାହା ସିନା ହୋଇଥିଲି ରେ, ଯୋଗିଆ କେବେ ମୋର ଛାଇ ମାଡ଼ି ନ ଥିଲା । ଖୁଡ଼ୀ କାନ କରି ଶିଖେଇଲା, ଆଉ କେଉଁଠିକୁ ବାହା ହୋଇ ଯିବାକୁ କହିଲା । କେତେ ପାତ୍ର ଠିକ୍‌ କଲା । ସବୁ ଦୁଃଖ କଷ୍ଟ ସହିଲି । ଯୋଗିଆକୁ ଅନେଇଁ ବସିଲି । ଯୋଗିଆ ଯେବେ ଆସିଲା, ମୋତେ ପଚାରିଲା ନାହିଁ । ମୋ ପେଟରେ କାହାର ଏ ଛୁଆଟା ଛଟପଟ ହେଉଥାଏ । ପାଣି ତୋରାଣି ଅଇଁଠା ସଙ୍କୁଡ଼ି ଦେଇ ବଞ୍ଚେଇ ରଖିଥାଉ ତୁ– ।

ସେ ସବୁ ତ ଅନେକ ଦିନ ତଳର କଥା ।

ଭୁଲି ହେଉନାହିଁ । ଯୋଗିଆ ଯେଉଁଦିନ ବାହାରେ ବାହାରେ ଆସି ପୁଣି ଚାଲିଗଲା, ସେଇଦିନରୁ ତାର ମୋର ସମ୍ପର୍କ ଛିଣ୍ଡିଗଲା । ଅଜାଣତରେ ଥରଟିଏ ଭୁଲ କଲି ବୋଲି ସେ କ୍ଷମା କଲା କି ? ସେ କି ବର, ମୁଁ କି କନିଆଁ ? ସେଇଦିନୁ ମୋ ମନରୁ ମୁଁ ତାକୁ ଘଉଡ଼ିଦେଲି । ସେଇଦିନରୁ ମନକୁ ମୋର ବୁଝେଇ କହିଲି, ଯାହାର ପିଲା ମୁଁ ପେଟରେ ଧରିଛି, ସେଇ ଏକା ମୋର ବର । ତାର ରୂପ ମୋର ମନେ ନାହିଁ । ତାର ସ୍ନେହ ତାର କଥା, ତାର ଆଦର ମୋର ମନେ ଅଛି । ବଡ଼ ଘରର ପୁଅ, ବଡ଼ ଜାତିର ପୁଅ । କେଡ଼େ ସୁନ୍ଦର ରୂପ ! ଆରେ ବୁଧିଆଭାଇ, ସେଇ ମୋର ବର । ମୁଁ ଭିକାରୁଣୀ ହଁ, ମୁଁ ଦୋଚାରୁଣୀ ନୁହଁ ।

କିଏ ତୋତେ କହୁଛି କି ଦୋଚାରୁଣୀ ?

ତୋ ଆଖି କହୁଛି ରେ, ତୋ ଚହାଣୀ କହୁଛି । ସେମିତି ମତେ ଅନା–ନା । ଯିଏ ଏ ପିଲାର ବାପ, ଦିନେ ନା ଦିନେ ସେ ଆସିବ । ଦିନେ ନା ଦିନେ ସେ ଜାଣିବ । ସେ ଭଲ ମଣିଷ । ସେ ମତେ ଘଉଡ଼ିଦେବ ନାହିଁ । ଯଦି ମତେ ସେ ଘଉଡ଼ିଦିଏ, ଜାଣିବ ସେ ମତେ ଛାଡ଼ପତ୍ର ଦେଲା–

ବୁଧିଆ ହସିଲା । କହିଲା, ତୁ ସତରେ ପାଗଳୀ । କାହିଁକି ସେ ଆସିବ ? କେମିତି ସେ ଜାଣିବ ? ଜାଣିଲେ ବା କଣ ସେ କରିବ ତୋ ପାଇଁ । ଛାଡ଼ିବ କି ସେ ତାର ଜାତି, ଗୋଟାଏ ବାରବୁଲୀ ଭିକାରୁଣୀ, ଦୋଚାରୁଣୀ ଖଦାକୁଣୀ ପାଇଁ ? ମରୁନୁ ତୁ– !

ରତନୀ ଭାବିଲା ।

ବୁଧିଆ କହିଲା, ଭୁଲିଯା ସେସବୁ କଥା । ରତନୀ ଏଇ ଅରକ୍ଷିତ ମୋର ପୁଅ ତୁ ଅରକ୍ଷିତର ମା । ତୁ ମନକଲେ ମୋର କନିଆ ହେବୁ । ଲୋକେ ଯାହା କହିବାର କହନ୍ତୁ । ମୂଲ ଲାଗିବା, ଘର କରିବା, ରତନୀ !

ରତନୀ ଭାବିଲା । ମୁହଁ ତମତମ କରି କହିଲା, ଏଡ଼େ ସାହସ ତୋର ? ଭିକ ମାଗିଲି, ଖଦାଳୁଣୀ ହେଲି ବୋଲି କଣ ଅରକ୍ଷିତର ମା ହେବ ଛତରା ବୁଧିଆର ମାଇପ ? ଜାଣୁ ତ ଅରକ୍ଷିତ କେଡ଼େ ବଡ଼ ଲୋକର ପିଲା ? ରତନୀ !

ଚୁପ୍‌ରହ, ତୋରି ପାଇଁ ମୁଁ ଗାଁ ଛାଡ଼ି ପଳେଇବି । ଅରକ୍ଷିତ ମୋର ସୁଖରେ ରହିବ । କେଡ଼େ ବଡ଼ ମଣିଷ ହେବ । ମୋର ବର ଲୋଡ଼ା ନାହିଁ କି ଘର ଲୋଡ଼ା ନାହିଁ । ଯାଉଛି ରେ, ମନେ ପକାଉଥିବୁ ।

ରତନୀ ଘର ଭିତରୁ ବାହାରିଆସିଲା ।

ବାବୁଙ୍କର ଚାକର ଟୋକା ମଟର ପାଖକୁ ଜିନିଷପତ୍ର ବୁହାବୁହି କରୁଛି । ବାବୁଆଣୀ ପିଲାଟିକୁ ଛାତିରେ ଯାକି ପିଣ୍ଡାରେ ଟହଲୁଛନ୍ତି । ପିଣ୍ଡାତଳେ ଠିଆହୋଇ ଅରକ୍ଷିତ ମଟର ଆଡ଼କୁ ଅନେଇଛି ।

ରତନୀ ବନ୍ଧା ହୋଇଥିବା ବିଛଣା ପୁଡ଼ାଟି ମୁଣ୍ଡରେ ଧରି ଗାଡ଼ି ପାଖକୁ ଗଲା । ସୁକୃତି କଣ କହିବାକୁ ହେଉଥିଲା, ତୁଣ୍ଡ ଖୋଲିଲା ନାହିଁ ।

ବେଳ ଦଶଟା । ସୂର୍ଯ୍ୟ କେତେ ଉପରକୁ ଉଠିଲେଣି । ମଟର ବସ୍‌ପାଖରେ ଗହଳ ଚହଳ । କେତେ ଲୋକ ଓହ୍ଲେଇଲେ । କେତେ ଲୋକ ଚଢ଼ୁଛନ୍ତି । ଭିକାରିଟିଏ ନୂଆ ଫେସନ୍‌ରେ ଭିକ ମାଗୁଛି, ଗୀତ ବୋଲୁଛି - ହେ ବାବୁ, ପଇସାଟିଏ ଦିଅ, ଗରିବ ଆମେ ନିତି ଉପାସୀ, ଟିକିଏ ସାହା ହୁଅ–, ହେ ବାବୁ– ।

ଭିକାରୀଟି ଅନ୍ଧ, ପୁଣି ଛୋଟା ।

ବସ୍‌ପାଖରୁ ଟିକିଏ ଦୂରରେ ଠିଆହୋଇ ଯୋଗିଆ ବିକଳ ଆଖିରେ ଚାହିଁରହିଛି । ଭାବୁଛି, ଯିବ କି ନ ଯିବ । ଦୁଇମାସର କଅଁଳା ପିଲା ମଣିଆଁର କାନ୍ଦଣା ବାଜିଯାଉଛି ତା କାନରେ ଆଉ, ତା ସଙ୍ଗେ ସଙ୍ଗେ ନଥିଲା ଚବୁରୀର କଥା–, ରତନୀ ତୋରି ମାଇପ– ।

ଯୋଗିଆ ଚାହିଁ ରହିଛି–

ରତନୀ ମୁଣ୍ଡରେ ବୋଝ ନେଇ ବସ୍‌ ପାଖକୁ ଆସିଲା । କେଉଁଠିକାର ବାବୁ ସେ କେଜାଣି, ତାଙ୍କର ଚାକରଟୋକା ପାଖରେ ବୋଝ ଥୋଇଦେଇ ତାରି ସାମନା ବାଟେ ବଙ୍ଗଳାର ହତା ଭିତରକୁ ଗଲା ।

ଏଇ ରତନୀକୁ ସୁଖରେ ରଖିବା ପାଇଁ ସେ ଆକୁଳ ବିକଳ ହୋଇ ସାତ ସମୁଦ୍ର ସେପାରିକୁ ଧାଇଁ ଯାଇଥିଲା। ଜୀବନକୁ ପାଣି ଛଡ଼େଇଦେଇ ଦିନରାତି ପରିଶ୍ରମ କରି ଟଙ୍କା ଭେଇଥିଲା । ରତନୀ ଆଡ଼ ଆଖିରେ ଚାହିଁଲା ନାହିଁ । ହଁ, ଅପରାଧ ସେ କରିଛି । ସବୁ ଦୋଷ ତାର-। ରତନୀକୁ ସେ ପଚାରି ନ ଥିଲା । ମଲା ହଜିଲା ଖୋଜି ନ ଥିଲା । ତଥାପି, ରତନୀର ହାତ ଧରି ସେ ନେଇଥିଲା, ରତନୀ ତ ତାରି ଭାରିଯା !

ଯୋଗିଆର ଆଖିରେ ଲୁହ ଛଳଛଳ ହେଲା । ସେ ଆଖି ପୋଛିଲା । ତାର ମନ କଲବଲ ହେଲା । ଭାବିଲା, ରତନୀ ତାଆରି ଭାରିଯା । ତା ପେଟରୁ ଜନମିଛ ଯେଉଁ ଅରକ୍ଷିତ, ସିଏ ତାଆରି କ୍ଷେତର ପିଲା, ସିଏ ତାଆରି ପୁଅ । ତାଆରି ଛୋଟ ବାରିରେ କେଡ଼େ ବଡ଼ ପିଜୁଳି ଗଛଟିଏ ହୋଇଛି, ମୁଠଣି ସମାନ ବଡ଼ ବଡ଼ ସୁଆଦିଆ ପିଜୁଳି ଲଦିହୋଇଛି । ଯୋଗିଆ ତ ଲଗାଇ ନ ଥିଲା, କାଉ ତୁଣ୍ଡରୁ ମଞ୍ଜି ଆସି କି ପାଣି ପବନରେ ମଞ୍ଜି ଭାସି ଆସି ତାଆରି ଭୂମିରେ ଗଜା ହେଲା, ଗଛ ହେଲା ତା ଅଜାଣତରେ, କ୍ଷେତ ତାକୁ ଡାକି ନ ଥିଲା । ସେ କ୍ଷେତ, ସେ ଗଛ, ଫଳ ଯୋଗିଆର । ଅରକ୍ଷିତ ତାଆରି ପୁଅ ! ବଲବଲ କରି ସେ ଚାହିଁ ରହିଥିବ, ଆଉ, କୁଆଡ଼ର କିଏ ଜଣେ ଆସି ବଙ୍ଗଳାରେ ଦିନଟିଏ ରହି ତାର ଘରଣୀ, ତାର ପୁଅକୁ ଶିଖେଇ ମଣେଇଁ କୁଆଡ଼େ ନେଇ ପଳାଇବ ? ଯୋଗିଆ ହାତ ମୁଠାମୁଠା କଲା । ସାପ ପରି ନିଶ୍ୱାସ ଛାଡ଼ିଲା ।

ସୁକୃତୀ କହିଲା ଜୀବନକୁ ହେଇ, ରତନୀ ଫେରୁଛି, ତମେ ତାକୁ କହିଦିଅ । ମନା କରିବାକୁ ମୋ ଜିଭ ଲେଉଟୁନାହିଁ । ତମୁକୁ ରାଣ ଅଛି, ତମେ ମନା କରିଦିଅ ।

ଜୀବନ ଅରକ୍ଷିତକୁ ଚାହିଁଲେ । ମନର କୋହ ମନ ଭିତରେ ଆବଦ୍ଧ ରହିଲା । ରାସ୍ତା ଉପରେ ମଟର ଗାଡ଼ି, ଆଉ ହୁଏତ ଦୁଇ ତିନି ମିନିଟ ରହିବ । ତା ପରେ ? ଯେଉଁ ଶିଶୁଟିକୁ ସେ ସଂସାରକୁ ଆଣିଛନ୍ତି, ଯାହାର ସେବା କରିବାକୁ ଦାସଦାସୀ ଖଞ୍ଜା ହୋଇଥାନ୍ତେ, ଯାହାକୁ ମଣିଷ କରିବାକୁ, ସୁଖୀ କରିବାକୁ ସେ ଜୀବନ ପଣ କରିଥାନ୍ତେ, ସେଇ ଶିଶୁଟିକୁ ବାଟରେ ଠିଆ କରିଦେଇ ସେ ଚାଲିଯିବେ ! ମନେ ହେଲା, ଯେପରି ସେ ନିଜକୁ ଛାଡ଼ିଦେଇ ଯାଉଛନ୍ତି ।

ତୁନି ରହିଲ କାହିଁକି ? ହେଇଟି, ସେ ଆସୁଛି–

ବୁଧିଆ ବଙ୍ଗଳା–ଖାତା ଧରି ପାଖରେ ଠିଆ ହେଲା ।

ଜୀବନ ଖାତାରେ କଣ ଲେଖିଲେ ।

ଦିଅ ସାଆନ୍ତାଣୀ, ଝିଅକୁ ମତେ ଦିଅ । ତମେ ଆସ ଗାଡ଼ି ପାଖକୁ, ଦିଅ– ।

ରତନୀ ହାତ ବଢ଼ାଇ ଝିଅକୁ ଧରିଲା । ସୁକୃତୀରେ ଅନ୍ୟ ଉପାୟ ନ ଥିଲା । ତା ମୁହଁକୁ ଚାହିଁ ତୁଣ୍ଡରୁ ନାହିଁ ପଦ ବାହାରି ପାରିଲା ନାହିଁ ।

ରତନୀ କେଡ଼େ ଯତ୍ନରେ ପିଲାକୁ ଛାତିରେ ଯାକି ଗୋଟିଏ ହାତରେ ଅରକ୍ଷିତର ହାତ ଧରି ବସ ପାଖକୁ ଚାଲିଲା ।

ବଙ୍ଗଳା ଖାତା !

କେତେକାଳର ପୁରୁଣା ବନ୍ଧେଇ ଖାତାଟା । ମାସକୁ ଦୁଇ ଚାରି ଜଣ ଦର୍ଶକ ଆସନ୍ତି କି ନାହିଁ । ଯିଏ ଆସେ ନାମ ଧାମ ଲେଖେ, ଦିନକୁ ଆଠଅଣା ହିସାବରେ ଭଡ଼ା ଦିଏ, ଚଉକିଦାରକୁ ବକ୍‌ସିସ୍‌ ଦିଏ, ବଙ୍ଗଳା ଛାଡ଼ି ଯାଏ ।

ସମସ୍ତେ ଆସନ୍ତି ଯାଆନ୍ତି, ଖଟ ଚଉକି ଟେବୁଲ ସେମିତି ପଡ଼ିରହିଥାଏ , ଯେମିତି ଅତି ପୁରୁଣା ଏଇ ଧରିତ୍ରୀ ମାତା । କେତେ ପିଲା କୋଳରେ ଧରେ, କେତେ ନଚାଏ ହସାଏ କନ୍ଦାଏ । ଜଣ ଜଣ କରି ସମସ୍ତେ ଛାଡ଼ି ପଳାନ୍ତି । କେହି ରହନ୍ତି ନାହିଁ । ଛାଡ଼ିଯାଆନ୍ତି ସନ୍ତକ–ପିଲା କବିଲା । ଧରିତ୍ରୀ ମାତା ତାଙ୍କୁ ବି ଖେଳାଏ ନଚାଏ ହସାଏ କନ୍ଦାଏ ।

ବଙ୍ଗଳା-ଖାତା ପେଟରେ ଧରିଛି କେତେ ଲୋକଙ୍କର ସନ୍ତକ । କେତେ ଲୋକଙ୍କର ଏକାଧିକ ସନ୍ତକ ମଧ୍ୟ ତାଆରି ପୃଷ୍ଠାରେ ଅଛି । ଆସିଛନ୍ତି, ଯାଇଛନ୍ତି ଛାଡ଼ିଯାଇଛନ୍ତି ସନ୍ତକ । ଆଉ ଥରେ ଯେ ଆସେ ପତ୍ର ଓଲଟାଇ ନିଜକୁ ଖୋଜେ । ନିଜକୁ ପାଇଲେ ଖୁସି ହୁଏ, ଏଇଠି ମୁଁ ! ତାରିଖ ପଢ଼େ । ମୁଁ ଥିଲି, ମୁଁ ଅଛି, ମୁଁ ରହିବି !

କିନ୍ତୁ ଯିଏ ଥିଲେ, ସେମାନଙ୍କ ଭିତରୁ ହୁଏତ ଅନେକ ନାହାନ୍ତି ।

ଜୀବନ ଅଛନ୍ତି । ଜୀବନ ଥିଲେ । ଏଇ ତାଙ୍କର ସନ୍ତକ ! ପାଞ୍ଚ ବର୍ଷ କଟିଗଲାଣି । ଖୁସି ଲାଗିଲା ନାହିଁ । ଛାତିରେ ଚମକ ଲାଗିଲା । ଆଙ୍ଗୁଠିରେ ଖୋଜୁ ଖୋଜୁ ଯେଉଁଠ ଆଙ୍ଗୁଠି ଅଟକି ଯାଇଥିଲା, ମୁହୂର୍ତ୍ତେ ଚାହିଁଲେ ସେ ସନ୍ତକକୁ ! ସେଇ ସନ୍ତକ ଭିତରେ କେତେ ସୃତି ଛପି ରହିଛି । ତାରି ଭିତରୁ ଜୀବନ୍ତ ହୋଇଉଠିଛି ଏଇ ଅରକ୍ଷିତ ପିଲାଟି, ଥରଟିଏ ଭୁଲର ଜୀବନ୍ତ ପ୍ରତିମୂର୍ତ୍ତି !

ଆଙ୍ଗୁଠି କମ୍ପି ଉଠିଲା ।

ଜୀବନ ଖାତା ବନ୍ଦ କରି ଉଠିଲେ ।

ବୁଧିଆ କଟ ମଟ କରି ଅନେଇଛି । ମୁହଁ ଗମ୍ଭୀର । ଆଖିରେ ଖେଳୁଛି ସନ୍ଦେହ । ସେଇଠି ଆଙ୍ଗୁଠି ଅଟକିଗଲା ଯେଉଁଠି ସେ ଦାଗ ଦେଇ ରଖିଛି । ବାଇଗଣୀ କାଳିରେ ଲେଖା ଖାଲି ସନ୍ତକ ! କେତେ ବାବୁଙ୍କୁ ଦେଖେଇଛି, କେହି ନାମ ପଢ଼ି ପାରି ନାହିଁ । ମନ କଥା ମନରେ ରଖିଛି । ତୁଣ୍ଡ ଖୋଲିନାହିଁ । ଏଁ, ସେଇଠି ଆଙ୍ଗୁଠି ଅଟକି ଗଲା, ତେବେ କଣ ?

ଆଶ୍ଚର୍ଯ୍ୟ ହୋଇ ବୁଧିଆ ଚାହିଁଲା ଜୀବନଙ୍କୁ, ଥଳିରୁ ଟଙ୍କା କାଢ଼ୁଛନ୍ତି । ମନରୁ ସନ୍ଦେହ ଘୁଞ୍ଚିଲା । ଆଖିଆଗରୁ ବିସ୍ମତିର ପରଦା ଘୁଞ୍ଚି ଘୁଞ୍ଚି ଗଲା । ମନେହେଲା ଯେପରି ସମୟର ସୁଅ ପଛୁଆଣି ବହିଛି, ପାଞ୍ଚବରଷ ତଳର ଦିନଟି ଫେରିଆସିଛି ।

ଏଇ ସେ ଭଦ୍ରଲୋକ !

ସତେ ତ, ଅରକ୍ଷିତର ବାପ ! ସେଇଥିପାଇଁ କାଲି ସେ ଏତେ କଥା ପଚାରୁଥିଲେ । ସେଇଥିପାଇଁ ସେ ରତନୀକୁ, ଅରକ୍ଷିତକୁ ସଙ୍ଗରେ ନେଇଯାଉଛନ୍ତି । ବୁଧିଆର କଲିଜା ଛିଣ୍ଡେଇ ନେଇଯାଉଛନ୍ତି ।

ରତନୀ ତ ଜାଣିଲା ନାହିଁ । ସେ ଅବଶ୍ୟ ରତନୀକୁ କହିବ– ଏଇ ସେ ଦୟାଳୁ ଉପକାରୀଆ ମଣଷ ଲୋ ରତନୀ, ଯିଏ ତୋର ସର୍ବନାଶ କରିଛି, ଯିଏ ତୋର ସୁଖର ସଂସାର, ଜୀବନ ଯୌବନ ପୋଡ଼ି ଜାଳି ଛାରଖାର କରିଛି !

ବୁଧଆର ଆଖି ଆଗରେ–

ବାବୁ ବାବୁଆଣୀ ମଟରଗାଡ଼ି ଆଡ଼କୁ ଚାଲିଯାଉଛନ୍ତି । ଟେବୁଲ ଉପରେ ଦିଓଟି ଟଙ୍କା ଓ ଖାତାଟି ପଡ଼ିରହିଛି । ସତେକି ବୁଧିଆକୁ ଉପହାସ କରୁଛନ୍ତି ।

ସୁକୃତୀ ପୁଣି କହିଲା, ତୁମେ ତାଙ୍କୁ ମନା କରିଦିଅ–

ଜୀବନ ପଚାରିଲେ, ତମେ ମନାକରି ପାରିଲ ନାହିଁ ?

ନା, ବେଳ ପାଇଲି ନାହିଁ ।

ହଉ ।

ମଟର ପାଖରେ ଦିହେଁ ପହଞ୍ଚିଲେ ।

ରୋଗିଣୀ ପିଲାକୁ କୋଳରେ ପୁରେଇ ରତନୀ ଦ୍ୱିତୀୟ ଧାଡ଼ି ବେଞ୍ଚର ଗୋଟିଏ କଡ଼ରେ ବସି ସାରିଲାଣି । ଅରକ୍ଷିତ ମଟର ଉପରକୁ ଚଢ଼ିବାକୁ ଚେଷ୍ଟା କରୁଛି । ଚାକର ଟୋକାଟା କଡ଼େଇ କରି ଠିଆ ହୋଇଛି । ଡ୍ରାଇଭର ନିଜ ଆସ୍ଥାନକୁ ଯାଇ ବସିଲାଣି ।

ଜୀବନ ପାଖକୁ ଯାଇ ଡ଼ାକିଲେ, ହଇଲୋ ହେ ରତନୀ, ଶୁଣ୍‌ ।

ରତନୀ ଡ଼ାକ ଛାଡ଼ିଲା ଗାଡ଼ି ଉପରୁ, ଆସ ସାଆନ୍ତାଣୀ, ଏଇଠିକି ଆସ, ପିଲାକୁ ମୁଁ ଧରିଛି ।

ଜୀବନ ପୁଣି ଡାକି କହିଲେ, ତୁ ଓହ୍ଲା ତ ।

ସୁକୃତୀ ଚାହିଁଲା ରତନୀର ପ୍ରଫୁଲ୍ଲ ମୁହଁକୁ । ତା କୋଳରେ ଅଳକା । ଶାନ୍ତିରେ ଆଖି ବୁଜି ଶୋଇଛି । ସୁକୃତି ସ୍ୱାମୀଙ୍କୁ ଚାହିଁ ବିନୟଭରା ଆଖିରେ କହିଲେ, ବସିଲାଣି ଥାଉ– ।

ରତନୀ ପଚାରିଲା, କଣ ସାଅନ୍ତାଣୀ ? କିସ ଛାଡ଼ି ଆସିଲ କି ?

ଓଠରେ ହସ ଖେଳାଇ ସୁକୃତୀ କହିଲା, ହଁ, ହଁ ଏଇଆକୁ–

ଅରକ୍ଷିତର ହାତ ଧରି ସୁକୃତୀ ଗାଡ଼ି ଉପରକୁ ଚଢ଼ିଲା । ଚାକର ଟୋକାଟି ତାରି ପାଖରେ ବସିଲା ।

ବୁଧିଆ ହାତରେ ବଙ୍ଗଳା–ଖାତା ଧରି ବେଗି ଆସୁଥିଲା ମଟର ପାଖକୁ, ଗାଡ଼ି ଛାଡ଼ିଲା-

ବୁଧିଆ ରାସ୍ତା କଡ଼ରେ ଠିଆ ହୋଇଛି !

ଥାଆ ଥାଆରେ ବୁଧିଆଭାଇ, ମନେ ପକାଉଥିବୁ ।

ଆଲୋ ହେ ରତନୀ !

ଗାଡ଼ି ଚାଲିଲା ।

ବୁଧିଆର ମନକଥା ଆଖିବାଟେ ଦୁଇଧାର ଲୁହ ହୋଇ ଝରିପଡ଼ିଲା । ସେ ହାତ ଟେକି ଗାଡ଼ି ଅଟକେଇଲ।

ଗାଡ଼ି ପାଖକୁ ବୁଧିଆ ଆସିଲା ।

ଆକୁଳ କଣ୍ଠରେ ବୁଧିଆ ଡ଼ାକିଲା, ରତନୀ, ଶୁଣି ଯିବୁନାଇଁ କଥାଟିଏ ? ଗାଲିଯାଉଛୁ ତ, ପଦେ କଥା ଶୁଣି ଯା ।

ରତନୀ ଚାହିଁଲା ସୁକୃତୀର ମୁହଁକୁ ।

ସୁକୃତୀ ପିଲାକୁ କୋଳକୁ ନେଲା ।

ରତନୀ ଓହ୍ଲେଇଲା, ବୁଧିଆ ପାଖକୁ ଗଲା ।

ତା ପଛେ ପଛେ ଓହ୍ଲେଇଲା ଅରକ୍ଷିତ ।

ଜୀବନର ମନ ହେଲା ଛଟପଟ ।

ଯୋଗିଆ ଖଣ୍ତେ ଦୂରରୁ କାବା ହୋଇ ଚାହିଁ ରହିଥିଲା ।

ମଟର ଡ୍ରାଇଭର ପୁଣି ଗାଡ଼ିରେ ଷ୍ଟାର୍ଟ୍‌ଦେଲା ।

ବୁଧିଆ ଦଶଟଙ୍କାର ନୋଟଟିଏ ରତନୀ ହାତକୁ ଦେଇ କହିଲା, ବାବୁଙ୍କୁ ଦେଇଦେବୁ । ଛାଡ଼ି ଯାଇଥିଲେ । ଓଠ ଥରିଉଠିଲା ଆଉ କଣ କହିବାକୁ । କହିଲା ନାହିଁ ।

ବୁଧିଆର କଥା ସମସ୍ତେ ଶୁଣିଲେ ।

ରତନୀ ପିଲାଟାର ହାତ ଧରି ଗାଡ଼ି ପାଖକୁ ଆସୁଥିଲା, ଡ୍ରାଇଭର ଜୀବନଙ୍କୁ କହିଲା, ବାଇଆଣୀଟାକୁ ସଙ୍ଗରେ ନେବେ କି ବାବୁ ? ସେ କଣ କେଉଁଠିକି ଯିବ ନା କାହା ପାଖରେ ରହିବ-?

କଣ୍ତକ୍‌ଟର ଡାକ ଛାଡ଼ିଲା, ଗାଡ଼ି ଚଲା ରେ– ।

ଜୀବନବାବୁ ତୁନିତୁନି ଡ଼୍ରାଇଭରକୁ କହିଲେ, ନେଉ ସେ ଦଶଟଙ୍କା, ଗରିବଟାଏ ତ ।

ଡ୍ରାଇଭର ଗାଡ଼ି ଛୁଟେଇ କହିଲା, ଆଲୋ ହେ ପାଗଳି, ବାବୁ କହିଲେ, ସେ ଟଙ୍କା ତୁ ନେ । ବୁଧିଆକୁ ଦେବୁନାହିଁ, ତୁ ନେବୁ, ଯା–

ଗାଡ଼ି ଛୁଟିଲା–

ଗାଡ଼ିର ପଝାରି ଧନ୍ୟ ଧନ୍ୟ କଲେ–ବଡ଼ଲୋକର ବଡ଼ ମନ । ବଡ଼ଲୋକର ବଡ଼ କଥା-

ସୁକୃତୀ ପଚାରିଲା, ଛାଡ଼ି ଆସିଥିଲ ଦଶଟଙ୍କିଆ ନୋଟଟି ?

ମନିବ୍ୟାଗ ଖୋଲିଲାବେଳେ ଖସିପଡ଼ିଥିବ ।

ନେଉ ସେ ଗରିବଟା ।

ଜୀବନକିଶୋର ତୁନି ରହିଲେ ।

ଗାଡ଼ି ଚାଲିଲା ଆହୁରି ବେଗରେ–

ନ ଗଲା ବୋଲି ରତନୀ ମନରେ ଦୁଃଖ ହେଲା ନାହିଁ । ସେ ଯାହାଥିଲା ସେଇଆ ଅଛି-। ହାତ ପାତି ନିକୁଟିହେଲେ କେହି । ଗୋଟିଏ ପଇସା ଦିଏ ନାହିଁ । କେଉଁ ରାଇଜର ବାବୁଟିଏ ଆସି ଦିନେ ଅଧେ ରହିଲେ । ବାବୁଆଣୀ, ରୋଗଣା ପିଲା । ବିକଳ ପାଇଁ ବାବୁଆଣୀ ଦେଲେ ଲୁଗା ଆଉ ଜାମା । ଦୟା ପାଇ ବାବୁ ଦେଲେ ଦଶ ଟଙ୍କା। ସଙ୍ଗରେ ନ ନେଲେ ତ ନାହିଁ ।

ଗାଡ଼ି କେତେବେଳୁ ଅଦୃଶ୍ୟ ହେଲାଣି । ବୁଧିଆ ଫେରିଲାଣି ବଙ୍ଗଳା ଭିତରକୁ । ରତନୀ ପିଲାଟାର ହାତ ଧରି ଠିଆ ହୋଇଛି କାହିଁକି ? ଦଶ ଟଙ୍କା ସେ ବୁଧିଆକୁ ରଖିବାକୁ ଦେବ-?

ରତନୀ !

ଆଗରେ ଯୋଗିଆ ।

ଏମତି ହାତ ପାତି ଭିକ ମାଗି କେତେ ଦିନ ଚଳିବୁ ? ମୋ ସାନ କୁହା ମାନ୍, ଫେରି ଚାଲ ତୋ ନିଜ ଘରକୁ । ପଛକଥା ପଛରେ ପକେଇ ଚାଲ । ନିଜେ ଦହଗଞ୍ଜ ହ ନା, ପିଲାଟାକୁ ଦୁଃଖ କଷ୍ଟ ଦେ ନା । ଚାଲ୍‌ ମୋ ସଙ୍ଗରେ ରତନୀ ।

ନାଗସାପ ପରି ଗର୍ଜି ଉଠିଲା ରତନୀ । କହିଲା, ମରୁନୁ ରେ ଯୋଗିନୀଖିଆ, ଗୋଡ଼ାନା ମୋ ପଛରେ କହୁଛି ।

ଶୁଣ, ହେ ରତନୀ !

ରତନୀ ଶୁଣିଲା ନାହିଁ । ଏକମୁହାଁ ହୋଇ ଚାଲିଲା ଡ଼ାକବଙ୍ଗଳା ଭିତରକୁ, ବୁଧିଆ ପାଖକୁ ।

ବୁଧିଆ ଡ଼ାକବଙ୍ଗଳାର କବାଟ ଝରକା ବନ୍ଦ କରି ତା ରହିଲା ଘରକୁ ଆସିଲା । ସବୁ କଥା ସେ ଜାଣିଛି । ଯେଉଁ ବାବୁଟି ଆସିଥିଲେ ପୁଣି ଚାଲିଗଲେ ସେ ବି ଜାଣନ୍ତି ସବୁ କଥା ହୁଏତ ତାଙ୍କର ସ୍ତ୍ରୀ ବି ଜାଣନ୍ତି । କିଛି ନ ଜାଣିଲା ପରି ସଭ୍ୟ ମଣିଷ ସଭ୍ୟତାର ବାନା ଉଡ଼ାଇ ଦୟାର ନିଦର୍ଶନ ଦେଖାଇ ଚାଲିଗଲେ । ଚାଲିଗଲେ ଚିରଦିନ ଲାଗି । ଆଉ ସେ ଫେରିବେ ନାହିଁ ।

ବୁଧିଆ ଭାବିଲା, ରତନୀକୁ ସବୁ କଥା ଖୋଲି କହିବ ? କହି ଦେବ, ଯିଏ ଏ ପିଲାର ବାପ, ସେ ବଡ଼ଘର ପୁଅ, ବଡ଼ଜାତିର ପିଲା । ହାକିମ । ସୁନ୍ଦର । ଦୟାବନ୍ତ । ଆସିଥିଲା ସବୁ ଜାଣିଲା । ଆଖିରେ ଦେଖିଲା ପିଲାର ଦୁଃଖ ପୁଣି ଯେଉଁ ଝିଅଟି ମୁଣ୍ଡରେ କେଡ଼େବଡ଼ ବୋଝ ନଦି ଦେଇଥିଲା ତାର ଦୁଃଖ ବି ଦେଖିଲା । ଜାଣି ମଧ୍ୟ ନ ଜାଣିଲା ପରି ଚାଲିଗଲା । କହିଦେବ ?

ବୁଧିଆ ପଶିଲା ତା ଘରେ । ବାକ୍‌ସଟା ଖୋଲା ପଡ଼ିଛି, ଲୁଗାପଟା ଅସଜଡ଼ା ହୋଇଛି-। ବର୍ଷ ବର୍ଷ ଧରି ସଞ୍ଚୟ କରି ଯେଉଁ ନୋଟ ବିଡ଼ାକ ସାଇତି ରଖିଥିଲା, ଯହିଁରୁ ଦଶଟଙ୍କିଆ ନୋଟଖଣ୍ଡିକ ତର ତର ହୋଇ କାଢ଼ି ନେଇଥିଲା, ସେଇଟା ସେମିତି ପଡ଼ିଛି ଉପରେ ।

ବୁଧିଆ ସଜାଡ଼ି ରଖିଲା, ଭାବିଲା, କହିବି କି ନାହିଁ ।

ଡାକ ଶୁଭିଲା ବାହାରୁ, ବୁଧିଆଭାଇ !

ବୁଧିଆ ପଦାକୁ ଚାହିଁଲା । ରତନୀ ଠିଆ ହୋଇଛି । ପାଖରେ ଅରକ୍ଷିତ । ରାଗରେ ଗୋଡ଼ରୁ ମୁଣ୍ଡଯାଏ ଥରିଉଠିଲା । ତମତମ ହୋଇ ପଦାକୁ ବାହାରି ଆସିଲା । ପଚାରିଲା, କଣ ଲୋ ?

କେଡ଼େ ଖୁସିରେ ରତନୀ କହିଲା, ଏଇ ଦେଖ୍‌ ଏ ଦଶଟଙ୍କାର ନୋଟ, କେଡ଼େ ଦୟାବନ୍ତ ବାବୁ, ଦେଇଗଲେ । ବୁଧିଆର ପାଟି ଖଲଖଲ ହେଲା କଣ ପଦେ କହିବାକୁ । ମୁହ ଫଣଫଣ କରି ଦାନ୍ତ ରଗଡ଼ିଲା ।

ରଖିଥା ଏ ଟଙ୍କା ବୁଧିଆଭାଇ ।

ନୋଟଖଣ୍ଡି ବୁଧିଆ ଆଡ଼କୁ ବଢ଼େଇଦେଲା

ବୁଧିଆ ସମ୍ଭାଳି ପାରିଲା ନାହିଁ, ଭିତରେ ଜଳୁଥିଲା ଯେଉଁ ନିଆଁ ତାଆରି ତାଉ । ରତନୀ ହାତରୁ ନୋଟଖଣ୍ଡି ଟାଣିନେଇ ଆଖି ରଙ୍ଗ କରି ତଳେ ପକେଇଲା । କହିଲା, ପାଞ୍ଚବର୍ଷତଳେ କେଉଁଆଡ଼ର କିଏ ଆସି ଦଶଟଙ୍କା ତତେ ଦେଇଯାଇଥିଲା । ସେ ଟଙ୍କାର ବୋଝ ଆଜିଯାଏ ମୁଣ୍ଡରେ ବୋହି ଚାଲୁଛି । ଦଶଟଙ୍କା ମତେ ତୁ ରଖିବାକୁ ଦେଇଥିଲୁ, କେତେ ଦଶଟଙ୍କା ନେଲୁଣି, ତଥାପି ମୋର ଜୀବନ ଖାଉଛୁ । ଆଉ ପୁଣି ତୋର ଟଙ୍କା ରଖିବି ?

ବୁଧିଆର କଣ୍ଠ ରୁଦ୍ଧ ହେଲା । କହିପାରିଲା ନାହିଁ । ଚାହିଁ ରହିଲା ରତନୀ ମୁହଁକୁ । ବୁଡ଼ିଯାଉଥିବା ସୂର୍ଯ୍ୟର ତେରଛ କିରଣ ରତନୀର ସିନ୍ଦୁର ମୁହରେ ରଙ୍ଗ ବୋଳିଥାଏ ।

ରତନୀ କାବା ହୋଇ ଚାହିଁ ରହିଲା । ଆଖିକୋଣରେ ଲୁହର ଠୋପା ଝଲସିଉଠିଲା । ରାଗିଲା । ନାହିଁ ଗଳା ଥରେଇ କହିଲା, କଣ କଲୁ ରେ ବୁଧିଆଭାଇ, ଫୋପାଡ଼ିଦେଲୁ !

ବେଶ୍‌କଲି । ତୁ ଯା ।

ରତନୀ କହିଲା, ହଁ ବେଶ୍‌କଲୁ । ମୋର ମୁଠେ ଅଇଁଠା ଭାତ ଲୋଡ଼ା ! ଦିଟା ପଇସା ଲୋଡ଼ା ମୁଢ଼ି ଚୁଡ଼ା ଗଣ୍ଡେ କିଣି ପାଟିରେ ପକେଇ ପ୍ରାଣ ରଖିବାକୁ । ଦଶଟଙ୍କା ହେବ କଣ ? କାହିଁକି ତୁ ରଖିବୁ, ପୁଣି କାହିଁକି ଆସି ତତେ ମୁଁ ବିରକ୍ତ କରିବି ? ଭଲ କଲୁ ବୁଧିଆଭାଇ । ଯାଉଛି, ଆଉ କେବେ ତତେ ମାଗିବି ନାହିଁ, ବିରକ୍ତ କରିବି ନାହିଁ ।

ପିଲାଟିକୁ ହାତ ଧରି ରତନୀ ବୁଲି ଠିଆହେଲା । ଆଖିରେ ପଡ଼ିଲା ଯୋଗିଆ । ବଙ୍ଗଳା କାନ୍ଥକୁ ଆଉଜି ଠିଆ ହୋଇଛି ଦୂରରେ । ବିମର୍ଷ ।

ରତନୀ !

ମୁହଁ ବୁଲାଇ ରତନୀ ପଚାରିଲା, କଣ ପୁଣି ?

ରହ, ଶୁଣ୍‌ ।

ବୁଧିଆ ଘରଭିତରକୁ ପଶିଲା । ଫେରି ଆସିଲା । ହାତରେ ଧରିଛି ବିଡ଼ାଏ ନୋଟ । ରତନୀର ହାତ ଟାଣିଆଣି ବୁଧିଆ ତା ହାତରେ ଗୁଞ୍ଜିଲା ନୋଟ ବିଡ଼ାକ ।

କହିଲା, ନେ ରତନୀ, ଏସବୁ ଟଙ୍କା ତୋର । ମୋର କଣ ହେବ ? ଦେଖୁନୁ, ଏଇ ମୋର ରହିଲା ଘର । କେହି ତ ସେଠି ନାହିଁ, ଗୋଟାଏ ପେଟ ମୋର ଅପେକ୍ଷା ରହିବ ନାହିଁ । ନେ ରତନୀ, ମନା କର ନା । ଏଇ ଦେଖ, ଯୋଗିଆଭାଇ ସେଠି ଠିଆହୋଇ ତତେ ଅପେକ୍ଷା କରିଛି ।

ରତନୀ କଟମଟ କରି ଚାହିଁଲା ବୁଧିଆ ମୁହଁକୁ ।

ଯୋଗିଆର କାନରେ ବୁଧିଆର କଥା ପଡ଼ିଲା । ସେ ଚାଲି ଚାଲି ପାଖକୁ ଆସିଲା ।

ରତନୀ କହିଲା, ତୋ ଘର ତ ଖୋଲା ପଡ଼ିଛି ବୁଧିଆଭାଇ, ସେଠି କଅଣ ମୋ ପାଇଁ ଟିକିଏ ଥାନ ଦେବୁ ନାହି? ତୁ ତ ସେଇଆ ଚାହୁଥିଲୁ, ମୁଁ ସିନା ଆଡ଼େଇ ରହୁଥିଲି । ଆଉ ମୁଁ ନିଜର ଟାଣ ରଖି ପାରିବି ନାହିଁ । ଦାଣ୍ଡହାଟରେ, ଗଛମୂଳରେ ମୋର ଏଇ ଅସନା ଗନ୍ଧିଆ ଦେହଟାକୁ ଫୋପାଡ଼ି ଦେଉଥିଲି । ଦୁନିଆଁ ଲୋକଙ୍କୁ ମୋର ଦକ ନ ଥିଲା । ମୁଁ ଅସନା, ଅଛୁଆ, ଅଲୋଡ଼ା ବାଇଆଣୀଟା ବୋଲି କେହି ମୋ ପାଖରେ ପଶିବାକୁ ମନ କି ସାହସ କରୁ ନଥିଲେ ରେ ବୁଧିଆଭାଇ, କେହି ମତେ ଗୋଟାଇ ନେଉ ନ ଥିଲେ । ଯିଏ ଦିନେ ମୋର ହାତ ଧରି ବାହା ହୋଇଥିଲା, ଯାହାକୁ ଅନେଇଁ ଅନେଇଁ ମୁଁ ନ ଜାଣି ଦୋଚାରୁଣୀ ହେଲି, ଯିଏ ଦିନେ ମତେ ଛି କରି ଚାଲିଯାଇଥିଲା, ସେଇ ଯୋଗନୀଖିଆ ଯୋଗିଆ ମତେ ଚାହିଁଲାଣି । ମୋ ଦୋଚାରୁଣୀପଣ ସେ ଭୁଲିଗଲାଣି । ମୋ ଅସନା ଦେହରେ ସେ କଣ ଆଖିସରସା ଦେଖିଲାଣି । ଆଉ ଏ ଦେହକୁ ମୁଁ ଆଡ଼େଇ ରଖିପାରିବି ନାହିଁ । ଏଇ ଯୋଗିଆ, ଯିଏ ମତେ ଛାଡ଼ପତ୍ର ଦେଲାପରି ଫୋପାଡ଼ି ଦେଇଥିଲା, ସେ ବିଲୁଆ କୁକୁର ପରି ମତେ କେଣ୍ଟା କେଣ୍ଟା କରି ଝୁଣି ଖାଇବ । ମତେ ଡର ମାଡ଼ୁଛି ରେ ବୁଧିଆଭାଇ, ମତେ ତୋ ପାଦତଳେ ଥାନ ଦେ ।

ଚୁପ୍‌, ଚୁପ୍‌, ଆଉ କହନା । ସେମିତି ମୋ ଘର ଖୋଲ ପଡ଼ିଥିବ । ଏଇ ଦେଖ୍‌, ଯୋଗିଆଭାଇ ଆସୁଛି । ଆଲୋ ରତନୀ, ଭାଇ ବୋଲି ମତେ ଡାକିଛୁ ପରା, ଯେତେବେଳଯାଏ ଯୋଗିଆ ତତେ ଲାଡ଼ିବାକୁ ଆସି ନ ଥିଲା, ମୋ ମନରେ କେତେ କଣ ଭାବନା ଆସୁଥିଲା । ମୋ ପାଇଁ ନୂହଁ ଲୋ, ତୋ ପାଇଁ, ଆଉ ଏ ପିଲାଟା ପାଇଁ ।

ମିଛ କହୁଛୁ । ସେ ଯେଉଁ ବାବୁଟି ମତେ ସଙ୍ଗରେ ନେଉଁଣୁ ଛାଡ଼ିଦେଇ ଗଲା ସେ କିଏ ରେ ବୁଧିଆଭାଇ, ମତେ ଚିହ୍ନିଲା ଚିହ୍ନିଲା ପରି ଲାଗିଲା ମ, ମୋ ମନ କହିଲା, ସେଇ ଯେ ସେ ଅରକ୍ଷିତର ମୁହଁର ଛିଟିକା ତା ମୁହଁରେ ଦେଖିଲି । କାହିଁକି ମତେ ତୁ ଗାଡ଼ିରୁ ଓହ୍ଲାଇଆଣିଲୁ, ମତେ ଯଦି ତୁ ପାଖରେ ଥାନ ନ ଦେବୁ ? ତୁ ମିଛ କହୁଛୁ ।

ହେଉ, ମିଛ ହେଉ । ଆଜିଯାଏ ଯାହା ମିଛ ହୋଇଥିଲା ଆଜି ସେ ସତ ହେଉ । ଯେଉଁ ଭଲ ଲୋକ ବଡ଼ ଲୋକ ଦୟାଳୁ ଲୋକର ପିଲାକୁ ତୁ କୋଳରେ ଧରିଥିଲୁ ସେ ଆଉ ଆସିବ ନାହିଁ-। ଯାହାକୁ ତୁ ଝୁରିହେଉଥିଲୁ, ଯାହା ପାଇଁ ଅନେଇଁ ବସି ଦାଦି ଖୁଡ଼ୀ ଗାଁ ଲୋକଙ୍କ କଥାରେ ଭୁଲି ଆଉ କାହା ଘରକୁ ଦୁତିଅ ହୋଇ ଯାଇ ନଥିଲୁ, ହେଇଟି, ସେ ଯୋଗିଆଭାଇ ତୋ ଆଗରେ ଠିଆ ହେଇଛି । ହେଇ ଦେଖି, ସେ କାନ୍ଦୁଛି । ସେଇ ତୋର ବର, ଆଉ କେହି ନୁହେଁ । ଯିଏ ଆସିଥିଲା, ଯାହା ମୁହଁରେ ତୋ ଅରକ୍ଷିତର ଛିଟିକା ଦେଖିଲୁ ବୋଲି ମଣୁଛୁ, ସତେ ଯଦି ସେ ଅରକ୍ଷିତକୁ ତୋ ପେଟରେ ଥୋଇ ଦେଇ ଯାଇଥିଲା, ସେ କଣ ତତେ ଚିହ୍ନିଲା ନାହିଁ ? ନ ଚିହ୍ନିଲେ ନାହିଁ । ଚିହ୍ନିକରି ଯଦି ଡରି ପଳେଇଲା, ଗାଡ଼ି ଅଟେକେଇଲା ନାହିଁ, ସେ ମଣିଷ ନୁହେଁ ଲୋ ରତନୀ, ସେ କୁକୁର । ସେ ଯାଉ ।

ଯୋଗିଆ କୋହ ସମ୍ଭାଳି ପାରିଲା ନାହିଁ । ଦୁଇ ହାତରେ ମୁହଁ ଘୋଡ଼ାଇ କଇଁ କଇଁ ହୋଇ କାନ୍ଦିଉଠିଲା ।

ରତନୀର ଦୁଇଆଖିରୁ ଲୁହଧାର ଗଡ଼ିଆସିଲା ।

ବୁଧିଆ ପୁଣି କହିଲା, ସୁନା ଭଉଣୀ ମୋର ରତନୀ, ଆଉ କେହି ସିନା ଜାଣିବେ ନାହିଁ, ଭଗବାନ ତ ଜାଣନ୍ତି, ତୋର ମନ ତ ଜାଣେ ଏଇ ଯୋଗିଆଭାଇକୁ ଅନେଇଁ ରହିବୁ ବୋଲି ତୁ ଏତେ ଦୁଃଖ ସହିଲୁ, ଏଥେ ଦହଗଞ୍ଜ ଦେଲୁ । ତାକୁ ତୁ ପର କରନା !

ଆଉ କହି ପାରିଲା ନାହିଁ । ଆଖରୁ ଲୁହଧାର ଝରିଲା ।

ଆକୁଳ ବିକଳ ହୋଇ ରତନୀ କୁଣ୍ଠାଇ ପକାଇଲା ବୁଧିଆକୁ । ଭୋ କରି ପାନ୍ଦିଉଠି ଚିତ୍‌କାର କଲା, ଭାଇ !

ପିଠି ଆଉଁସି ବୁଧିଆ କହିଲା ଯୋଗିଆକୁ, ନେ ଯୋଗିଆ, ରତନୀର ହାତ ଧରି ନେ । ସଞ୍ଜ ହୋଇଆସୁଛି ଦୂର ବାଟ । ନେ–ଅତି କଷ୍ଟରେ ତୋଓରି ପାଇଁ ସେ ବଞ୍ଚିରହିଛି । ମୁହଁରେ ନାହିଁ କଲେ ବି ତୋଓରି ପାଇଁ ବଡ଼ଲୋକର ଆଶ୍ରା ଛାଡ଼ି ସେ ଗାଡ଼ିରୁ ଓହ୍ଲେଇ ଆସିଛି ମୋ ଡାକ ଯେ ତାର ଗୋଟାଏ ପତିଆରା ।

ଲୁହଝରା ଆଖିରେ ରତନୀର ହାତକୁ ଯୋଗିଆ ହାତରେ ଦେଇ କହିଲା ଗଦଗଦ କଣ୍ଠରେ, କେଡ଼େ କଷ୍ଟରେ ତାକୁ ମୁଁ ବଞ୍ଚାଇ ରଖିଛି କେମିତି ବୁଝିବୁ ତୁ ? କଳଙ୍କପସରା ବୋଲି ଯାହାକୁ ଲୋକେ ଘୃଣା କରୁଥିଲେ ସେଇ ଅରକ୍ଷିତ ଏ, ସେ ମୋ ପାଖରେ ରହିବ ରେ ଯୋଗିଆଭାଇ, ରତନୀକୁ ଏକା ତୁ ନେଇ ଯା -। ଆଉ ଏ ଟଙ୍କ - !

ଯୋଗିଆ କହିଲା, ଥାଉ–

କାହିଁକି ଥିବ ? ଧର କହୁଛି । ମୋ ଭଉଣୀର ଯୌତୁକ । ପାଞ୍ଚବର୍ଷ ହେଲା ସଞ୍ଚି ରଖୁଥିଲି । ଧର–

ଆକୁଳ ଆଖିରେ ଚାହିଁଲା ରତନୀ । କହିଲା, ଭାଇ, ଏତେକଥା ତୁ ମନରେ ରଖିଥିଲୁ ? ସେମିତି ମୁଁ ଭିକ ମାଗି ଚଳିବି ପଛେ, ମତେ ତୁ ଦୂରକୁ ଠେଲି ଦେ ନା । ଆଉ ତତେ କେବେ ମୁଁ ବିରକ୍ତ କରିବି ନାହିଁ । ତତେ ଏକୁଟିଆ ଛାଡ଼ି–

ମୋ କଥା ଭାବୁଛୁ ? ତୁ ଗଲେ ମୁଁ ନିଶ୍ଚିନ୍ତ । ଅରକ୍ଷିତକୁ ତୁ ସିନା ଜନମ କରିଛୁ, ବଞ୍ଚେଇଛି ମୁଁ । ସେ ବଡ଼ ଲୋକର ପୁଅ, ବଡ଼ ଘରର ପୁଅ । ଖଦାଳି ଘରକୁ ଯିବ କାହିଁକି ? ମୁଁ ତାକୁ ବଢ଼େଇବି, ବଡ଼ କରିବି । ଠିକ୍‌ ତା ବାପ ପରି କରିବି । ଅରକ୍ଷିତ ମୋର !

ବୁଧିଆ ଅରକ୍ଷିତର ହାତ ଧରିଲା ।

ରତନୀ ଯୋଗିଆର ଘରଣୀ ହେଲା । ଘର ସମ୍ଭାଳିଲା । ତିନି ତୁଣ୍ଡରୁ ମା ଡାକ ଶୁଣେ । ସାଧୁଆ ଆଉ ଚାବୁରୀର ପୁଅ ଗଣିଆଁଟି, କେଡ଼େ ଭଲ, କେଡ଼େ କୁହାର ବୋଲର, ନୂଆ ମା ରତନୀର ତୁଣ୍ଡକୁ ଅନେଇଁ ଥାଏ । କଥା କହିଲେ କାମ କରେ । ଅମାନ୍ୟ କରେ ନାହିଁ । ମନ ଜାଣି ରତନୀ ଖାଇବାକୁ ଦିଏ । ଗଣିଆଁର ମୁଣ୍ଡ ଦେହରୁ ଧୂଳି ଝାଡ଼ି କହେ, ଗଣିରେ, ବାପପେଇଁ ଏ ଭାତ କଂସାକ ନେଇଯା, ଦେଖିଲୁ ଧନ, ଖରା ଆସି ମୁଣ୍ଡ ଉପରେ ହେଲାଣି, ବାପ ତୋର ଫେରିନାହିଁ ।

ଗଣିଆଁ ଭାତ କଂସା ନେଇ ବିଲକୁ ଯାଏ ।

ରତନୀ ମଣିଆଁକୁ କୋଳରେ ଧରେ । କିଏ କହିବି ମଣିଆଁ ସଉତୁଣୀ ଚାବୁରୀର ପୁଅ । ରତନୀ ମନରେ ତ ଏମିତି ଧାରଣା କେକେ ହୁଏ ନାହିଁ । ମଣିଆଁ କୁ ତେଲ ହଳଦି ଲଗେଇଦିଏ । ଛେଳି କ୍ଷୀର ପେଇଦିଏ । ସପ ଖଣ୍ଡିଏ ପାରି ଶୁଆଇ ଦିଏ । କହେ, ଆରେ ଅରକ୍ଷିତ, ମଣିଆଁ ତୋର ଭାଇରେ ତା ପାଖରେ ଥାଆକି, ମୁଁ ବନ୍ଧରୁ ପାଣି ଦି ମାଠିଆ ଆଣେ ଅରକ୍ଷିତ ଜଗିବସେ ।

ସଞ୍ଜବେଳେ–

ଯୋଗିଆ ଫେରେ କାମରୁ ତିନି ପିଲାଙ୍କ ସଙ୍ଗେ ଖେଳେ । ରତନୀ ପାଖରେ ଠିଆ ହୋଇ ହସୁଥାଏ । ତାର ପେଟ ଭିତରେ ଯୋଗିଆରେ ପ୍ରେମ ମୂର୍ତ୍ତିମାନ ହୋଇ ଖେଳୁଛି । ରତନୀର ମାତୃତ୍ୱ ମୁଣ୍ଡ ଟେକିଛି ସଗର୍ବରେ ।

ଡାକ ଶୁଭେ ପଦାରୁ ଆଲୋ ରତନୀ !

ରତନୀ ତୁଣ୍ଡ ବାରେ ।

ଆରେ, ମୋ ବୁଧିଆଭାଇ ଆଇଚି !

ରତନୀ ଧାଇଁଯାଏ ପଦାକୁ ।

ବୁଧିଆ ପରିବା ବୋଝକ ପିଣ୍ଡାରେ ଥୋଇଦିଏ । କାନ୍ଧରୁ ଫିଟାଏ ଭୁଜା ମୁଆଁ ପାଚିଲା କଦଳୀ ପଡ଼ାଟି ।

ରତନୀ ସୁଁ ସୁ ହୋଇ କାନ୍ଦେ ।

ବୁଧିଆ କହେ, ଯୋଗିଆଭାଇ, ଅରକ୍ଷିତକୁ ପାଞ୍ଚଦିନ ପାଇଁ ନେଇଆସିଥିଲୁ, ପନ୍ଦର ଦିନ ପୂରିଲା, ମନ ହଉନାହିଁ ଛାଡ଼ି ଦେଇ ଆସିବାକୁ ? ମତେ ଏକୁଟିଆ ରହିବାକୁ ଭଲ ଲାଗୁ ନାହିଁ-। କାଲି ସକାଳେ ସେ ମୋ ସଙ୍ଗରେ ଯିବ ।

ଯୋଗିଆ କହିଲା, ମୁଁ କଣ ମନା କରୁଛି ?

ରେଡ଼ିକା ଘରର ପୁଅ ତ ବୁଧିଆ, ବଡ଼ ଜାତି, ହେଲେ ସେ ରତନୀ ଘରେ ଖାଇଲା । ଖଦାଳ ବୋଲି ତାର ବାରଣ ନାହିଁ । ଗାନ୍ଧି ମହାତ୍ମା କହିଛନ୍ତି, ଛୁଆଁ ଅଛୁଆଁ ଉଠାଇ ଦିଅ । ଯେଉଁ ବଡ଼ ବଡ଼ ନେତା ବ୍ରାହ୍ମଣ, କରଣ, ଖଣ୍ଡେଇତ ବଡ଼ ବଡ଼ ବକ୍ତୁତା ଦେଇ ଗାନ୍ଧି ମହାତ୍ମାଙ୍କ ଉପଦେଶ ଶୁଣାନ୍ତି ସେମାନେ ସିନା କୂଅ ପୋଖରୀ ଛୁଆଇଁ ଦିଅନ୍ତି ନାହିଁ, ଗାଁ ଗହଳିରେ ଅଶିକ୍ଷିତ ଗରିବ ଯେଉଁମାନେ ସେମାନେ ମହାତ୍ମାଙ୍କ ଉପଦେଶ ମାନନ୍ତି । ସେଇ ଅନୁସାରେ କାମ କରନ୍ତି ।

ରେଡ଼ିକା ପୁଅ ବୁଧିଆ, ଖଦାଳ ପୁଅ ଯୋଗିଆକୁ ଆପଣାର କରିଛି ।

ତହିଁଆର ଦିନ ସକାଳେ ।

ବୁଧିଆ ଅରକ୍ଷିତର ହାତ ଧରି ବାହାରିଲା । ସମସ୍ତେ ଠିଆ ହୋଇଥାନ୍ତି । ଆଖି ପୋଛି ରତନୀ କହିଲା, ବୁଧିଆଭାଇ, ଏମିତି ଏକୁଟିଆ ଥିବୁ, ବାହା ହବୁ ନାଇଁ ?

ବୁଧିଆ ହସି ହସିକା କହିଲା, ମୁଁ ତ ଛତରଖିଆ ।

ଭଲ ଝିଅଟିକୁ ଠିକଣା କରିଛି । ତା ନା ଶରଧା । ଏଇ ଗାଁର । ହେଲେ, ସେ ଖଦାଳ ଘର ଝିଅ ।

ବୁଧିଆ ଆହୁରି ଜୋରରେ ହସିଲା । ଅରକ୍ଷିତକୁ କାନ୍ଧରେ ବସେଇ କହିଲା, ଭଲରେ କେଉଁ ଜାତି କିଏ ଖୋଜୁଛି ? ଜାତି ବୋଲି କଥା ରହିଛି ନା ରହିବ ଏ ଯୁଗରେ ? କାଲି ଆମ ବଙ୍ଗଳାକୁ ଜଣେ ବାବୁ ଆସିଥିଲେ ଯେ ସେ ଜାତିରେ କରଣ । କେଡ଼େ ବଡ଼ ଘରର ପୁଅ । କେତେ ପାଠ ପଢ଼ିଛନ୍ତି । ହାକିମ ହେଇଛନ୍ତି । ତାଙ୍କ ସଙ୍ଗେ ଆସିଥିଲେ ତାଙ୍କର ସ୍ତ୍ରୀ, ଦିବ୍ୟ ସୁନ୍ଦରୀ । ଲୋକେ ଭୁଟ୍‌ଭାଟ୍‌ ହେଉଥିଲେ, ବାବୁଙ୍କ ସ୍ତ୍ରୀ କୁଆଢ଼େ ହାଡ଼ୀଘର ଝିଅ !

ଯୋଗିଆ କହିଲା, ଏ–

ରତନୀ କାବା ହୋଇ ଚାହିଁ ରହିଲା ।

ବୁଧିଆ କହିଲା, ସତ ମ ରତନୀ, ବାବୁ ଆମ ଗାଁରେ ସଭା କରେଇଥିଲେ । କେତେ ଗାର କେତେ ଲୋକ ଆସିଥିଲେ । ସେଇ ସଭାରେ ପରା । ସେ ବୁଝେଇ କହିଲେ, ସବୁ ମଣିସ ଠାକୁରଙ୍କ ଅଂଶ । ବଡ଼ ସାନ କେହି ନାହିଁ। ସବୁ କାମରେ ସମନ ମାନ, କିଏ କେଉଁ କାମ କରୁଛି, ସେଥିକି ଘୃଣା କାହିଁକି ? ଛୁଆଁ ଅଛୁଆଁ ବାରଣ କଣ ? ବ୍ରାହ୍ମଣଘରେ ଜନମ ହୋଇ ଲୋକେ ପୁଣି ଯୋତା ବେଉସା କରୁଛନ୍ତି, ପାଣ ଘରେ ଜନମ ହୋଇ ଲୋକେ ହାକିମ ହୋଇ ନ୍ୟୟ ଦେଉଛନ୍ତି-। ଛୁଆଁ ଅଛୁଆଁ ଉଠେଇ ଦିଅ । ଜାତିଭେଦ ଉଠେଇ ଦିଅ । ଏଯୁଗ ସେଇଆ ଚାହୁଁଛି ।

ଯୋଗିଆ ପଚାରିଲା, ଲୋକେ କଣ କହିଲେ ?

ବୁଧିଆ କହିଲା, କିଏ କେମିତି ଭୁଟ୍‌ଭାଟ୍ ହେଉଥିଲେ । ଆମ ଦାସନନାଙ୍କ ବଡ଼ ପୁଅ, କଅଣଟି ତାଙ୍କ ନାଁ- କଟକରେ ଯିଏ ବଡ଼ ପାଠ ପଢ଼ି ପାଆସ ହେଇ ଆସିଛନ୍ତି ମ– ?

ରତନୀ କହିଲା, କିଏ ସଦେଇ ଭାଇନା କି ?

ହଁ ହଁ, ସେଇ ତ । ସେ ଉଠି କହିଲେ, ମୁଁ ଠିକଣା କରିଛି ହରିଜନଘରେ ବାହା ହେବି । ହରିଜନ ବୋଇଲେ ଅଛୁଆଁ ଜାତି । ସମସ୍ତେ କାବା ହେଇ ଚାହିଁ ରହିଲେ । କେହି ତ ତୁଣ୍ତ ଫିଟେଇଲେ ନାହିଁ ।

ରତନୀ ପଚାରିଲା, ଦାସନନା ?

ସେ ତ ଆଗରୁ ବକୃତା ଦେଇଥିଲେ ! ସେ ଉଠି କହିଲେ, ଯୁଗ ତ ବଦଳିଲା, ଭଗବାନଙ୍କର ଅବତାର ଯେ ଗାନ୍ଧି ମହତମା ସେ ତ କହିଛନ୍ତି ସବୁ ମଣିଷ ସମାନ । ମୋ ପୁଅ ହରିଜନଘରେ ବାହା ହେଲେ ଦୋଷ ଲେଖୁନାହିଁ କି ପାପ ଲେଖୁନାହିଁ । ମୋ ପୁଅ ପାଇଁ କନିଆଁ ମୁଁ ଠିକ୍ କରିସାରିଛି ।

କେଉଁଠି ରେ ବୁଧିଆଭାଇ ?

ନନା ତ କହିଲେ, କେଉଁଠି ପାରଳାଖେମଣ୍ତିରେ ପାଣଘର ଝିଅ ହେଲେ କଣ ହେବ, କୁଆଡ଼େ ଦିବ୍ୟ ସୁନ୍ଦରୀ । କେତେ ପାଠ ପଢ଼ିଛି । ଆହୁରି ବଡ଼ ପାଠ ପଢ଼ିବାକୁ କଟକ ଯାଇଛି । ବାପ ତାର ବେପାର କରେ । ବଡ଼ଲୋକ ! ଏଇ ବୈଶାଖରେ କରିବେ ।

ଲୋକେ କଣ କହିଲେ ବୁଧିଆ– ?

କହିଲେ କଣ ? ତାଳି ମାରିଲେ । ‘ମହାତ୍ମା ଗାନ୍ଧିକି ଜେ’ କହିଲେ । ଖାଲି ଦାସ ନନାଙ୍କ ବଡ଼ ଭାଇ, ବଡ଼ ପାଟି କରି କହିଲେ ଯୁଗ ଓଲଟିଲା, ଘୋର କଳିକାଳ ହେଲା, ବସୁଧା ଫାଟିବ । ସମସ୍ତେ ନାଶ ଯିବ । ଶୁଣୁଛି ତାଙ୍କ କଥା ?

ରତନୀ ଭାବିଲା, ଯୁଗ ଓଲଟିଲା ! ପାଞ୍ଚବର୍ଷ ଆଗରୁ ଯଦି ଯୁଗ ଓଲଟିଥାନ୍ତା ! ମନେ ପଡ଼ିଲା ତାର ସେ ଦିନର କଥା,–ଭଲଘର ପୁଅ, ବଡ଼ଘର ପୁଅ, ସୁନ୍ଦର, ଶିକ୍ଷିତ । ସେ ଭଲ ପାଇଲେ ଅଛୁଁଆ ଖଦାଳ ଘରର ଅସନା ଗରିବ ଝିଅକୁ । ସେ ସ୍ନେହ କରି ଛାତିରେ ଧରିଲେ । ଦୁନିଆକୁ ଡରି ସେ ମୁହଁଛପା ଦେଇ ଚାଲି ଯାଇଥିଲେ । ଯୁଗ ଯଦି ଓଲଟିଥାନ୍ତା ସେତେବେଳେ !

ରତନୀ ଚାହିଁଲା ବୁଧିଆ କାନ୍ଧରେ ବସିଥିବା ଅରକ୍ଷିତକୁ । ଆଖି ଛଳ ଛଳ ହେଲା ଯୋଗିଆର ପ୍ରେମର ସଙ୍କେତ ଅସ୍ଥିର ହେଲା ପେଟଭିତରେ । ରତନୀ ଚମକି ଚାହିଁଲା ଯୋଗିଆକୁ, ଦୟାର ଅବତାର !

କହିଲା, ଭଲ ଝିଅଟି ତ ଶରଧା । କେଡ଼େ ଗୁଣର, କେଡ଼େ କାମିକା । ମୋ ବୁଧିଆଭାଇ ନାଖି ଏକା । ଏଇ ବୈଶାଖରେ–

ଶୁଣି ନ ଶୁଣିଲା ପରି ବୁଧିଆ କହିଲା, ଖରା ଟାଣ ହେଉଛି । ଯାଉଛି ଲୋ ରତନୀ !

ସଞ୍ଜ ।

ରେଡ଼ିଓ ବାଜିଛି । ଦିଲ୍ଲୀର ଗାୟିକା ଗୀତ ବୋଲୁଛି ।

ଟେବୁଲ ପାଖରେ ରେଡ଼ିଓ ଆଗରେ ବସି ସୁକୃତୀ କଳ ମୋଡ଼ି ଶବ୍ଦ ଠିକ୍‌ କରୁଛି । ଦୁରେଇକରି ବିଜୁଳି ପଙ୍ଖା ତଳେ ଆରାମ ଚୌକିରେ ବସିଛନ୍ତି । ପ୍ରଫେସର ଜୀବନକିଶୋର । ସେ ବି ଯେପରି ତନ୍ମୟ ହୋଇ ଶୁଣୁଛନ୍ତି ।

ଅଳକା ଆଉ ଏ ଦୁନିଆରେ ନାହିଁ । କୌଣସି ଦେବତା କି କୌଣସି ଡାକ୍ତର, ବୈଦ୍ୟ ତାକୁ ରଖିପାରିଲେ ନାହିଁ । ଅଳକାମରଣ ଦୁଃଖ ବି ମନରୁ ଲିଭିଗଲାଣି । ତଥାପି, କେବେ କେମିତି ମନେପଡ଼ିଲେ ସୁକୃତୀ କାନ୍ଦେ । ମା ମନ ତାର ଘାଣ୍ଟି ହୁଏ । ଛାତିରେ ଶିଶୁଟିଏ ଧରିବାକୁ ମନ ଛଟଛଟ ହୁଏ ।

ଅଳକା ମନେପଡ଼ିଲେ ଆଉ ଗୋଟିଏ ଶିଶୁ ବି ମନେପଡ଼େ ଜୀବନ–କିଶୋରଙ୍କର । ଦୁଃଖ ପଛେ ପଛେ ଗୋଡ଼େଇ ଆସେ ଅନୁତାପ ! ଜୀବନକିଶୋର ବହି ଖୋଲନ୍ତି ।

ଆଜି ଏଇ ସଞ୍ଜରେ–

ଦିହେଁ ତନ୍ମୟ–ଦିଲ୍ଲୀ ଗାୟିକାର ସଙ୍ଗୀତରେ, ଆର ଟେବୁଲ ଉପରେ ଟେଲିଫୋନ୍‌ ବାଜିଉଠିଲା ।

ସୁକୃତୀ ଉଠିଗଲା । କାନରେ ଲଗାଇଲା ରିସିଭର୍‌ ।

ହଁ, ହଁ । ଯାଉଛୁଁ ଆମେ । ଆଛା ।

 

ରିସ୍‌ଭର୍‌ ଯଥା ସ୍ଥାନରେ ଥୋଇଦେଇ ରେଡ଼ିଓରେ ସ୍ୱିଚ ଅଫ୍‌କଲା । ହସି ହସି କହିଲା, ଯିବ ନାହିଁ କି ଡକ୍‌ଟର ପ୍ରଧାନଙ୍କ ବାହାଘର ଦେଖିବାକୁ ? ଡକ୍‌ଟର ପ୍ରଧାନ ନିଜେ ଫୋନ୍‌ରେ କହୁଥିଲେ । ନିମନ୍ତ୍ରଣ ଆଉ ପ୍ରୋଗ୍ରାମ ତମ ଟେବୁଲ ଉପରେ ରଖି ଦେଖିଥିଲି, ପଢ଼ନା ?

ନା ।

ଆରେ, ଆଦର୍ଶ ବିବାହ ଯେ ! ଡକ୍‌ଟର ପ୍ରଧାନ ନାପିତକନ୍ୟା ଶ୍ରୀମତୀ ସୁଲେଖା ବେହେରା ବି. ଏ. ଙ୍କର ବରଣମାଳା ଗ୍ରହଣ କରିବେ ଗୋପାଳଜୀ ମନ୍ଦିରରେ ।

ସୁଲେଖା ? ମୋ ଛାତ୍ରୀ ଥିଲା ତ !

ସେଇ । ବିବାହପଦ୍ଧତି ବଦଳେଇବାକୁ ଡକ୍‌ଟର ପଣ କରିଛନ୍ତି । ସହରର କେତେ ଗଣ୍ୟମାନ୍ୟ ଲୋକ ଓ ଭଦ୍ରମହିଳା ଯିବେ । ସମସ୍ତଙ୍କ ଆଗରେ ସୁଲେଖା ଦେବେ ବରଣମାଳା । ଡକ୍‌ଟର ବି ତାଙ୍କ ବେକରେ ଫୁଲମାଳ ଦେବେ। ପୁରୋହିତ ଜଳତୁଳସୀ ଦେବେ । ବରକନ୍ୟା ଓଲଟି ହେବେ ଠାକୁରଙ୍କୁ । ଶଙ୍ଖ, ହୁଳହୁଳି, ସମସ୍ତଙ୍କର ଆଶୀର୍ବାଦ । ବିବାହ ଶେଷ । ପନ୍ଦର ମିନିଟ ଟାଇମ୍‌ ।

ତା ପରେ ?

ପ୍ରସାଦ ସେବା ।

ବେଶ୍ ତ ।

ଟେବୁଲ ଉପରେ ପ୍ରୋଗାମ ଅଛି ପଢ଼ । ମୋଟେ ଆଉ ପଚିଶ ମିନିଟ୍ ରହିଲା । ପ୍ରସ୍ତୁତ ହୁଅ । ମୁଁ ଡ୍ରାଇଭରକୁ ଗାଡ଼ି ଆଣିବାକୁ କହେଁ ।

ସୁକୃତୀ ତରତର ହୋଇ ତଳକୁ ଓହ୍ଲାଇଲା ।

ଜୀବନକିଶୋର ପ୍ରୋଗ୍ରାମ ପଢ଼ିଲେ । ବିଜୁଳି ଆଲୁଅରେ ଘର ଉଜ୍ଜ୍ବଳ । ଜୀବନକିଶୋର ଚାହିଁଲେ କାନ୍ଥକୁ । ଆଖି ଆଗରେ ମନ୍ଦିରଟିର ଫଟେ। ତା ପାଖକୁ ଅଶୋକଲିପି ଖୋଳା ବଡ଼ ପଥରର ଫଟୋ । ସେଇ ପଥର ଭିତରୁ ବାହାରି ଆସୁଛି ଆଦ୍ୟ ଯୌବନର କ୍ଷଣିକ ଉତ୍ତେଜନାର ମୁହୂର୍ତ୍ତକର ସାଥୀ, ରୂପଯୌବନର ସମ୍ଭାର ଘେନି ସରଳତା ନିରୀହତାର ନିଦର୍ଶନ । ଦାରିଦ୍ର୍ୟ, ଅତ୍ୟାଚାର, ନିଃସହାୟତାର ପ୍ରତୀକ । ମୂର୍ତ୍ତିମତୀ ପ୍ରୀତି । ସେଇ ଖଦାଳଝିଅ, ଲୋକଙ୍କ ଆଖିଆଗରୁ ଯୌବନର ଲଜ୍ଜା ଛପେଇ ରଖିବାକୁ ଲୁଗା ଖଣ୍ଡେ ପାଇଁ ଛାତି ଉପରକୁ ଆଉଜିପଡ଼ି ଭୀତିଜଡ଼ିତ ଆଖି ଦିଓଟି ବୁଜିଦେଇଥିଲା ।

ଡକ୍‌ଟର ପ୍ରଧାନଙ୍କର ଆଦର୍ଶ ବିବାହ !

ମନେପଡ଼େ–

ସେ ବି ତ ବିବାହ । ଖଦାଳ ଝିଅ । ରତନୀ ବି ତାଙ୍କର ପତ୍ନୀ ! ଆଦର୍ଶ ! ମୁହୂର୍ତ୍ତକର ପ୍ରେମକୁ ସେ ତା ଜୀବନର ସର୍ବସ୍ୱ କରିଛି । ଦୁନିଆଁ ଆଖିରେ ଯାହା କଳଙ୍କର ବୋଝ ସେଇ ବୋଝକୁ ଧରି ଲଜ୍ଜା, ଅପମାନ, ଦୁଃଖକଷ୍ଟକୁ ଚିରସାଥୀ କରି ସେହି ନିଭୃତ ପରିଣୟର ବିଜୟକେତନ ସେ ଉଡ଼ାଇଛି । ଦାଣ୍ଡର ଭିକାରୁଣୀ ହୋଇ ମଧ୍ୟ, ପାପ ନୁହେଁ, ପରିଣୟର ଉପହାର ଶିଶୁସନ୍ତାନଟିକୁ ସଙ୍ଗରେ ଧରି ଚାଲିଛି ନିର୍ଭୟରେ, –ମନ ଖୋଲି କହୁଛି, ଏଇ ଅରକ୍ଷିତଟି ତାଙ୍କର ପିଲା ଯିଏ ଦିନେ ଆସିଥିଲେ, ବଡ଼ଘରର ପୁଅ, ବଡ଼ ଜାତି, କେଡ଼େ ସୁନ୍ଦର– !

ଭାବନାର ତୀବ୍ରତା ସହିପାରିଲେ ନାହିଁ ଜୀବନକିଶାର, ଆରାମଚୌକିରେ ବସି ମୁଣ୍ଡର ବାଳ ଟାଣିବାକୁ ଲାଗିଲେ । ଲୋକଦେଖଣା ସଭ୍ୟତା, ସଂସ୍କୃତି, ଲୋକାପବାଦକୁ ଯଦି ସେ ଏଡ଼ି ପାରିଥାନ୍ତେ, ଯେଉଁ ଭିକାରୁଣୀକୁ ସେ ଗାଡ଼ିରୁ ଓହ୍ଲେଇ ଦେଇ ଆସିଥିଲେ, ସେ ହୋଇଥାନ୍ତା ଏ ଘରର ଘରଣୀ । ଯେଉଁ ଶିଶୁଟିକୁ ରକ୍ତରୁ ଜନମ ଦେଇଥିଲେ ସେ ହୋଇଥାନ୍ତା ତାଙ୍କର ଉତ୍ତରାଧିକାରୀ । ସୁକୃତୀ ଆଜି ଦୂରରେ ଥାଆନ୍ତା । କାନ୍ଥରେ ଝୁଲାହୋଇଛି ଯେଉଁ ଛବିଟି, ମଲାଝିଅ ଅଳକାର, ସେ ବି ଜନମି ନ ଥାନ୍ତା ଏ ଘରେ ।

ସେଦିନ ସେ ବି ହୋଇଥାନ୍ତା ଆଦର୍ଶ ବିବାହ–ଆଜି ଯାହା ଅତି ସାଧାରଣ ହୋଇପଡ଼ିଛି-। ହରିଜନ ଆଉ ସବର୍ଣ୍ଣ ହିନ୍ଦୁ ମିଶି ଏକାକାର ହୋଇଛନ୍ତି । ବିରାଟ ମହାନ୍ ଶକ୍ତିଶାଳୀ ହିନ୍ଦୁ ସମାଜ ଗଢ଼ି ହୋଇଉଠୁଛି ।

ରତନୀ ଆଉ ତାର ଶିଶୁଟି ! ଆଣିବେ କି ତାଙ୍କୁ ଘରକୁ ? ମୁକ୍ତ କଣ୍ଠରେ ଦୁନିଆଁ ଆଗରେ ସ୍ୱୀକାର କରିବେ ତାଙ୍କର ଦୋଷ ? ଯାହା ଦିନେ ଦିନେ କରେଇପାରିଥାନ୍ତା, ତାହା ହେବ ଛି ଛିର କାରଣ । ଆଉ ସୁକୃତୀ– ?

ଅଜାଣତରେ ଆଖିରୁ ଝରିଲା ଅବାଧ୍ୟଲୁହ !

ସୁକୃତୀ ଘରେ ପଶିଲା ।

ଯିବ ନାହିଁ ? ମୋଟେ ପନ୍ଦର ମିନିଟ୍ ସମୟ ଅଛି । ଡ୍ରାଇଭର ଗାଡ଼ି ଆଣିଲାଣି । ଆସ-

ଜୀବନକିଶାର ନିରୁତ୍ତର ।

ସୁକୃତୀ ପାଖକୁ ଆସିଲା–ଏଁ, ତମେ କାନ୍ଦୁଛ ?

ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲା ସୁକୃତୀ । ସ୍ୱାମୀଙ୍କର ଏପରି ଦୁର୍ବଳତା ସେ କେବେ ଦେଖି ନ ଥିଲା । ଚାହିଁଲା କାନ୍ଥକୁ,–ଅଳଙ୍କାର ଫଟୋଟି କାନ୍ଥରୁ ଜୁଳୁ ଜୁଳୁ କରି ଚାହିଁଛି ।

ସୁକୃତୀ ବୁଝିଲା । ତାର ଦୁଇ ଆଖିରୁ ମଧ୍ୟ ଦୁଇ ଧାର ଲୁହ ଝରିଆସିଲା । ଜୀବନକିଶାରଙ୍କର ହାତ ଧରି ଉଠାଇ ଗୁରୁ କଣ୍ଠରେ କହିଲା, ଛି, କାନ୍ଦୁଛ ? ଏଢ଼େ ଦୁର୍ବଳ ! ତମେ ଶିକ୍ଷିତ ପ୍ରଫେସ୍‌ର, ତମେ ଧୌର୍ଯ୍ୟବାନ୍, ଭୁଲି ପାରୁ ନା ? ମୁଁ ତ ଭୁଲିଗଲାଣି, ଅନ୍ତଫାଡ଼ି ଜନ୍ମ ଦେଇଥିଲି ।

ସୁକୃତୀର ଆଖିରୁ ଲୁହର ସ୍ରୋତ ଛୁଟିଲା । ଗଳା ଥରେଇ କହିଲା, ଉଠ, ଭୁଲିଯାଅ ତାକୁ, ଉଠ -ଭୁଲିଯାଅ ତାକୁ, ଉଠ–

କହୁ କହୁ ଧୌର୍ଯ୍ୟ ତାର ଭାଙ୍ଗିଲା । ମାତୃହୃଦୟ ଉଦ୍‌ବେଳି ଉଠିଲା । ଜୀବନକିଶାରଙ୍କର ଛାତି ଉପରକୁ ଢଳିପଡ଼ିଲା । ଦୁଇ ହାତରେ ସ୍ୱାମୀଙ୍କର ବେକକୁ ଗୁଢ଼େଇ ଧରି, କାନ୍ଧରେ ମୁହଁ ଲଦିଲା । ବୁଦ୍ଧ ବେଦନା କୋହ ହୋଇଉଠିଲା ।

ଜୀବନକିଶୋରଙ୍କର ଆଖି ଆଗରୁ ଅପସରି ଗଲା ଅତୀତର ଛାୟା-ଚିତ୍ର । ସୁକୃତୀର ପିଠି ଆଉଁସି କହିଲେ, ଛି, କାନ୍ଦୁଛି ? ଚାଲ, ଆଉ ମୋଟେ ଦଶ ମିନିଟ୍ ଅଛି।

ଟେବୁଲ ଉପରୁ ସଭ୍ୟତାର ସଙ୍କେତ ଟେଲିଫୋନ୍ ବେଲ ବାଜିଉଠିଲା। ଜୀବନ କଅଁଳେଇ କହିଲେ, ଉଠ ସୁକୃତୀ, ଡକ୍‌ଟର ପ୍ରଧାନ ଡାକୁଛନ୍ତି– !

ଛତ୍ରପୁର

୩-୨-୪୮

Image